Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ପରିକ୍ରମା ଆଲୋଚନା ଚାଲିଛି । କ୍ଷେତ୍ରେଶ୍ୱରୀ ମା ବିମଳାଙ୍କ ମନ୍ଦିର ସମ୍ପର୍କରେ, ନାଟ ମଣ୍ଡପ ଭିତରେ ୪୪ ଯୋଗିନୀଙ୍କ ଚିତ୍ର ପ୍ରତିମା ଦେଖିବା ପରେ, ତନ୍ତ୍ର ଆଧାରିତ କିଛି ଚର୍ଚ୍ଚା କରିବାକୁ ପ୍ରୟାସ କରୁଛି । ଶ୍ରୀକ୍ଷେତ୍ରରେ ଅଷ୍ଟଚଣ୍ଡୀ ଯଥା -ରାମଚଣ୍ଡୀ, ହରଚଣ୍ଡୀ ବାସେଳୀ, ବାରାହୀ, ଆଲାମଚଣ୍ଡୀ, ଦକ୍ଷିଣକାଳୀ, ଝଡ଼େଶ୍ୱରୀଙ୍କ ସହ କ୍ଷେତ୍ରେଶ୍ୱରୀ ଭାବରେ ମା ବିମଳାଙ୍କ ଉପସ୍ଥିତି ଏହି କ୍ଷେତ୍ରକୁ ତନ୍ତ୍ରକ୍ଷେତ୍ର (ଉଡ଼ଡିୟାନ ତନ୍ତ୍ର ପୀଠ )ଭାବରେ ପ୍ରସିଦ୍ଧ କରାଇଛି।

“ଦେବୀ ଭାଗବତ ” ଗ୍ରନ୍ଥରେ ମା ବିମଳାଙ୍କୁ ଶ୍ରେଷ୍ଠ ତନ୍ତ୍ର ଦେବୀ ଭାବରେ ଉପସ୍ଥାପିତ କରାଯାଇଛି।ଯୋଗିନୀ ତନ୍ତ୍ର ବଙ୍ଗଳା ଗ୍ରନ୍ଥ କହେ ଉତ୍ତରରେ ଜଳନ୍ଧର ପୀଠରେ ଜ୍ୱାଳାମୁଖୀ, ଦକ୍ଷିଣରେ ପୂର୍ଣ୍ଣଗିରି ପୀଠରେ ପୂ6ର୍ଣ୍ଣଶ୍ୱରୀ, ପଶ୍ଚିମରେ ଯୋଗିନୀ ପୀଠରେ କାମରୂପ କାମାକ୍ଷା ଓ ପୂର୍ବରେ ଉଡ଼ଡ଼ିୟାନ ପୀଠରେ ଦେବୀ ବିମଳା ମୂଖ୍ୟ ତନ୍ତ୍ର ଦେବୀ ଭାବରେ ପୂଜିତ ଅଟନ୍ତି। ଶାସ୍ତ୍ର ମତରେ ଶାକ୍ତ ପରମ୍ପରାରେ ପ୍ରତିମା ଅପେକ୍ଷା ଯନ୍ତ୍ରର ମାହାତ୍ମ୍ୟ ଅଧିକ ଅଟେ। ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ ମଧ୍ୟ ଏକ ଯନ୍ତ୍ର ଉପରେ ପ୍ରତିଷ୍ଠିତ, ଯାହା ଶ୍ରୀଯନ୍ତ୍ର ଭାବରେ ପରିଚିତ। ଏହି ଶ୍ରୀଯନ୍ତ୍ରର ଠିକ ମଧ୍ୟ ସ୍ଥଳରେ ରତ୍ନ ସିଂହାସନ ଉପରେ ପ୍ରଭୁ ଶ୍ରୀଜଗନ୍ନାଥ ଉପବେଶନ କରିଥିବା ବେଳେ ଶ୍ରୀଯନ୍ତ୍ରର ବିଭିନ୍ନ କୋଣରେ ମଙ୍ଗଳା, ବିମଳା, ଭୁବନେଶ୍ୱରୀ, ଲଷ୍ମୀ, ଓ ଶୀତଳା ପ୍ରଭୃତି ପାର୍ଶ୍ଵ ଶକ୍ତିମାନେ ଅଧିଷ୍ଠିତ ହୋଇଛନ୍ତି। ଆଗମ ଶାସ୍ତ୍ର ପ୍ରକାରେ ଦେବୀ ବିମଳାଙ୍କ ପୀଠ ଯୋଗିନୀ ତନ୍ତ୍ର ସମର୍ଥିତ ଆଦ୍ୟାଶକ୍ତିଙ୍କର ପରାପୀଠ ଭାବରେ ପରିଚୟ ପାଇଛି । ଆଗରୁ ଆମେ ଆଲୋଚନା କରିଛେ ଯେ ଏହି ପୀଠରେ ମା ସତୀଙ୍କ ଜିହ୍ୱା ପତିତ ହୋଇଛି ବୋଲି କିନ୍ତୁ ଦେବୀ ଭାଗବତ ଓ କାଳିକା ପୁରାଣରେ ଲିଖିତ ଅଛି ଏଠାରେ ମା ସତୀଙ୍କ ପାଦ ପତିତ ହୋଇଛି। ତେଣୁ ଏହି ପରମ ସିଦ୍ଧ ତନ୍ତ୍ର ପୀଠର ପରମ ଆରାଧ୍ୟା ଦେବୀ ମା ବିମଳା ହେଉଛନ୍ତି ଶ୍ରେଷ୍ଠଲ । କ୍ଷେତ୍ରେଶ୍ୱରୀ ମା ବିମଳା ସାକ୍ଷାତ ପରା ଶକ୍ତି, ଉଡ଼ଡିୟାନ ପୀଠ ଅଧିଶ୍ବରୀ, ହରି ନିର୍ମାଲ୍ୟ ପ୍ରିୟା, ଯୋଗମାୟା ସ୍ୱରୂପା, ପୁରୁଷୋତ୍ତମ ପରିପଳିକା, ମା ସତୀଙ୍କ ପାଦ ପୀଠର ମହାନ ଶକ୍ତି। ଆସନ୍ତୁ କରିବା ସେହି ମହାଶକ୍ତି ମାଙ୍କ ଆରାଧନା ।
“ବିମଳା ସା ମହାଦେବୀ ପରାଶକ୍ତି ବରାନନା, ପରାଶକ୍ତି ପରାୟଣl ପରମା ଚିନ୍ମୟୀ ଭକ୍ତତୋଷିଣୀ  ଉଡଡିୟାନ ପରାପିଠାଧିଶ୍ୱରୀ ପରମେଶ୍ୱରୀ, କୈବଲ୍ୟଦାୟିନୀ ଦେବୀ ହରି କୈବଲ୍ୟ ଲୋଲୁପା,  ଯୋଗମାୟା ଯୋଗରୁପା ପୁରୁଷୋତ୍ତମ ବଲ୍ଳଭ, ପାଦ ପୀଠେଶ୍ୱରୀ ବିଦ୍ୟା ଚତୃବର୍ଗ ପ୍ରଦାୟିକା ।
ଜୟ ମା ବିମଳା
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.