Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଓ ସେବକ ଏହି କ୍ରମରେ ଆମେ ଆଜି ଆଲୋଚନା କରିବା ଦୁଇ ସେବକଙ୍କ ବିଷୟରେ ପାଣିଆପଟ ଓ ଦର୍ପଣିଆ -ବଇରଖିଆ. ଉଭୟ ସେବା ବଂଶାନୁକ୍ରମିକ ତଥା ଶାଢ଼ୀବନ୍ଧା ସେବା । କିନ୍ତୁ ପାଣିଆପଟ ହେଉଛନ୍ତି ପାଣିସ୍ପର୍ଶ ଜାତିର ସେବକ ଅର୍ଥାତ ଯାହାଙ୍କ ଛୁଆଁ ପାଣି ମହାପ୍ରଭୁଙ୍କ ସେବାରେ ଲାଗିବା ଯୋଗ୍ୟ ଅଟେ । ଅନ୍ୟ ଜଣେ ନlପିତ କୂଳର ସେବକ ପାଣିଆପଟ ସେବକଙ୍କ ମୂଖ୍ୟ କାର୍ଯ୍ୟ ହେଲା ଶ୍ରୀମନ୍ଦିର ଭିତରେ ଧୋପଖାଳ ପାଇଁ, ଅବକାଶ ପାଇଁ, ବିଭିନ୍ନ ପୂଜା ସମୟରେ ଯେତେ ପାଣି ଲାଗିବ ସେତେ ପାଣି ବିମଳାଙ୍କ କୂପରୁ ଆଣି ଯୋଗାଇଦେବେ। ଠାକୁରଙ୍କ ଥାଳି, ପରଖ, ବଟ, ଗରା, ଝରି ଇତ୍ୟାଦି ଭୋରରୁ ଦର୍ପଣିଆ ସେବକ ଧୋଇବା ପରେ ବାକି ଦିନଯାକ ପାଣିଆପଟ ସେବକ ସେସବୁ ମାଜି ସଫା କରିବେ। ରାତ୍ର ଚନ୍ଦନ ଲାଗି ପରେ ପିଙ୍ଗଣ ମାଜି ଦେବା ତଥା ଦୈନଦିନ ବ୍ୟବହାର ହେଉଥିବା ଜିନିଷ ମାଜି ସଫା କରିବେ। ରଥଯାତ୍ରା ସମୟରେ ଗୁଣ୍ଡିଚା ଘରେ ମଧ୍ଯ ଏହି କାର୍ଯ୍ୟ ଗୁଡିକ କରିବେ। ଦର୍ପଣିଆ ତଥା ବଇରଖିଆ ସେବକ ନୀତି ସମୟରେ ଦର୍ପଣ ଯୋଗାନ୍ତି। ଶାଢ଼ୀବନ୍ଧାଇ ସାରିଥିଲେ ଦର୍ପଣ ପ୍ରଭୁଙ୍କ ସାମ୍ନାରେ ଅବକାଶ ପୂଜାରେ ଲଗାନ୍ତି। ପ୍ରତିଦିନ ମଙ୍ଗଳ ଆଳତି ପରେ ଠାକୁରଙ୍କ ବ୍ୟବହୃତ ବାସନ ଯଥା ଗରା, ପରଖ, ଥାଳି, ବଟା, ପିଙ୍ଗଣ ଆଦି ମାଜି ସଫା କରନ୍ତି । ଆବଶ୍ୟକ ସମୟରେ ପୂର୍ଣ୍ଣକୁମ୍ଭ ବସlନ୍ତି। ସ୍ନାନ ପୁର୍ଣିମା, ଗୁଣ୍ଡିଚା ବିଜେ ତଥା ବାହୁଡା଼ ବିଜେ ସମୟରେ ମୁଣ୍ଡରେ ପୂର୍ଣ୍ଣକୁମ୍ଭ ଧରି ଆଗରେ ଯାଆନ୍ତି। ରଥରେ, ସ୍ନାନ ମଣ୍ଡପରେ ଓ ଆବଶ୍ୟକ ସ୍ଥଳେ ପ୍ରଭୁଙ୍କର ରୁନ୍ଧା କାର୍ଯ୍ୟରେ ସହଯୋଗ କରନ୍ତି। ଏହି ସେବକଙ୍କ ଅନ୍ୟତମ କାର୍ଯ୍ୟହେଲା ବଇରଖା ସେବା ଯୋଗାଇଦେବା। ତେଣୁ ଏହି ଉଭୟ ସେବକ ସାଧାରଣ ଭାବରେ ଏତେ ଚର୍ଚ୍ଚିତ ନହୋଇଥିଲେ ମଧ୍ଯ ଏମାନଙ୍କ ସେବା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ଅଟେ। ଆଗାମୀ ଅଧ୍ୟାୟରେ ଆହୁରି ଅଜଣା ତଥା ଗୁରୁତ୍ୱପୂର୍ଣ୍ଣ ସେବା ଯୋଗାଉଥିବା ସେବକମାନଙ୍କୁ ଜାଣିବା। ବର୍ତ୍ତମାନ କରିବା ଆରାଧନା ଓ ନିୟମିତ ଭାଗବତ ପଠନ ।

ଏ ରୂପେ ଆତ୍ମା ସୁକ୍ଷ୍ମ ବାଣୀ
ବେଦ ବଚନ ପରିମlଣି ।
ଏ ଷଢ଼ ଚକ୍ର ଭେଦି ସ୍ପୁରେ
ଶବଦ ଦ୍ୱାଦଶ ପ୍ରକାରେ ।
ଏ ଅନାହତ ପୁରେ ସ୍ଥିତି
ଜୀବ ଆତ୍ମା ର ତତ୍ତ୍ୱ ଗତି ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.