Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଜେ ସ୍ଥଳୀ ଶ୍ରୀପୁରୁଷୋତ୍ତମ କ୍ଷେତ୍ରର କ୍ଷେତ୍ରେଶ୍ୱରୀ ମା ବିମଳାଙ୍କ ବିଷୟରେ ଆଲୋଚନା ଜାରି ରହିଛି । ଶ୍ରୀଜଗନ୍ନାଥଙ୍କ ଅବା ଶ୍ରୀକ୍ଷେତ୍ରର ବିଶେଷ ଆଲୋଚନା ସାଧାରଣତଃ ଆମେ ସ୍କନ୍ଦପୁରାଣ ଉତ୍କଳ ଖଣ୍ଡରେ ପାଇଥାଉ। ଏହାରି ଚତୁର୍ଥ ଅଧ୍ୟାୟ ଶ୍ଳୋକ ସଂଖ୍ୟା ୧୩ -୧୪ ବର୍ଣ୍ଣନା ଯଥା
“ତୃତୀୟା ବର୍ତ୍ତଗାମାଦ୍ୟାଂ ଶକ୍ତି ମେ ବିମଳାହ୍ୱୟାମ୍, ଜାନୀହି ଧର୍ମରାଜ ତ୍ବଂ ଭୁକ୍ତି ମୁକ୍ତି ଫଳପ୍ରଦାମ୍ ।” ପୁଣି କହିଲେ ଯ ଇମାଂପୂଜୟତେ ଭକ୍ତ୍ୟl ପ୍ରଣମେତ କୀର୍ତିୟେବପି, ସର୍ବାନ କାମାନବାପ୍ନତି ମୁକ୍ତିଚାନ୍ତେ ଚ ବିନ୍ଦତି ।” ଅର୍ଥାତ ଦକ୍ଷିଣାବର୍ତ୍ତ ଶଙ୍ଖ ସ୍ୱରୂପ ଶ୍ରୀକ୍ଷେତ୍ରର ତୃତୀୟ ଆବର୍ତ୍ତ ସୀମାରେ ବିମଳା ନାମରେ ଯେଉଁ ଶକ୍ତି ଅଛନ୍ତି, ସେ ମଧ୍ୟ ଭୁକ୍ତି ମୁକ୍ତି ଫଳ ପ୍ରଦାନ କରନ୍ତି। ଯେଉଁ ଭକ୍ତ ତାହାଙ୍କୁ ଭକ୍ତି ସହକାରେ ପୂଜା, ପ୍ରଣାମ ଇତ୍ୟାଦି କରନ୍ତି, ସେହି ବ୍ୟକ୍ତି ଅଭିଳାଷିତ ଦ୍ରବ୍ୟ ଲାଭକରିବା ସହ ଅନ୍ତକାଳରେ ମୁକ୍ତି ଲାଭ କରେ କାଳିକା ପୁରାଣ ଅନୁସାରେ ସତୀଙ୍କ ଉରୁଯୁଗ୍ମ ପତିତ ହୋଇଥିବା ପୀଠ ହିଁ ଏହି ବିମଳାଙ୍କ ପୀଠ ବୋଲି ଦର୍ଶାଯାଇ, ଏଠାରେ ଦୀକ୍ଷାଯୁକ୍ତ ସାଧକଗଣ ପବିତ୍ରାରୋପଣ କରିବାର ବିଧି କୁହାଯାଇଛି ଏବଂ କାମନା ସିଦ୍ଧ କରିବା ପାଇଁ ଯନ୍ତ୍ର ବିଧି ବ୍ୟବସ୍ଥାକୁ ଏହି ପୂରଣରେ ସ୍ୱୀକାର କରାଯାଇଛି ।

ଏହି ଦିଗରୁ ବିଚାର କଲେ ଯନ୍ତ୍ରର “ବିଦ୍ୟା “ସ୍ୱରୂପିଣୀ ହେଉଛନ୍ତି ସ୍ୱୟଂ ମା ବିମଳା। ସେଥିପାଇଁ ଶ୍ରୀମନ୍ଦିର ଓ ଶ୍ରୀଜୀଉମାନେ ସମସ୍ତେ ଯନ୍ତ୍ର ଅରୁଢ଼ ଅଟନ୍ତି। ଶୈବମତର ପ୍ରାଧାନ୍ୟ ସମୟରେ ମା ବିମଳାଙ୍କୁ ଆଧାର କରି ବା ଶକ୍ତି ରୂପେ ବିବେଚନା କରି ଶ୍ରୀଜଗନ୍ନାଥଙ୍କୁ ଶିବ ରୂପେ ଆରାଧନା କରାଯାଉଥିବାର ସୂଚନା ମିଳେ। ସମ୍ଭବତଃ ଯଯାତି କେଶରୀ (୧ମ )ଙ୍କ ସମୟରେ ବୈଷ୍ଣବ ମତକୁ ସମ୍ମାନ ଜଣାଇ ଶ୍ରୀଜଗନ୍ନାଥଙ୍କୁ ବିଷ୍ଣୁ ସ୍ୱରୂପରେ ଜ୍ଞାନ କରାଗଲା । ତାହା ଆଗରୁ ବିମଳା ହିଁ ଶ୍ରୀ, ମହାବିଦ୍ୟା, ମହାମାୟୀ, ତ୍ରିପୁରାସୁନ୍ଦରୀ ବୋଲି ବିବେଚିତ ହେଉଥିଲେ। କେହି କେହି ତ ମା ବିମଳାଙ୍କୁ ମା କମଳା (ମହାଲଷ୍ମୀ )ଙ୍କ ସ୍ୱରୂପ ବୋଲି ବିଚାର କରୁଥିଲେ। ଐତିହାସିକ ହରେକୃଷ୍ଣ ମହତାବଙ୍କ ଅନୁସାରେ ବର୍ତ୍ତମାନ ଦୃଷ୍ଟି ଗୋଚର ହେଉଥିବା କଳା ମୁଗୁନି ପଥରରେ ନିର୍ମିତ୍ତ ମା ବିମଳାଙ୍କ ମୂର୍ତ୍ତି ପ୍ରତିଷ୍ଠା ପାଇ ପୂଜିତ ହେଉଛନ୍ତି। ଅନେକ ଗବେଷକ ଏହି ମତକୁ ସ୍ୱୀକାର କରି ଲେଖିଛନ୍ତି ବିମଳାଙ୍କ ଉପସ୍ଥିତି ଶ୍ରୀମନ୍ଦିରଠାରୁ ପ୍ରାଚୀନ ହେଲେ ମଧ୍ୟ ବର୍ତ୍ତମାନ ପୂଜିତ ପ୍ରତିମା ପ୍ରାୟ ଅଷ୍ଟମ /ନବମ ଶତାବ୍ଦୀର ଅଟନ୍ତି। ଆଗାମୀ ଅଧ୍ୟାୟରେ ଆହୁରି ଅନେକ ତଥ୍ୟ ଓ ତତ୍ତ୍ୱ ଜାଣିବା କିନ୍ତୁ ବର୍ତ୍ତମାନ ଆରାଧନା ଓ ଭାଗବତ ପଠନର ସମୟ, ପଢିବା ।

“ଏ ଅଷ୍ଟାଦଶ ସିଦ୍ଧି ଯେତେ
କିଂଚିତେ ସାଧନ୍ତି ମୋ ଭକ୍ତେ ।
ମୋ ନାମ ଶ୍ରବଣ କୀର୍ତ୍ତନେ
ସାଧ୍ୟ କରନ୍ତି ଅଳ୍ପ ଦିନେ ।
ସଂସାରେ ଯେତେ ସିଦ୍ଧି ଭାବ
ତାହାଙ୍କୁ ନୁହଇ ଦୁର୍ଲଭ ।”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.