ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରପାଣକ ବା ପଣା ଭୋଗ ବିଷୟରେ ଆଲୋଚନା କରି ଆମେ ଜାଣିଲେ ଯେ ମହାପ୍ରଭୁଙ୍କୁ ରଥ ଉପରେ ପ୍ରଦାନ କରାଯାଉଥିବା ପଣା ଭୋଗ ହିଁ ଅଧର ପଣା ଭାବରେ ବିଖ୍ୟାତ ହୋଇଛି। ପ୍ରାଚୀନ ହୁକୁମୁନାମା ଅନୁଯାୟୀ ପୂର୍ବରୁ ବାହୁଡା଼ ଦଶମୀ ଦିନ ତିନି ହାଣ୍ଡି, ଏକାଦଶୀ ତିଥିରେ ତିନି ହାଣ୍ଡି ଓ ଦ୍ୱାଦଶୀ ଦିନ ତିନି ହାଣ୍ଡି, ଏହିପରି ସର୍ବମୋଟ ନଅ ହାଣ୍ଡି ପଣା ସମେତ ତlଳଧ୍ଵଜ ରଥରେ ବିଜେ ରାମ କୃଷ୍ଣଙ୍କୁ ଓ ନନ୍ଦିଘୋଷରେ ବିଜେ ମଦନ ମୋହନଙ୍କୁ ଗୋଟିଏ ଲେଖାଏଁ ସାନ ହାଣ୍ଡି ପଣା ଭୋଗ ହୋଇଥାଏ। ବୋଧହୁଏ ଏହି ପଣା ଭୋଗ ପୂର୍ବେ ବଡ଼ ଓଡ଼ିଆ ମଠ ପ୍ରସ୍ତୁତ କରୁଥିଲା। କାରଣ ଏହି ହୁକୁମୁନାମାଟି ସେହି ମଠରୁ ହିଁ ପ୍ରାପ୍ତ ହୋଇଛି। କିନ୍ତୁ ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ “ଏ ଅଧର ପଣା ଦଶମୀ ଦିନ ରଥ ସିଂହଦ୍ୱାରସ୍ଥ ହେଲେ ବଢିବା କଥା କିନ୍ତୁ ସମୟ ଅଭାବରୁ ଏକାଦଶୀ ଦିନ ଅନୁଷ୍ଠିତ ହେଉଛି “ସମ୍ପ୍ରତି ପୁଣି ଏଥିରେ ପରିବର୍ତ୍ତନ ହୋଇ ଦ୍ୱାଦଶୀ ଦିନ ଅନୁଷ୍ଠିତ ହୋଇଆସୁଛି। ପରମ୍ପରା ଅନୁଯାୟୀ ଏବେ ଅଧର ପଣା ନିମନ୍ତେ ରାଘବ ଦାସ ମଠ, ବଡ଼ ଓଡ଼ିଆ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପ୍ରତ୍ୟେକ ତିନି ହାଣ୍ଡି ଲେଖାଏଁ ସମୁଦାୟ ନଅ ହାଣ୍ଡି ପଣା ଭୋଗ ହେଉଛି. ସେହିପରି ରାମକୃଷ୍ଣ ଓ ମଦନ ମୋହନଙ୍କୁ ଗୋଟିଏ ଲେଖାଁ ବଡ଼ମଠ ହାଣ୍ଡି ପଣା ଭୋଗ ହେଉଛି। ଏହି ପଣା ଭୋଗ ସ୍ୱତନ୍ତ୍ର ଅଧର ହାଣ୍ଡିରେ ପ୍ରସ୍ତୁତ ହୋଇଥାଏ। ମହାପ୍ରଭୁମାନଙ୍କ ଅଧର ଉଞ୍ଚା ସଦୃଶ ତୁମ୍ବ ଆକାରର ହାଣ୍ଡି ଗୁଡିକୁ ହିଁ ଅଧର ହାଣ୍ଡି କୁହାଯାଇଥାଏ। ଏହାର ସ୍ୱତନ୍ତ୍ର ମାପ ମଧ୍ଯ ରହିଛି ଯଥା ଶ୍ରୀଜଗନ୍ନାଥଙ୍କ ଅଧର ହାଣ୍ଡିର ଉଚ୍ଚତା ୫ ଫୁଟ, ଶ୍ରୀବଳଭଦ୍ର ଙ୍କାର ୪ ଫୁଟ ୬ ଇଞ୍ଚ ଓ ଦେବୀ ସୁଭଦ୍ରାଙ୍କର ୪ ଫୁଟ । ପ୍ରତ୍ୟେକ ହାଣ୍ଡିର ମୁହଁ ବା ଫାନ୍ଦ ୧୫ ଇଞ୍ଚ ହୋଇଥାଏ। ଏହି ଅଧର ହାଣ୍ଡିରେ ପ୍ରସ୍ତୁତ ପଣାକୁ ରଥ ଉପରେ ସମର୍ପଣ କରି, ସେହି ଅଧର ହାଣ୍ଡିକୁ ଭାଙ୍ଗି ଦିଆଯାଏ ଓ ଏହି ପଣା ଭୋଗ ପାର୍ଶ୍ଵ ଦେବା ଦେବୀ, ଯକ୍ଷ,କିନ୍ନର, ଚଣ୍ଡୀ ଚାମୁଣ୍ଡାମାନଙ୍କୁ ପ୍ରାପ୍ତ ହୋଇଥାଏ । କେତେକ ତତ୍ତ୍ୱବିତଙ୍କ ମତରେ ରଥସ୍ଥ ପାର୍ଶ୍ଵ ଦେବା ଦେବୀ, ଋଷି, ଗନ୍ଧର୍ବ ଓ ଅଗଣିତ ଅଶରୀରି ଆତ୍ମା ଏହି ଅଧର ପଣା ପାଇଥାନ୍ତି। ଶାକ୍ତମାନଙ୍କ ମତରେ ଏହା ମହା ପଞ୍ଚତନ୍ତ୍ର ବିଧି ଅଟେ। କିନ୍ତୁ ସର୍ବସାଧାରଣଙ୍କ ମତରେ ବା ପ୍ରଚଳିତ ଲୋକ ବିଶ୍ୱାସ ଅନୁଯାୟୀ ଆଶାୟୀ ଚଣ୍ଡୀ ଚମଣ୍ଡା ଓ ଅଶରୀରିମାନଙ୍କ ତୃଷା ନିବାରଣ ପାଇଁ ଏହା ରଥ ଉପରେ ହିଁ ଭାଙ୍ଗି ଦିଆଯାଏ। ସେଥିପାଇଁ ସାଧାରଣ ମଣିଷ ଏହି ପଣା ଗ୍ରହଣ କରିବାର ବିଧି ନାହଁ। ବର୍ଷର ଅନ୍ୟ ଦିନମାନଙ୍କରେ ଅର୍ପିତ ପଣା ସାଧାରଣ ମଣିଷ ସେବନ କରୁଥିବା ସମୟରେ, ଅଧର ପଣାକୁହ ସେବନ କରିବାର ବିଧି ନାହିଁ। ଆଗାମୀ ଅଧ୍ୟାୟରେ ଜାଣିବା ଏହି ପଣାର ପ୍ରସ୍ତୁତ ପ୍ରଣାଳୀ ଓ ଅନ୍ୟାନ୍ୟ ରୀତିନୀତି, ଆଜି କିନ୍ତୁ କରିବା ଆରାଧନା ଓ ଭାଗବତ ପଠନ ।
କୁମାର କାଳୁ ଭକ୍ତି କରେ
ଶରୀର ଅନିତ୍ୟ ବିଚାରେ ।
ମନୁଷ୍ୟ ଶରୀର ଦୁର୍ଲ୍ଲଭ
ଏଣୁ ଗୋବିନ୍ଦେ କର ଭାବ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.