Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକଙ୍କ ବିଷୟରେ ଆଲୋଚନା କରିବା ସମୟରେ ଗୋଟିଏ କଥା ମନକୁ ଆସେ। ଏତେ ସବୁ ସେବା ସୃଷ୍ଟି କଲା କିଏ ? କାରଣ ଗୋଟିଏ ଗୋଟିଏ କାର୍ଯ୍ୟ ସମ୍ପାଦନ ପାଇଁ ୩ /୪ ପ୍ରକାର ସେବକ ଅଛନ୍ତି ଏବଂ ସେହି କାର୍ଯ୍ୟଟି ବିନା ବାଧାରେ ସମ୍ପନ୍ନ ହେଉଛି। ଆସନ୍ତୁ ତେବେ ଜାଣିବା କିଛି ସେପରି ସେବକଙ୍କ ବିଷୟରେ। ଯଥା :- ଚିତ୍ରକାର ଓ ରୁପକାର ସେବା , ଦୁଇଟି ଯାକ ସେବା ସମାନ ଲାଗୁଥିଲେ ମଧ୍ଯ କାର୍ଯ୍ୟ ଶୈଳୀ ଅଲଗା ଅଲଗା ଅଟେ ।

ଚିତ୍ରକାର ସେବା : ନାମକରଣରୁ ଜାଣି ହେଉଛି ଏମାନେ ଚିତ୍ର ଅଙ୍କିଥାନ୍ତି। ତେବେ କେଉଁଠି ଓ କେବେ ଆଙ୍କନ୍ତି ତାହା ହିଁ ସେବାର ମହତ୍ୱ। ରୁକ୍ମିଣୀ ହରଣ ପାଇଁ ମlଜଣା ମଣ୍ଡପରେ, ସ୍ନାନ ପୁର୍ଣିମା ପୂର୍ବରୁ ସ୍ନାନ ମଣ୍ଡପରେ, ଝୁଲଣ ସମୟରେ ଝୁଲଣ ମଣ୍ଡପରେ, ଷୋଳପୂଜା ପାଇଁ ବିମଳାଙ୍କ ମନ୍ଦିରରେ,ଚନ୍ଦନଯାତ ପାଇଁ ଚନ୍ଦନ ମଣ୍ଡପ ଆଦିରେ ସୁନ୍ଦର ଓ ପାରମ୍ପରିକ ଚିତ୍ର କରିଥାନ୍ତି। ଏହାଛଡା ଅଣସର ପଟି, ପତିତପାବନ ପଟି ଏହି ସେବକଙ୍କ ଘରେ ନିଷ୍ଠା ସହ କରାଯାଇ ଅତ୍ୟନ୍ତ ଆଡମ୍ବରରେ କାହାଳି, ଘଣ୍ଟା ବାଜି ଛତା ଛତ୍ରୀ ସହ ପଟୁଆରରେ ଶ୍ରୀମନ୍ଦିରକୁ ଆସିଥାଏ। ଏହି ସେବକମାନେ ମଧ୍ଯ ଜନ୍ମାଷ୍ଟମୀରେ କୃଷ୍ଣ ପଟି, କଂସ ପାହାରୀ, ବାମନପଟି, କନ୍ଦର୍ପ ପଟି (ପଟଚିତ୍ର )ଆଦି ଏହିମାନେ ଲେଖିଥାନ୍ତି। ଏମାନେ ଶାଢ଼ୀ ବନ୍ଧା ଶୁଦ୍ର ସେବକ, ତଥା ସେବା ବଂଶାନୁକ୍ରମିକ ଅଟେ। ଏବେ ଜାଣିବା ରୁପକାର ସେବା ।

ରଥଯାତ୍ରାରେ ତଥା ଶ୍ରୀମନ୍ଦିରର ବିଭିନ୍ନ ନୀତି ପାଇଁ ଏମାନେ କାଷ୍ଠ ମୂର୍ତ୍ତି ଗଢ଼ନ୍ତି ବା ନୂତନ ଭାବରେ ରଙ୍ଗ ଦେଇ ସଜାନ୍ତି। କେବଳ ନବକଳେବର ସମୟରେ ରଥର ସାରଥି, ସଖି, ପାର୍ଶ୍ଵ ଦେବା ଦେବୀ, ତିନି ରଥର ଘୋଡା, ଓଲଟ ଶୁଆ ତଥା ଦଧିନଉତିର ଅଁଳାଶ୍ରୀ ଆଦି ନୂଆ କରି ଗଢିଥାନ୍ତି। ଏହା ଛଡା ଏହି ସେବକମାନଙ୍କ ତରଫରୁ କିଛି ସେବକ ପିତ୍ତଲ, ଅଷ୍ଟଧାତୁ, ତଥା ଶୁଦ୍ଧ ସୁବର୍ଣ୍ଣ ମୂର୍ତ୍ତି ମଧ୍ଯ ଗଢିଥାନ୍ତି। ଏମାନେ ମଧ୍ଯ ଶାଢ଼ୀବନ୍ଧା ସେବକ ଓ ଏମାନଙ୍କ ସେବା ବଂଶାନୁକ୍ରମିକ ଅଟେ। ଆଗାମୀ ଅଧ୍ୟାୟରେ ଜାଣିବା ଆହୁରି କିଛି ସେବକଙ୍କ ବିଷୟରେ। ଏବେ କରିବା ଆରାଧନା ଓ ଭାଗବତ ପଠନ କାର୍ଯ୍ୟ ।

ଉତ୍ତମ ସଙ୍ଗ ସେଵା ନିତ୍ୟେ
ଜନ୍ତୁଙ୍କୁ ଦୟା ହୃଦ ଗତେ ।
ସମସ୍ତ ଲୋକେ ମିତ୍ର ଭାବ
ଏ ଆଦି ଯତନେ ସାଧିବ ।
ଶୌଚ ତପ ଦୟା ଗୁଣ
ମଉଁନ ବେଦ ଅଧ୍ୟୟନ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.