ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ ନୈମିତିକ -ବିଧି ଆଲୋଚନା ପ୍ରସଙ୍ଗରେ ଆମର ବିଷୟ ଥିଲା ନକ୍ଷତ୍ର ବନ୍ଦାପନା, ଏହି ନୀତି ପାଇଁ ମଦନ ମୋହନଙ୍କୁ ଦକ୍ଷିଣ ଘରୁ ଆଣି ମହାପ୍ରଭୁଙ୍କ ଆଜ୍ଞାମାଳ ପୂଜାପଣ୍ଡା ଦେବା ପରେ, ମହାଜନମାନେ ମୁକ୍ତି ମଣ୍ଡପ ତଳେ ରହିଥିବା ପାଲିଙ୍କିରେ ବିଜେ କରାନ୍ତି। ତାପରେ ଛତା, ଘଣ୍ଟ ବାଦ୍ୟ ସହ ବିମାନବଡୁ ମାନେ ପାଲିଙ୍କି କାନ୍ଧେଇ ବେଢା ପରିକ୍ରମା କରାନ୍ତି। ବେଢା ପରେ ପୁଣି ମଦନ ମୋହନଙ୍କୁ ଜୟ ବିଜୟ ଦ୍ୱାରକୁ ବିଜେ କରାନ୍ତି। ପ୍ରତିହାରୀ ଭିତର ପଟୁ ବନ୍ଦ କରିଦିଅନ୍ତି। ଜୟ ବିଜୟ ଦ୍ୱାର ବାହାରେ ପଡ଼ିଥିବା ଆସନରେ ମଦନମୋହନ ବିଜେ କରନ୍ତି। ଏହିଠାରେ ପୂଜାପଣ୍ଡା କୋରା ଭୋଗ ସର୍ପ ମଣୋହି କରି ପୂଜା କରନ୍ତି। ପରେ ପରେ ବନ୍ଦାପନା, କର୍ପୁର ଆଳତି, ବତୀ ଆଳତି ହୋଇଥାଏ ଓ ଜୟ ବିଜୟ ଦ୍ୱାର ଫିଟେ। ବିଶେଷ ବନ୍ଦାପନା କାର୍ଯ୍ୟ ସରିବା ପରେ ମଦନମୋହନ ପୁଣି ଦକ୍ଷିଣ ଘରକୁ ଫେରି ଯାଆନ୍ତି ।
ଯଦି ନକ୍ଷତ୍ର ବନ୍ଦାପନା ଦିନ ଏକାଦଶୀ ଅବା ବାହାର ବିଜେ ନୀତିଥାଏ ତେବେ ମଦନ ମୋହନଙ୍କ ବେଢା ବୁଲା ବନ୍ଦ ରହିଥାଏ। କେବଳ ଦିଅଁ ଜୟ ବିଜୟ ଦ୍ୱାର ପାଖରେ ବନ୍ଦାପନା ନୀତି ସlରି ପୁଣି ଦକ୍ଷିଣ ଘରକୁ ଫେରନ୍ତି। ଏହି ନକ୍ଷତ୍ର ବନ୍ଦାପନା ଅଣସର ଓ ରଥ ଉପରେ ହୁଏ ନାହିଁ। ଶ୍ରୀଗୁଣ୍ଡିଚା ଘରେ ମଧ୍ଯ ଏହା ପାଳିତ ହୁଏନି। ଏବେ ଆସନ୍ତୁ ଜାଣିବା ଏହି ନୀତିକୁ କେଉଁ ସେବକମାନେ ନିଷ୍ଠାର ସହ କରିଥାନ୍ତି । ସେମାନେ ହେଲେ ଜ୍ୟୋତିଷ, ମୂଦିରସ୍ତ, ପତି ମହାପାତ୍ର, ପୂଜାପଣ୍ଡା, ଆସ୍ଥାନ ପଢ଼ିଆରୀ,କାହାଳିଆ, ଛତlର, ଘଣ୍ଟୁଆ, ଖଟଶେଜ ମେକାପ, ମହାଜନ, ବିମାନବଡୁ ଇତ୍ୟାଦି। ଆଗାମୀ ଅଧ୍ୟାୟରେ ଆଲୋଚନା କରିବା ଏକାଦଶୀ ନୀତି କଥା। ଏବେ କରିବା ଆରାଧନା ଓ ଭାଗବତ ପଠନ ।
ପୁରୁଷ ପ୍ରକୃତି ମହତ
ଅହଂକାର ନଭ ମରୁତ ।
ତେଜ ସହିତେ ଆପ କ୍ଷିତି
ଏ ନବ ତତ୍ତ୍ୱର ଗଣତି ।
ଚକ୍ଷୁ ନାସିକା ଚର୍ମ କର୍ଣ୍ଣ
ଜିହ୍ୱା ଇନ୍ଦ୍ରିୟ ପଞ୍ଚ ଜ୍ଞାନ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.