ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ପାଳିତ ହେଉଥିବା ଗୋଟିଏ ବର୍ଷ ଭିତରେ ପଡୁଥିବା ପର୍ବପର୍ବାଣୀ ବିଷୟରେ ଆମେ ମାସ ହିସାବରେ ଆଲୋଚନା କରୁଛେ। ପ୍ରଭୁଙ୍କର ଘୋଷଯାତ୍ରା ଅନୁଷ୍ଠିତ ହେଉଥିବା ଆଷାଢ଼ ମାସ ପରେ ଏବେ ଜାଣିବା ଶ୍ରାବଣ ମାସରେ ପାଳିତ ହେଉଥିବା ପର୍ବ ପର୍ବାଣୀ ବିଷୟରେ।
ଚିତାଲାଗି ଅମାବାସ୍ୟା :- ଶ୍ରାବଣ
ମାସ ଅମାବାସ୍ୟାରେ ଏହି ନୀତି ପାଳିତ ହୋଇଥାଏ। ରଥଯାତ୍ରା ସମୟରେ ଶ୍ରୀଜୀଉମାନଙ୍କ ରତ୍ନ ଚିତା କାଢି ନିଆଯାଇଥାଏ।।ତାହା ପୁନର୍ବାର ଏହି ଦିନ ଲାଗି ହୁଏ।
ବାଡ଼ି ନୃସିଂହ ବିଜେ :- ଶ୍ରାବଣ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଏହି ନୀତି ଶ୍ରୀମନ୍ଦିର ପରମ୍ପରା ଅନୁସାରେ ପାଳିତ ହୋଇଥାଏ। କୁହାଯାଏ ରଥଯାତ୍ରା ସମୟରେ ଅନେକ ଯାତ୍ରୀ ସମାଗମ ଯୋଗୁ ଓ ଶ୍ରାବଣ ମାସରେ ବର୍ଷାରେ ବାଡ଼ି ବା ହଇଜା ରୋଗ ବ୍ୟାପିବାର ସମ୍ଭାବନା ଥିବାରୁ, ତାର ପ୍ରତିକାର ସ୍ୱରୂପ ବାଡ଼ି ନୃସିଂହ ବିଜେ ନୀତି ପାଳିତ ହୁଏ।
ଝୁଲଣ ଯାତ୍ରା :- ଶ୍ରାବଣ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଏହା ଆରମ୍ଭ ହୋଇ ଭାଦ୍ରବ ମାସ ପ୍ରତିପଦା ପର୍ଯ୍ୟନ୍ତ ସାତ ଦିନ ବ୍ୟାପି ଅନୁଷ୍ଠିତ ହୋଇଥାଏ। ଯଦି ମଝିରେ ତିଥି କ୍ଷୟ ହେଉଥାଏ ତେବେ ଦଶମୀ ପରିବର୍ତ୍ତେ ନବମୀ ତିଥିରୁ ଝୁଲଣ ଆରମ୍ଭ ହୋଇଥାଏ। ଶ୍ରୀମନ୍ଦିର ବ୍ୟତୀତ ସମସ୍ତ ମଠରେ ଏହି ଝୁଲଣ ଯାତ୍ରା ଖୁବ ଆଡମ୍ବରରେ ପାଳିତ ହୋଇଥାଏ। ବ୍ୟକ୍ତିଗତ ଭାବରେ କିଛି ଶ୍ରଦ୍ଧାଳୁ ମଧ୍ୟ ନିଜ ନିଜ ଗୃହରେ ଏହା ପାଳନ କରନ୍ତି। ତେଣୁ ଏହି ସାତ ଦିନ ଶ୍ରୀକ୍ଷେତ୍ର ଉତ୍ସବ ମୁଖରିତ ରହେ।
ବଳଭଦ୍ର ଜନ୍ମ ଓ ରାକ୍ଷୀ ଲାଗି :- ଶ୍ରାବଣ ମାସ ପୂର୍ଣ୍ଣିମା ତିଥିରେ ଏହା ପାଳିତ ହୋଇଥାଏ। ଏହା ଏକ ଗଣ ପର୍ବ ଭାବରେ ଭାରତୀୟଙ୍କ ମଧ୍ୟରେ ପରିଚିତ ଅଟେ। ଏହାର ଅନ୍ୟ ନାମ ରାକ୍ଷୀ ପୂର୍ଣ୍ଣିମା ଓ ଗହ୍ମl ପୂର୍ଣ୍ଣିମା। ବଡ଼ଠାକୁର ବଲଭଦ୍ରଙ୍କ ଏହା ଜନ୍ମ ଦିବସ ଭାବରେ ଶ୍ରୀମନ୍ଦିରରେ ପାଳିତ ହେଉଥିବା ବେଳେ, ଶ୍ରୀଜୀଉମାନଙ୍କୁ ସ୍ୱତନ୍ତ୍ର ରାକ୍ଷୀ ଲାଗି ହୋଇଥାଏ।
ଆଗାମୀ ଅଧ୍ୟାୟରେ ଜାଣିବା ଭାଦ୍ରବ ମାସରେ ପାଳିତ ହେଉଥିବା ପର୍ବ ପର୍ବାଣୀ ବିଷୟରେ। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ ।
ବିବେକ ଶାନ୍ତି କ୍ଷମା ଧୀର
ଏ ଚାରି ପୁରୁଷଙ୍କ ସାର।
ଏହା ହରଇ ଗୃହ ଦ୍ଵନ୍ଦ
ଅଜ୍ଞାନୀ ଜନଙ୍କ ଆନନ୍ଦ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.