ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବେଶ ପରମ୍ପରା ଆଲୋଚନା ସମୟରେ ଆମେ ଜାଣିଲେ ପ୍ରଭୁଙ୍କର କିଛି ବେଶ ନିଜ ଭକ୍ତଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ହୋଇଥାଏ। ଯେପରି ଭକ୍ତ ମନୋହର ଦାସଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ପ୍ରଭୁ ହୋଇଥିଲେ ପଦ୍ମମୁଖ ବେଶ। ସେହିପରି ଆଜି ଜାଣିବା ଆଉ ଜଣେ ଭକ୍ତଙ୍କ କଷ୍ଟ ନିବାରଣ ପାଇଁ ଶ୍ରୀଜଗନ୍ନାଥ କେଉଁ ବେଶ ଧାରଣ କରିଥିଲେ। ଏହି ଭକ୍ତ କିନ୍ତୁ ସାମାନ୍ୟ ଅଲଗା ଧରଣର ଭକ୍ତ କାରଣ ଏହି ଭକ୍ତ ମାନବ ନୁହଁନ୍ତି। ସେ ଏକ ପଶୁ ଅର୍ଥାତ ଜଣେ ଗଜରାଜ ବା ହସ୍ତୀ। ଏଥର ବେଶଟିକୁ ଅନୁମାନ କରିବା ସହଜ, କାରଣ ଶ୍ରୀଜଗନ୍ନାଥ ଙ୍କ “ଗଜଉଦ୍ଧାରଣ ବେଶ “ସର୍ବଜନ ବିଦିତ। ଏହି ବେଶର ଅନ୍ୟ ନାମ ମଧ୍ୟ” ଗଜେନ୍ଦ୍ର ମୋକ୍ଷ ବେଶ “। ଏହି ବେଶ ମାଘମାସ ପୂର୍ଣ୍ଣିମା ତିଥିରେ ପାଳିତ ହୁଏ। ଏହି ବେଶଟି ଏକ ଯଜମାନି ବେଶ। ଏହାର ସମ୍ପୂର୍ଣ୍ଣ ଇତିହାସ ସ୍ପଷ୍ଟ ନଥିଲେ ମଧ୍ୟ କୁହାଯାଏ ଜନୈକ ରାଣୀ ଏହି ବେଶ ପ୍ରଚଳନ କରିଥିଲେ। କିଛିବର୍ଷ ପରେ ଜନୈକ ବାବାଜୀ (ବାସୁଦେବ ବାବାଜୀ )ଏହି ବେଶ ର ଦାୟିତ୍ୱ ନେଲେ. ପୁଣି କିଛି ବର୍ଷ ପରେ ଜଣେ ଭକ୍ତ ଶ୍ରୀ ରମେଶ ଚନ୍ଦ୍ର ମିତ୍ର ଏହି ବେଶ କରିବାକୁ ସମସ୍ତ ବ୍ୟବସ୍ଥା କଲେ. ବର୍ତ୍ତମାନ କିଛି ବର୍ଷ ହେବ ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ଆର୍ଥିକ ସହଯୋଗରେ ଶ୍ରୀମନ୍ଦିର ପ୍ରଶାସନ ଏହି ବେଶ ର ଆୟୋଜନ କରୁଛି। ଆମେ ସମସ୍ତେ ଏହି ବେଶର ପୃଷ୍ଠଭୂମି ବିଷୟରେ ଜାଣିଛେ। ପ୍ରଭୁଙ୍କର ଆରାଧନା କରିବା ସମୟରେ ମଧ୍ୟ କବିଙ୍କ ରଚନା ଗାଇଛେ।
“ଲକ୍ଷେ ଯୋଜନରେ ଗଜ
ଡାକିଲା ହେ ଦେବରାଜ,
ଚକ୍ର ପେଶି ନକ୍ର ନାଶି ଉଦ୍ଧାରିଲ ଆପଣ, ଆହେ ନୀଳଶୈଳ——-”
ତେଣୁ ଭକ୍ତ ଗଜରାଜ ଗଭୀର ଜଳ ମଧ୍ୟରେ କୁମ୍ଭୀର ଦ୍ୱାରା ଆକ୍ରାନ୍ତ ହୋଇ ନିଜ ଶୁଣ୍ଢରେ ପଦ୍ମ ଧlରଣ ପୂର୍ବକ ପ୍ରଭୁଙ୍କର ସ୍ମରଣ ଓ ଆକୁଳ ପାର୍ଥନା କରିଥିଲେ। ତେଣୁ ଅନେକ ଦୂରରେ ଥାଇ ମଧ୍ୟ ପ୍ରଭୁ ଶରଣ ରକ୍ଷଣ ମହାବାହୁ ନିଜ ଆୟୁଧ ସୁଦର୍ଶନ ଚକ୍ର ପେଶି ନକ୍ର (କୁମ୍ଭୀର )ନାଶ କରି ଗଜଙ୍କୁ ଉଦ୍ଧାର କରିଥିଲେ। ଏହି ସ୍ମୃତିକୁ ଉଜାଗର କରିବା ପାଇଁ ଏହି ବେଶର ପରିକଳ୍ପନା। ଏହା ଏକ ଅତ୍ୟନ୍ତ ଚିତାକର୍ଷକ ବେଶ। ଏହି ବେଶର ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ଆଗାମୀ ଅଧ୍ୟାୟରେ ବର୍ତ୍ତମାନ କରିଵା ପାର୍ଥନା ଓ ଭାଗବତ ପଠନ ସବୁଦିନ ପରି ।
“ଇନ୍ଦ୍ରିୟ ଗଣ ଏ ଶରୀରେ
ଭ୍ରମନ୍ତି ବିଷୟ ଗୋଚରେ ।
ଯେଝା ବିଷୟ ଅନୁଦିନେ
ଭୋଗ କରନ୍ତି ନିଜ ସ୍ଥାନେ ।
ଆତ୍ମାର ସଙ୍ଗ ନାହିଁ ତେଣେ
ଆଦିତ୍ୟ ଯେସନେ କିରଣେ ।”
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.