ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପଞ୍ଚୁକ (କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ )। କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୁର୍ଣିମା ପର୍ଯ୍ୟନ୍ତ ଅତ୍ୟନ୍ତ ପବିତ୍ର ଏହି ପାଞ୍ଚ ଦିନ ରତ୍ନସିଂହାସନରେ ଅତ୍ୟନ୍ତ ମନୋହାର ବେଶ ଧାରଣ କରିଥାନ୍ତି। ଯେଉଁ ବର୍ଷ କାର୍ତ୍ତିକ ମାସର ପଞ୍ଚୁକ ପାଞ୍ଚ ଦିନ ନହୋଇ ଛଅ ଦିନ ହୋଇଥାଏ। ଅର୍ଥାତ ଗୋଟିଏ ମଳତିଥି ପଡିଥାଏ, ସେହି ବର୍ଷ ଉକ୍ତ ମଳ ତିଥିରେ ଶ୍ରୀଜୀଉମାନଙ୍କର ଏକ ବିଶେଷ ବେଶ “ନାଗାର୍ଜୁନ ବେଶ “ଅନୁଷ୍ଠିତ ହୁଏ। ଏହି ପାଞ୍ଚଦିନ ମଧ୍ୟରେ
୧ . କାର୍ତ୍ତିକ ଶୁକ୍ଳ ଏକାଦଶୀରେ ପ୍ରଭୁଙ୍କର ଠିଆକିଆ ବେଶ ବା ଲଷ୍ମୀନାରାୟଣ ବେଶ ହୋଇଥାଏ
୨ . କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀରେ ହୁଏ ବାଙ୍କଚୂଡା ବେଶ
୩. କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ରେ ହୋଇଥାଏ ଆଡ଼କିଆ ବେଶ ବା ତ୍ରିବିକ୍ରମ ବେଶ
୪ . କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀରେ ହୁଏ ଡାଳିକିଆ ବା ଲଷ୍ମୀନୃସିଂହ ବେଶ
୫. କାର୍ତ୍ତିକ ପୂର୍ଣ୍ଣିମାରେ ରାଜ ବେଶ ବା ସୁନା ବେଶ ଅନୁଷ୍ଠିତ ହୋଇଥାଏ
ଏହି ବେଶ ପରମ୍ପରା ସହ ପଞ୍ଚୁକ ମଧ୍ୟରେ ଆଉ ଦୁଇ ଗୋଟି ବିଶେଷ ନୀତି ପାଳିତ ହୁଏ । ଗୋଟିଏ ହେଲା ହରି ଉତଥାପନ ନୀତି ଓ ଗରୁଡ଼ ଉତଥାପନ ନୀତି। ପ୍ରଥମଟି ପାଳିତ ହୁଏ ଏକାଦଶୀ ତିଥିରେ ଓ ଦ୍ଵିତୀୟ ଟି ଦ୍ୱାଦଶୀ ତିଥିରେ ପାଳିତ ହୋଇଥାଏ । ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ଆମେ ପାଳନ କଲେ ହରିଶୟନ ନୀତି, ଅର୍ଥାତ ଶୟନ ଠାକୁରମାନଙ୍କୁ ଭଣ୍ଡାର ଘରୁ ଆଣି ରଥ ଉପରେ ସମସ୍ତ ନୀତିକାନ୍ତି ସରିବା ପରେ ଅର୍ଥାତ ବଡ଼ସିଂହାର ଭୋଗ ପରେ ପୁନଃ ଶୟନ ଘରେ ଶେଜ ମାଣ୍ଡି ସହ ପ୍ରସ୍ତୁତ ସ୍ୱତନ୍ତ୍ର ଖଟରେ ଶୟନ କରାଯାଏ ଓ ଶୟନ ଘର ଦ୍ୱାରକୁ ତଡାଉ କରଣ ମୁଦ ଦେଇ ବନ୍ଦ କରନ୍ତି। ପୁଣି ସେହି ଶୟନ ଠାକୁରମାନଙ୍କର ଭାଦ୍ରବ ଶୁକ୍ଳ ଏକାଦଶୀ ଦିନ ପାର୍ଶ୍ଵ ପରିବର୍ତ୍ତନ କରାଯାଏ ଅର୍ଥାତ ଠାକୁରମାନେ କଡ଼ ଲେଉଟାଇଥାନ୍ତି ।
ଶେଷରେ କାର୍ତ୍ତିକ ଶୁକ୍ଳ ଏକାଦଶୀରେ ପାଳିତ ହୁଏ ହରି ଉତଥାପନ ନୀତି ଅର୍ଥାତ ଶୟନ ଠାକୁରମାନେ ଶଯ୍ୟା ତ୍ୟାଗ କରନ୍ତି। ଏହି ଦିନ ଶ୍ରୀଜୀଉମାନଙ୍କ ସମସ୍ତ ନୀତିକାନ୍ତି ପରେ ଦୁଇଟି ବଡ଼ସିଂହାର ନୀତି ହୁଏ। ଶୟନ ଠାକୁରମାନଙ୍କୁ ନିଦ୍ରାରୁ ଉଠାଇ ଭୋଗ ବନ୍ଦାପନା ପରେ ପୁଣି ଭଣ୍ଡାର ଘରକୁ ନିଆଯାଏ । ତେଣୁ ଏହି ତିନୋଟି ଏକାଦଶୀ (ଆଷାଢ଼ ଶୁକ୍ଳ, ଭାଦ୍ରବ ଶୁକ୍ଳ ଓ କାର୍ତ୍ତିକ ଶୁକ୍ଳ )ର ମହତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଅଟେ। ଶ୍ରୀଜୀଉମାନେ ନିଜର ପ୍ରତିନିଧି ସ୍ୱରୂପ ଶୟନ ଠାକୁରମାନଙ୍କୁ ଶୋଇବା, କଡ଼ଲେଉଟିବା ଓ ନିଦ୍ରା ତ୍ୟାଗ କରିବା ପରି ମାନବୀୟ କର୍ମ କରାଇଥାନ୍ତି। ଆଗାମୀ ଅଧ୍ୟାୟରେ ଜାଣିବା ଏହି କିଆ ବେଶ ବା ଠିଆକିଆ ବେଶ,ଆଡ଼କିଆ ବେଶ ଓ ଡାଳିକିଆ ବେଶ ବିଷୟରେ ସମ୍ପୂର୍ଣ ବିବରଣୀ, ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ ର ସମୟ ଅଟେ।
“ମୁଁ ମୂଢ଼ ମାୟା ଜଡ଼ମତି
ଭୋ ନାଥ ଶୁଣ ଯଦୁ ପତି ।
ମୁହିଁ ମୋହର ଏ ଶରୀର
ସକଳ ସଂସାର ମୋହର ।
ମୋହେ ଜଡିତ ମୋର ଚିତ୍ତ
ଏଣୁ ମୁଁ କୈବଲେ ବଞ୍ଚିତ ।”
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.