ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଜେସ୍ଥଳି ଶ୍ରୀମନ୍ଦିର, ଯାହା ଶ୍ରୀଯନ୍ତ୍ର ଉପରେ ପ୍ରତିଷ୍ଠିତ ତାହାରି ଗୋଟିଏ କୋଣରେ ଅବସ୍ଥିତ ମା ବିମଳାଙ୍କ ମନ୍ଦିରର ନାଟମଣ୍ଡପ ଆମେ ଦେଖିବା ଅବସରରେ ୪୪ ଯୋଗିନୀଙ୍କ ଚିତ୍ର ପ୍ରତିମା ଦର୍ଶନ କରି ତନ୍ତ୍ର ମତରେ ମା ବିମଳାଙ୍କ ସ୍ୱରୂପ କୁ ଉପସ୍ଥାପିତ କରିଥିଲେ। କିନ୍ତୁ ଶାସ୍ତ୍ର ଅନୁଧ୍ୟାନ କଲେ ଜଣାଯାଏ ଦେବୀ ବିମଳାଙ୍କ ପୂଜା -ପରା ପୂଜା, ଶୁଦ୍ଧ ଓ ସାତ୍ଵିକ। ଏଠାରେ ପ୍ରଥମେ ତନ୍ତ୍ରର ପ୍ରଭାବ ବିଶେଷ ନଥିଲା। ମତ୍ସ୍ୟପୁରାଣ, ଦେବୀ ଭାଗବତ, ଓ ସ୍କନ୍ଦ ପୁରାଣରେ ବିଶେଷତଃ ଏହି ସାତ୍ଵିକ ଓ ଶୁଦ୍ଧ ଋଷି ପରମ୍ପରାର ପୂଜନ ଦୃଶ୍ୟମାନ ହୁଏ। ପରବର୍ତ୍ତୀ ସମୟରେ ରାଜକୀୟ ପ୍ରଭାବ ଦ୍ୱାରା ଏହି ପୀଠ ପରମ ତାନ୍ତ୍ରିକ ପୀଠର ମାନ୍ୟତା ଲାଭ କଲା। ସମ୍ପୂର୍ଣ ସାଧାରଣ କୌଳ ପଞ୍ଚମକାର ପୀଠ ଓ ଲୋକିକ ସିଦ୍ଧି ବା ଦୈହିକ ସିଦ୍ଧି ପାଇଁ ଏହି ତନ୍ତ୍ରର ଆବଶ୍ୟକତାକୁ ନିଶ୍ଚିତ ଭାବେ କୌଣସି ରାଜପୁରୁଷ ଆପଣେଇ ଥିବାର ଅନୁମାନ କରାଯାଏ। ତେଣୁ ଶାରଦୀୟ ପୂଜା ସମୟରେ ବଳି ପଶୁ ପ୍ରୋକ୍ଷଣ ଜନିତ ହୋମ ଓ ତ୍ରିଦିନାତ୍ମକ ମତ୍ସ୍ୟନୈବେଦ୍ୟ ନିବେଦନର ପରମ୍ପରା ପ୍ରଚଳିତ ହୋଇଛି। ସବୁ ପରମ୍ପରା ଭିତରେ ମଧ୍ୟ ଶାରଦୀୟ ବିଶିଷ୍ଟ ଅର୍ଚ୍ଚନାରେ ଦୁର୍ଗାଙ୍କ ସହ ନୀଳମାଧବଙ୍କ ସହାବସ୍ଥାନ, ଶ୍ରୀଜଗନ୍ନାଥଙ୍କ କୈବଲ୍ୟର ପୁନଃ ସମର୍ପଣ ବିଧି, ସର୍ବୋପରି ବଳି ପ୍ରୋକ୍ଷଣ ବେଳେ ମା ବିମଳାଙ୍କ ଶ୍ରୀମୁଖରେ “ଶ୍ରୀମୁଖ ଖଣ୍ଡୁଆ “ନାମକ ବସ୍ତ୍ର ଆବରଣ ଦେଇ, ଛାୟା ଓ ମାୟାଙ୍କୁ ବଳି ଭୋଜନ ଉତ୍ସର୍ଗ ବିଧାନ ପ୍ରମାଣିତ କରେ ଆଜି ବି ମା ବିମଳାଙ୍କ ପୂଜା ବିଧି ଶୁଦ୍ଧ ଓ ସାତ୍ତ୍ୱିକ ଅଟେ। ଜଣାଯାଏ ମା ବିମଳାଙ୍କ ମନ୍ତ୍ର, ମା ଭୁବନେଶ୍ୱରୀଙ୍କ ମନ୍ତ୍ର ଓ ମା ସୁଭଦ୍ରିକାଙ୍କ ମନ୍ତ୍ର ପ୍ରାୟ ସମାନ ଅଟେ। ଏମାନେ ପ୍ରାୟ ସାତ୍ତ୍ଵିକ ଗୋଷ୍ଠୀର ପରିଚାୟକ । ତେଣୁ ମା ବିମଳାଙ୍କୁ ପ୍ରାଣ ଶକ୍ତିର ଆଧାର ବା ଘାଟର ପରମା ଶକ୍ତି, ଧ୍ୟାନ ଓ ଲୟର ଉପଲବ୍ଧ ସ୍ୱରୂପା, ସର୍ବୋପରି ଶଙ୍ଖ କ୍ଷେତ୍ରର ଈଶ୍ୱରୀ ଭାବରେ ବିବେଚନା କରାଯାଇଛି। ଭୌତିକ, ଆଧିଭୌତିକ ଓ ଆଧିଦୈବୀକ ଚିନ୍ତନର ମୂଳ ଆଧାର ସ୍ୱରୂପା ମା, ତଥା ପ୍ରଧାନ ଶକ୍ତି ଯୋଗମାୟା ହିଁ ପୀଠେଶ୍ୱରୀ ବିମଳା ।
ଆଗକୁ ଜାରି ରହିବ ଏହି ଆଲୋଚନା ବର୍ତ୍ତମାନ ସମୟ କେବଳ ଆରାଧନା ଉଦ୍ୟତ କୋଟି ସୁଧା କରଂlଶୁ ଧବଳାଂ ଶ୍ୱେତଵଜ ମଧ୍ୟସ୍ଥିତାଂ, ବିଭ୍ରାଣାଂ ସ୍ପଟିକାକ୍ଷମାଳ ଭୁଜଗାଂ ଦ୍ରlକ୍ଷାସୁଧା କୁଣ୍ଡିକାଂ ଉଦ୍ୟତ କୋଟିଜଟା ସହସ୍ର ବିଲସତ ନେତ୍ର ତ୍ରିଭିଶୋଭିତା ମାତସ୍ତୁl ବ୍ରହ୍ମ ସୁରେନ୍ଦ୍ର ବନ୍ଦ୍ୟ ବିମଳା ବାଗେଶ୍ବରୀ ଚିନ୍ତୟେତ l
ଜୟ ମା ବିମଳା।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.