ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକମାନଙ୍କ ବିଷୟରେ ଆଲୋଚନା କରିବା ସମୟରେ ମନରେ ଉତ୍କଣ୍ଠା ଆସେ ଯେ ଏପରି ସେବାର ନିର୍ଦ୍ଧାରଣ କିଏ କରିଥିଲା? କାରଣ ପ୍ରତ୍ୟେକ ସେବାର ଢାଞ୍ଚା ସ୍ୱତନ୍ତ୍ର ଓ ସେବକ ମଧ୍ଯ ସ୍ୱତନ୍ତ୍ର। ଏଠି ବ୍ରlହ୍ମଣଙ୍କଠାରୁ ଆରମ୍ଭ କରି ଶୁଦ୍ର ସେବକ ବି ଅଛନ୍ତି। କିଛି ସେବା ବଂଶାନୁକ୍ରମିକ, କିଛି ସେବା ସାମୁହିକ ।
ଆଜି ଆଲୋଚନା କରିବା ସେହିପରି ଏକ ବଂଶାନୁକ୍ରମିକ ସେବା କୋଠ ସୁଆଁସିଆଙ୍କ ବିଷୟରେ। ଏମାନେ ଶୁଦ୍ର (ଚଷା ଜାତି )ସେବକ। ବଂଶାନୁକ୍ରମିକ ସେବା କରୁଥିଲେ ମଧ୍ଯ ଶାଢ଼ୀବନ୍ଧା ସେବକ ନୁହଁନ୍ତି। ଆଗରୁ ଆଲୋଚନା ହୋଇଥିବା ମୁଲିଆ ସୁଆଁସିଆଙ୍କ ପରି ଏହି ସେବକମାନେ ମଧ୍ଯ ବିବିଧ ସେବାରେ ନିୟୋଜିତ ହୋଇଥାନ୍ତି। ପର୍ବ ପର୍ବାଣୀ ମାନଙ୍କରେ ଘର ତିଆରି (ଆବଶ୍ୟକ ସ୍ଥଳେ ), ଚାନ୍ଦୁଆ ବନ୍ଧା, ଚାରମାଳ ବନ୍ଧା, ସ୍ନାନବେଦୀ ଧୋପଖାଳ, ତଥା ରଥ ଉପରକୁ ଚାଙ୍ଗଡ଼ା ଓ ଭଣ୍ଡାର ବାକ୍ସ ନେବା ଇତ୍ୟାଦି କାର୍ଯ୍ୟ ଏମାନେ ନିଷ୍ଠାର ସହ କରିଥାନ୍ତି। ଦୋଳ ବେଦୀରେ ଚାନ୍ଦୁଆ ବାନ୍ଧିବା ସହ ଏହା ନିକଟରେ ହୋମ ଘର ନିର୍ମାଣ କରନ୍ତି । ଜଳକ୍ରୀଡା ପାଇଁ ଛାମୁଣ୍ଡିଆ ତିଆରି କରିଥାନ୍ତି। କନକମୁଣ୍ଡି ତିଆରି କରନ୍ତି । ରଥ ମଣ୍ଡଣି କାମ ରଥଯାତ୍ରା ସମୟରେ କରିଥାନ୍ତି। ଗୁଣ୍ଡିଚା ଘରକୁ ମନ୍ଦିରରୁ ଓ ଗୁଣ୍ଡିଚା ଘରୁ ମନ୍ଦିରକୁ ପଲଙ୍କ ନିଆଅଣା କରନ୍ତି। ଚକ୍ରବୁଲା ଏକାଦଶୀରେ ଚାରି ଆଶ୍ରମରେ ଯଥା ପଣ୍ଡୁ ଋଷି ଆଶ୍ରମ, ମାର୍କଣ୍ଡ ଋଷି ଆଶ୍ରମ, ଅଙ୍ଗିରା ଋଷି ଆଶ୍ରମ,ଓ ଭୃଗୁ ଋଷି ଆଶ୍ରମ ଚାନ୍ଦୁଆ ବାନ୍ଧନ୍ତି। ଶ୍ରୀକୃଷ୍ଣଙ୍କ ଜନ୍ମ ତିଥିରେ ନବଜାତ କୃଷ୍ଣଙ୍କ ପାଇଁ ଦୋଳି ବାନ୍ଧନ୍ତି। ଆଉ ଦୁଇଟି ବଡ଼ ଓ ସାମୟିକ ସେବା ହେଲା କୌଣସି କାରଣ ବଶତଃ ମହାପ୍ରଭୁଙ୍କର ଭୋଗ ମାରା ହୋଇଗଲେ ଏହି ମାରlଭୋଗକୁ ନିର୍ଦ୍ଧିଷ୍ଟ ସ୍ଥାନରେ ପୋତିବା କାର୍ଯ୍ୟ କରିଥାନ୍ତି। ସେହିପରି ନବକଳେବର ସମୟରେ ଶ୍ରୀଜୀଉମାନଙ୍କ ପୁରୁଣା ବିଗ୍ରହ ଗୁଡିକୁ ସମାଧି ଦେବା ପାଇଁ କୋଇଲି ବୈକୁଣ୍ଠରେ ସମାଧି ଖୋଳିଥାନ୍ତି। ଆଗାମୀ ଅଧ୍ୟାୟରେ ଜାଣିବା ଏହି ଭଳି ଏକ ସେବକ ଗୋଷ୍ଠୀ ବିଷୟରେ ଯାହାଙ୍କ ନାମ ଓ କାମ ସମ୍ପୂର୍ଣ୍ଣ ଅଲଗା। ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ।
ତୁ ଧନ୍ୟ ଧନ୍ୟ ତୋ ଜୀବନ
ଯାହାର ପୁତ୍ର ଭଗବାନ।
ଲଭିଲୁ ପୂର୍ବ କର୍ମ ଫଳେ
ଏଣୁ ତୋ ଯଶ ମହୀତଳେ।
ବିଖ୍ୟାତ ତିନି ଭୁବନରେ
ଯେ ଯଶ ଗାଇ ପ୍ରାଣୀ ତରେ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.