ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ନୀତି ଭିତରେ ଗୋଟିଏ ବିଶେଷ ନୀତି ହେଲା ‘ଅବକାଶ ନୀତି’ । ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଏହି ଅବକାଶ ନୀତିଟି ଶ୍ରୀଜୀଉମାନଙ୍କ ମାନବୀୟ ଲୀଳାର ମୂଖ୍ୟ ଅଂଶ ଅଟେ। କାରଣ ଦ୍ୱାରଫିଟା, ମଙ୍ଗଳ ଆଳତି, ମଇଲମ ଓ ତଡପ ଲାଗି ଏପରି ସେବା ଯାହାକୁ ଆମେ ପ୍ରତ୍ୟକ୍ଷ ଭାବେ ମାନବୀୟ ଲୀଳା କହିପାରିବlନି। କିନ୍ତୁ ଅବକାଶ ନୀତି ଯାହାକି ଶ୍ରୀବିଗ୍ରହମାନଙ୍କ ମୁଖ ଧୌତ ଦନ୍ତମାର୍ଜନ ଓ ସ୍ନାନ ବିଧିର ସମାହାର, ତାହା ନିଶ୍ଚିତ ରୂପେ ମନ୍ୟୁଷ କରୁଥିବା ନିତ୍ୟକ୍ରମ ସହ ସମାନ। ମଇଲମ ଓ ତଡପ ଲାଗି ପରେ ପରେ ରତ୍ନସିଂହାସନର ସମ୍ମୁଖରେ ଥିବା ପୋଖରୀଆକୁ ଭଲ ଭାବରେ ଜଳ ଦ୍ୱାରା ନିର୍ମଳ କରାଯାଇ ସେଠାରେ ଅବକାଶ ନୀତି ପାଇଁ ଉଦିଷ୍ଟ ସମସ୍ତ ଦ୍ରବ୍ୟ ନିୟମ ପ୍ରକାରେ ରଖାଯିବ। ପ୍ରଥମେ ମୁଖ ଧୌତ କର୍ମ ପାଇଁ ଶୁଦ୍ଧ ଜଳ ରଖାଯିବ, ତତ୍ପରେ ଦନ୍ତମାର୍ଜନ ପାଇଁ ଦାନ୍ତକାଠି ରହିବ ଏହି ଦାନ୍ତକାଠି ମୁଖ୍ୟତଃ ମୁତୁରି, କିଆ ଅବା ବଉଳ ଦାନ୍ତକାଠି ଆବଶ୍ୟକ। ସବୁଠାରୁ ପ୍ରିୟ ହେଉଛି ମୁତୁରି ବା ମୁତରା ଦାନ୍ତକାଠି। ଏହା ସହିତ ସୁନା ନହେଲେ ରୁପା ନିର୍ମିତ୍ତ ଜିଭ ଛେଲା। ପୁନଶ୍ଚ ସ୍ନାନ ନିମିତ୍ତ ସଂସ୍କାରିତ ଜଳ। ତିନୋଟି କର୍ମ ପାଇଁ ମୂଖ୍ୟ ଉପାଦାନ ଗୁଡିକ ସହ ଅନ୍ୟାନ୍ୟ ଅନେକ ଦ୍ରବ୍ୟ ଆବଶ୍ୟକ । ଯଥା :-ସୁବାସିତ ପୁଷ୍ପ (ମଲ୍ଲୀ, ଜୁଇ, ମାଳତୀ, କୁନ୍ଦ, ସୁଗନ୍ଧରାଜ ଇତ୍ୟାଦି ପୁଷ୍ପ ସହ ତୁଳସୀ, ଦୟଣା, ମରୁଆ ଇତ୍ୟାଦି ଅତି ଆବଶ୍ୟକ ସୁଗନ୍ଧ ପଦାର୍ଥ। କର୍ପୁର, ଚନ୍ଦନ, ଅଁଳାଗୁଣ୍ଡ, ଦହି, ତିନୋଟି ଖଟୁଳି, ତିନି ଗରା ଜଳ, ତିନୋଟି ପିତ୍ତଳ ଦର୍ପଣ, ତିନୋଟି ପିଙ୍ଗଣ (ବୃହତ ରୁପା ଓ ପିତଳ ପାତ୍ର ), ମହୁ, ଘିଅ, କ୍ଷୀର, ଗୁଡ଼, ଗୁଣ୍ଡ ଗୁଆ, ଖଟୁଳି ଉପରେ ପଡିବା ପାଇଁ ତିନୋଟି କପଡା। ପୂଜକ ବସିବା ପାଇଁ ପିଢା, ତିନୋଟି ଗଡୁ ଓ ଢାଳ, ପିତଳ ବଟା କିମ୍ବା ଥାଳି ଇତ୍ୟାଦି ଆବଶକୀୟ ପଦାର୍ଥ ସଂଗ୍ରହ କରି ରଖାଯିବ। ଆଗାମୀ ଅଧ୍ୟାୟରେ ସମ୍ପୂର୍ଣ୍ଣ ଅବକାଶ ନୀତି କ୍ରମ ଅନୁସାରେ ଆଲୋଚନା କରିବା । ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ।
ପିତାର ମନ ଜାଣି କରେ
ଉତ୍ତମ ପୁତ୍ର ସେ ବେଭାରେ ।
ଶ୍ରଦ୍ଧାରେ ଆଜ୍ଞା ଯେ ପାଳଇ
ମଧ୍ୟମ ପୁତ୍ର ସେ ବୋଲାଇ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.