Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ନିତ୍ୟ -ବିଧି ବା ଦୈନିକ ନୀତିର ବିଶେଷ ଆଲୋଚନା ଭିତରେ ଆମେ ମହାପ୍ରଭୁଙ୍କ ଜଳଖିଆ ଭୋଗ ବା ଗୋପାଳ ବଲ୍ଳଭ ଭୋଗ ବିଷୟରେ ଜାଣିଲେ। ଏହା ପରେ ଆମେ ସକାଳ ଧୂପ ବିଷୟରେ ଜାଣିବା। ବଲ୍ଳଭ ଭୋଗଟି ପ୍ରଭୁଙ୍କର ଜଳଖିଆ ହୋଇଥିବାରୁ, ଠିକ ତା ପରେ ପରେ ଗୋଟିଏ ଧୂପ ଅନୁଷ୍ଠିତ ହୋଇଥାଏ। ଦୈନିକ ମହାପ୍ରଭୁଙ୍କ ତିନି ଧୂପ ମଧ୍ୟରୁ ଏହି ସକାଳ ଧୂପଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ଏହାର ନିର୍ଦ୍ଧାରିତ ସମୟ ହେଉଛି ସକାଳ ୧୦ ଘଣ୍ଟା। ଏହି ଧୂପରେ ପ୍ରସ୍ତୁତ ହୁଏ କୋଠ ଭୋଗ ବା ରାଜ ଭୋଗ। ଏହି କୋଠଭୋଗ ପ୍ରସ୍ତୁତି ପାଇଁ ଲୋଡ଼ା ପଡୁଥିବା ସମସ୍ତ ଦ୍ରବ୍ୟ ଯଥା -ଚାଉଳ, ଗହମ, ଘିଅ, ଚିନି, ପନିପରିବା, କାଠ ତଥା କୁଡୁଆ ଇତ୍ୟାଦି ମନ୍ଦିର ପ୍ରଶାସନ ଯୋଗାଇ ଦିଅନ୍ତି। କୋଠ ଭୋଗ ସୁପକାରମାନେ ପ୍ରସ୍ତୁତ କରିଥାନ୍ତି। ଏହି ଧୂପରେ ଶ୍ରୀଜୀଉମାନଙ୍କ ପାଇଁ ପ୍ରସ୍ତୁତ ହୁଏ କlନିକା, ତlଟ ଖେଚୁଡି, ଲୁଖୁରା ଖେଚୁଡ଼ି,ଶାଗ, କାଞ୍ଜି ଦେଶୀ ଆଳୁ କଦଳୀ ଭଜା, ଅଦା ପାଚେଡ଼ି, ବୁନ୍ଦିଆ ପିଠା ମଧ୍ୟରେ ଏଣ୍ଡୁରି, ମାଠପୁଳି, ଝିଲି ପିଠାପୁଳି, ହଂସକେଳି,ମେଣ୍ଢାମୁଣ୍ଡିଆ, ବଡ଼କାନ୍ତି, ସାନକାନ୍ତି ଇତ୍ୟାଦି। ଏହି ସକାଳ ଧୂପ ନୀତି ସହିତ ସମ୍ପର୍କ ସେବକମାନେ ହେଲେ, ପୂଜାପଣ୍ଡା, ସୁଆରବଡୁ,ପ୍ରତିହାରୀ, ପାଣିଆପଟ, ପ୍ରଧାନୀ, ପାଳିଆ ମହାସୁଆର, ପନ୍ତିବଡୁ, ପତ୍ରୀବଡୁ, ଗରାବଡୁ, ମୁଦୁଲି, ରୋଷ ପାଇକ, ଚାଙ୍ଗଡ଼ାମେକାପ, ଚନ୍ଦନ ଘଟୁଆରୀ, ପାଳିଆ ମେକାପ, ପାଳିଆ ଖୁଣ୍ଟିଆ, ହଡପ ନାଏକ, ବିଡ଼ିଆ ଯୋଗାଣିଆ, ଗୋଛିକାର, ଘଣ୍ଟୁଆ, ବଜନ୍ତ୍ରୀ ଇତ୍ୟାଦି ଆଗାମୀ ଅଧ୍ୟାୟରେ ଜାଣିବା ସକାଳ ଧୂପର ସମ୍ପୂର୍ଣ ପୂଜା ପଦ୍ଧତି, ଏବେ କରିବା ଆରାଧନା ଓ ଭାଗବତ ପଠନ ।

ଭାବ ଅଭାବ ଏକ କରି
ସାଧିବ ମୁନି ଦଣ୍ଡଧାରୀ ।
ଯେ ମୁନି ନିତ୍ୟେ ଦଣ୍ଡ ଧରେ
ସେ ଭଲ ମନ୍ଦ ନ ବିଚାରେ ।
କର୍ମ କରିବ ଇଚ୍ଛା ମତେ
ଲୀଳାରେ ଈଶ୍ୱର ଯେମନ୍ତେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.