Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୈନିକ ପୂଜା ବିଧିର ସମ୍ପୂର୍ଣ ତଥ୍ୟ ଜାଣିବା ଅବସରରେ ଆମେ ଜାଣିଲେ ନିତ୍ୟ -ବିଧି ଗୋଟିଏ ସାଧାରଣ ଦିବସ ପାଇଁ ଯାହା ଗୋଟିଏ ବିଶେଷ ଦିବସ ପାଇଁ ତାହା ନୁହେଁ। ସେହିଭଳି ପର୍ବ ପର୍ବାଣୀ ଦିନମାନଙ୍କରେ ରୀତିନୀତି ମଧ୍ଯ ନିଆରା ହୋଇଥାଏ । ପ୍ରଥମେ ଜାଣିବା ବିଶେଷ ବା ସାମୟିକ ନୀତି ଶ୍ରୀମନ୍ଦିରରେ ପରମ୍ପରା ଅନୁସାରେ ବାର, ତିଥି ଓ ଅଶୌଚ ଜନିତ ବିଶେଷ ନୀତି ପାଳିତ ହୋଇଥାଏ।
ଶ୍ରୀମନ୍ଦିର ସତ୍ୱଲିପିର ଦ୍ଵିତୀୟ ଭାଗରେ ଏହି ସବୁ ନୀତିର ବିବରଣୀ (ସମ୍ପୂର୍ଣ ତାଲିକା ସହ ପାଳନ ବିଧି ) ଲିପିବଦ୍ଧ ହୋଇଛି । ଦୈନିକ ନୀତି କୁ ନିତ୍ୟ -ବିଧି ଓ ବିଶେଷ ନୀତିକୁ ନୈମିତିକ -ବିଧି ଭାବରେ ମଧ୍ଯ ବିବେଚନା କରାଯାଇଛି। ଏହି ବିଶେଷ ନୀତି ମଧ୍ୟରେ ସବୁ ଗୁରୁବାର ଦିନ ପାଳିତ ହେଉଥିବା ମାଜଣା ଓ ଏକାନ୍ତ ନୀତି ଅନ୍ୟତମ । ସାଧାରଣତଃ ପ୍ରତ୍ୟେକ ଗୁରୁବାର ଦିନ ସକାଳ ଧୂପ ପରେ ମାଜଣା ନୀତି ହେବାର ନିୟମ ଅଛି, ଏଥିପାଇଁ ମlଜଣା ମଣ୍ଡପ ଧୁଆ ଯାଇ, ସେଠି ମଣ୍ଡଣି ଚାନ୍ଦୁଆ ବନ୍ଧାଯାଏ। ଠିକ ସକାଳ ଧୂପ ପରେ ମହାଜନମାନେ ରତ୍ନ ସିଂହାସନରୁ ଶ୍ରୀଦେବୀ ଓ ଭୁଦେବୀ ତଥା ଦକ୍ଷିଣ ଘରୁ ମଦନମୋହନଙ୍କୁ ଆଣି ମlଜଣା ମଣ୍ଡପରେ ବିଜେ କରାନ୍ତି । ସୁଧ ସୁଆର ମାଜଣା ଜିନିଷ ମାନ ଯୋଗାଇ ଦିଅନ୍ତି । ମହାଜନମାନେ ଶ୍ରୀଦେବୀ, ଭୁଦେବୀ ଓ ମଦନମୋହନଙ୍କୁ ମlଜଣା କରି ଏକ ଖଟ ଉପରେ ବିଜେ କରାନ୍ତି। ତାହା ପରେ ଭିତରଛ ମହାପାତ୍ର ଚନ୍ଦନ ଲାଗି କରାନ୍ତି। ଆସ୍ଥାନ ପଢ଼ିଆରୀ ଓ ସୁଧସୁଆର ଏହି ମଣ୍ଡପରେ ପୂଜା ଠା କରାନ୍ତି। ପରେ ପୂଜାପଣ୍ଡା ଆସି ଦେବାଦେବୀଙ୍କୁ ଦହି ଓ କୋରା ଭୋଗ କରନ୍ତି। ଏହି ଭୋଗ ପୂଜା ପରେ ଭିତରଛ ମହାପାତ୍ର ଆଳତି କରନ୍ତି ଓ ଅରୁଆ ଚାଉଳ ତଥା ଅକ୍ଷତ ଦ୍ୱାରା ବନ୍ଦାପନା କରନ୍ତି ଦ୍ବିପହର ଧୂପ ଛେକ ଆସିବା ପରେ ଶ୍ରୀଦେବୀ ଓ ଭୁଦେବୀ ରତ୍ନ ସିଂହାସନକୁ ଓ ମଦନମୋହନ ଦକ୍ଷିଣ ଗୃହକୁ ବାହୁଡା଼ ବିଜେ କରନ୍ତି । ଏହା ହିଁ ପ୍ରତ୍ୟେକ ଗୁରୁବାର ପାଳିତ ହେଉଥିବା ମlଜଣା ବିଧି। ଆଗାମୀ ଅଧ୍ୟାୟରେ ଜାଣିବା ଏକାନ୍ତ ବିଧି ସମ୍ପର୍କରେ, ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନର ।

କେ ଜାଣିପାରେ ମୋ ଅନ୍ତର
ଗଭୀର ଯେସନେ ସାଗର ।
ବରଷା ସମୟରେ ନଦୀ
ସମୂହେ ବହନ୍ତି ଆଚ୍ଛାଦି ।
ସେ ଯେହ୍ନେ ମିଳନ୍ତେ ଜଳଧି
ତେଣେ ସେ ନୁହଁଇ ନା ବୃଦ୍ଧି ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.