ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଲୀଳାକ୍ଷେତ୍ର ଶ୍ରୀପୁରୁଷୋତ୍ତମ କ୍ଷେତ୍ରର ସୃଷ୍ଟି ରହସ୍ୟ ଜାଣିବା ପାଇଁ ସ୍କନ୍ଦ ପୁରାଣ ବର୍ଣ୍ଣିତ ଉପାଖ୍ୟାନ ଅନୁସାରେ ଇନ୍ଦ୍ରଦ୍ୟୁମ୍ନ ମହାରାଜ ନିଜର ସୈନ୍ୟସାମନ୍ତ, ଆଗ୍ରହୀ ପ୍ରଜା, ବ୍ୟବସାୟୀ, ନଟ,ଭାଟ, ସେବକ ତଥା ନିଜର ପରିବାର ଓ ପାରିଷଦଙ୍କ ସହ ନୀଳାଚଳ ଅଭିମୁଖେ ଯାତ୍ରା ଆରମ୍ଭ କଲେ। କୁହାଯାଏ କିଛି ବେଶ୍ୟା ମଧ୍ୟ ଏହି ପଟୁଆରରେ ଯୋଗଦାନ କରିଥିଲେ। ଉତ୍କଳର ତତ୍କାଳୀନ ରାଜା, ଅବନ୍ତୀର ରାଜାଙ୍କୁ ବିରୋଧ ନକରି ସ୍ୱାଗତ କରିଥିଲେ। କିନ୍ତୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପାଇଁ ସୁଖ ପରିବର୍ତ୍ତେ ଏକ ଦୁଃଖ ସମାଚାର ଥିଲା। ସମ୍ବାଦ ମିଳିଲା ବିଦ୍ୟାପତିଙ୍କ ଦର୍ଶନ ପରେ ଏକ ପ୍ରଚଣ୍ଡ ବାଲି ଝଡ଼ ଆସି “ପ୍ରଭୁ ନୀଳମାଧଵ “ଙ୍କ ଆସ୍ଥାନ ଧ୍ବଂସ କରିଦେଲା ଓ ସ୍ୱୟଂ “ନୀଳମାଧବ “ବାଲୁକା ଗର୍ଭରେ ଅନ୍ତର୍ଧ୍ୟାନ ହୋଇ ଯାଇଥିଲେ। ଯେଉଁ ପ୍ରଭୁଙ୍କର ଦର୍ଶନ ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ଆସିଥିଲେ, ସେହି ପ୍ରଭୁଙ୍କର ଉଭାନ ହେବାର ଖବର ଶୁଣି ଅତ୍ୟନ୍ତ ଦୁଃଖରେ ମ୍ରିୟମାଣ ହୋଇ ପଡିଲେ ରାଜା ଇନ୍ଦ୍ରଦ୍ୟୁମ୍ନ। ମନେ ମନେ ଚିନ୍ତା କଲେ ତାଙ୍କର ଦୋଷ ରହିଲା କେଉଁଠି ସେ ତ ଉତ୍କଳ ପ୍ରବେଶ ପଥରେ ମା ଚର୍ଚ୍ଚିକାଙ୍କ ଉପାସନା କଲେ। ପୂଜା ଅର୍ଚ୍ଚନା ବି କଲେ। ବାଟରେ ଏକ୍ରlମକାନନଠାରେ ପ୍ରଭୁ ଶିବଙ୍କ ଦର୍ଶନ କରି ସ୍ତୁତି କରିବାରୁ ସ୍ୱୟଂ ଶିବ ପ୍ରସନ୍ନ ହୋଇ ଇନ୍ଦ୍ରଦ୍ୟୁମ୍ନଙ୍କ ମନୋବାଞ୍ଛା ପୂର୍ଣ୍ଣ ହେବାର ବର ଦେଇଥିଲେ। ତତ୍ପରେ ଶିବଙ୍କ ନିର୍ଦ୍ଦେଶରେ ନାରଦ ମହର୍ଷି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ରକୁ ବାଟ କଢାଇଥିଲେ। ଏହି ପଥ ମଧ୍ୟରେ ରାଜା ଇନ୍ଦ୍ରଦ୍ୟୁମ୍ନ ପ୍ରଭୁ କପୋତେଶ୍ୱର ଓ ବିଲ୍ଲେଶ୍ୱର ଶିବଙ୍କୁ ମଧ୍ୟ ଦର୍ଶନ କରିଥିଲେ। ଶେଷରେ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରର ସୀମାରେ ବିରାଜିତ ମହାଦେବ “ନୀଳକଣ୍ଠ “ଙ୍କୁ ମଧ୍ୟ ଦର୍ଶନ ଓ ପୂଜା କରିଥିଲେ।
ତେବେ ଏ ଅଘଟଣ କାହିଁକି ? ଏହି ପ୍ରଶ୍ନର ଉତ୍ତର ରେ ନାରଦ ମହର୍ଷି କହିଲେ ଏହାହିଁ ଵିଧିର ବିଧାନ, ତେଣୁ ତୁମେ ବିଚଳିତ ନହୋଇ ପ୍ରଭୁ ନୃସିଂହ ଠାକୁର ଙ୍କୁ ସ୍ଥାପନା କରି ଶୀଘ୍ର ଅଶ୍ୱମେଧ ଯଜ୍ଞ ର ଆୟୋଜନ କର, ଏହି ଯଜ୍ଞ ର ସମାପନ ପରେ ପ୍ରଭୁ ପ୍ରକଟ ହୋଇବେ। ନାରଦଙ୍କ ପରାମର୍ଶରେ ରାଜା ଇନ୍ଦ୍ରଦ୍ୟୁମ୍ନ ଅଶ୍ୱମେଧ ଯଜ୍ଞ ଆୟୋଜନ କଲେ। କିନ୍ତୁ ଶିଶୁ କୃଷ୍ଣ ଦାସ ବିରଚିତ ଦେଉଳତୋଳା ଗ୍ରନ୍ଥ କହେ “ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ବିଦ୍ୟାପତି ବାଟରେ ବୁଣିଥିବା ମାଘୀ ତିଳରୁ ଉଦଗତ ଅଙ୍କୁର ଅନୁସରଣ କରି “ନୀଳମାଧବ “ଙ୍କ ନିକଟରେ ପହଞ୍ଚାଇଲେ। କିନ୍ତୁ ନିଜର ପରାକ୍ରମ ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ଅତ୍ୟନ୍ତ ଗର୍ବ କରିବାରୁ ପ୍ରଭୁ ନୀଳମାଧବ ଅଦୃଶ୍ୟ ହୋଇ ଗଲେ ଓ ରାଜା କେବଳ କିଛି ଛଡା ଫୁଲର ଦର୍ଶନ ପାଇଲେ। ଦୁଃଖରେ ସ୍ତୁତି କରନ୍ତେ ଶୂନ୍ୟବାଣୀ ହେଲା “ହେ ରାଜନ ତୁମେ ଅଶ୍ୱମେଧ ଯଜ୍ଞର ଆୟୋଜନ କର। ଆମ୍ଭେ କଳିଯୁଗରେ ସ୍ୱତନ୍ତ୍ର ସ୍ୱରୂପରେ ବିରାଜମାନ କରିବୁ ।” ଏହାପରେ କଣ ହେଲା ଜାଣିବା ଆଉ ଏକ ଅଧ୍ୟlୟ ରେ ବର୍ତ୍ତମାନ ଆରାଧନା “ଦେଶିତଂ ଲୋକନାଥେସ୍ତୁ ଜ୍ଞାନ ମତ୍ୟଭୂତଂ ପରମ, ସିଦ୍ଧିଦଂ ଜନ୍ମନୀ ହୈବ ସର୍ବବୁଦ୍ଧମୟଂ ଶିବମ ।”
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.