Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଛପନ ଭୋଗର ତାଲିକା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଛପନ ଭୋଗ ବିଷୟରେ ଆଲୋଚନା ଜାରି ରହିଛି। ଅନ୍ୟତମ ପ୍ରlବନ୍ଧିକ ଓ ଗବେଷକ ସୂର୍ଯ୍ୟନାରାୟଣ ଦାଶ ତାଙ୍କ ଲିଖିତ ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ (ପ୍ରଥମ ସ୍ତବକ )ରେ ପ୍ରକାଶିତ “ଶ୍ରୀଜଗନ୍ନାଥ ଙ୍କ ଦୈନିକ ନୀତି ଓ ଛପନ ଭୋଗ ” ପ୍ରବନ୍ଧରେ ଅତ୍ୟନ୍ତ ପ୍ରାଞ୍ଜଳ ଭାବେ ଛପନ ଭୋଗର ତାଲିକା ପ୍ରଦାନ କରିଛନ୍ତି। ଶ୍ରୀ ଦାଶଙ୍କ ମତରେ ପ୍ରକୁତରେ ଭୋଗର ସଂଖ୍ୟା ୫୬ ଅଟେ । କିନ୍ତୁ ମୋଟା, ପତଳା ସରୁ ବଡ଼, ସାନ ଇତ୍ୟାଦି ଆକାର ପ୍ରକାର ଭେଦରେ ଏହି ସଂଖ୍ୟା ଅନେକ ବେଶୀ ଯଥା ଆରିସା -(ସାନ, ବଡ଼, ପାଗ ଇତ୍ୟାଦି। ଏଣ୍ଡୁରି -(ନକ୍ଷତ୍ର ଏଣ୍ଡୁରି, ମୁଆଁଏଣ୍ଡୁରି କାକରା -(ସରୁ, ବଡ଼, ସାନ ଇତ୍ୟାଦି। କୋରା -(ବଲ୍ଳଭ କୋରା, ଶ୍ରୀହସ୍ତ କୋରା ଇତ୍ୟାଦି )ସେହିପରି ପ୍ରିୟ ଖଜା -(ଅରଖଫୁଲିଆ, କୁରୁଜାତକ, ପାରିଜାତକ, ମେଣ୍ଢାସିଂଘିଆ, ଇତ୍ୟାଦି । କ୍ଷୀରି -(ସେବତୀ କ୍ଷୀରି,ବୁନ୍ଦିଆକ୍ଷୀରି ଝିଲି -(କାକତୁଆ, ବଡଝିଲି, ସାନଝିଲି, ସେବତୀ ଝିଲି ଇତ୍ୟାଦି ) ଏହିପରି ପ୍ରତ୍ୟେକ ଭୋଗ ପଦାର୍ଥର ପ୍ରକାର ଓ ଆକାର ଭେଦ ରହିଛି।

ଆଉ ଜଣେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଆମ ସମୟର ପୀତବାସ ରାଉତରାୟଙ୍କ ଦ୍ୱାରା ସଂଗୃହିତ ୫୬ ପ୍ରକାର ଭୋଗ ପଦାର୍ଥର ତାଲିକା ମଧ୍ଯ ସମ୍ପୂର୍ଣ୍ଣ ଭିନ୍ନ। ସେ ଛପନ ଭୋଗରେ ମୁଖ୍ୟତଃ ଶଙ୍ଖୁଡି ଭୋଗକୁ ପ୍ରାଧାନ୍ୟ ଦେଇଛନ୍ତି। ଏଥିରେ ପିଠା ପଣା ଆଦି ସାମିଲ ହୋଇଥିଲେ ମଧ୍ଯ ମୁଖ୍ୟତଃ ବିଭିନ୍ନ ଅନ୍ନ ଯଥା ଘିଅ ଅନ୍ନ, ସାଦା ଅନ୍ନ, ହଳଦୀ ଖେଚୁଡ଼ି, ଅଦାହେଙ୍ଗୁ ଖେଚୁଡ଼ି, କନିକା, ମିଠାଡାଲି, ଡାଲମା, ଗୋଟା ମୁଗ ଡାଲି, ବିରି ଡାଲି, ଫାଳ ମୁଗ ଡାଲି ମହୁର, ବେସର, ଶାଗ, ମଧୁରୁଚି, ମରିଚିପାଣି, ଦହି ପଖାଳ, ମିଠା ପଖାଳ, ନବଗ୍ରହ ଖେଚୁଡ଼ି, ସହ ବିଭିନ୍ନ ପିଠା ଓ କ୍ଷୀରି ସାମିଲ ହୋଇଛି। କିନ୍ତୁ ଶ୍ରୀଜଗନ୍ନାଥଙ୍କ କଥା ପ୍ରବଚକ ତଥା ଗବେଷକ ଶ୍ରୀଯୁକ୍ତ ସଦାଶିବ ରଥଶର୍ମା ଅତି ସୁନ୍ଦର ଭାବେ ଛପନ ଭୋଗର ତାଲିକା ପ୍ରସ୍ତୁତ କରିଛନ୍ତି। ଯାହାଜୁ ସେ” ଛପନ ପଉଟି ଭୋଗ “ଭାବେ ଅଭିହିତ ମଧ୍ଯ କରିଛନ୍ତି। କିନ୍ତୁ ଏହି ତାଲିକାର ଏକ ବିଶେଷତ୍ୱ ହେଲା ଶ୍ରୀ ରଥଶର୍ମା ପ୍ରଭୁଙ୍କର ପାଞ୍ଚଗୋଟି ଭୋଗ ସମୟର ଭୋଗ ସାମଗ୍ରୀକୁ ଏଭଳି ବାଣ୍ଟି ଦେଇଛନ୍ତି ଯେ ଯାହାର ସଂଖ୍ୟା ଛପନ ହେଉଛି। ଅବଶ୍ୟ ବର୍ତ୍ତମାନ ପ୍ରଦତ ତାଲିକାର କିଛି ଭୋଗ ପ୍ରସ୍ତୁତ ହେଉନାହିଁ। ଆଗାମୀ ଅଧ୍ୟାୟରେ ଶ୍ରୀ ରଥଶର୍ମାଙ୍କ ପ୍ରସ୍ତୁତ ସମ୍ପୂର୍ଣ୍ଣ ତାଲିକା ଅନୁଧ୍ୟାନ କରିବା। କିନ୍ତୁ ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ।

ଭିକ୍ଷୁକ ବନ୍ଧୁ ଗୃହୀ ଜନ
ଅଜ୍ଞର ବନ୍ଧୁ ସୁଜ୍ଞ ଜନ ।
ସ୍ତ୍ରୀର ବନ୍ଧୁ ସ୍ୱାମୀ ନିଜ
ପ୍ରଜlର ବନ୍ଧୁ ମହାରାଜ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.