Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଚୈତ୍ର ମାସର ପର୍ବପର୍ବାଣୀ (୨)

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ବାର ମାସରେ ହେଉଥିବା ପର୍ବପର୍ବାଣୀ ବିଷୟରେ ଆଲୋଚନା ସରିବା ପରେ ଆଜି ଆମେ ଆଲୋଚନା କରିବା ଚୈତ୍ର ଶୁକ୍ଳ ନବମୀଠାରୁ ବୈଶାଖ କୃଷ୍ଣ ଦ୍ଵିତୀୟା ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ହେଉଥିବା ଶ୍ରୀରାମ ଲୀଳା ବିଷୟରେ ଆଲୋଚନା କରିବା। ଶ୍ରୀମନ୍ଦିର ଭିତରେ କିଛି ଯାନୀଯାତ୍ରା, ପର୍ବପର୍ବାଣୀ ସହ ଦୁଇଟି ଲୀଳା ଅନୁଷ୍ଠିତ ହୋଇଥାଏ । ଗୋଟିଏ ହେଉଛି ଶ୍ରୀକୃଷ୍ଣ ଲୀଳା ଓ ଅନ୍ୟଟି ହେଉଛି ଶ୍ରୀରାମ ଲୀଳା। ଯାହା ପର୍ଯ୍ୟାୟ କ୍ରମେ ଏପରି :-

ଯଜ୍ଞରକ୍ଷା :- ଚୈତ୍ର ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ରାମଲୀଳାର ପ୍ରଥମ ଲୀଳା ଯଜ୍ଞ ରକ୍ଷା ଅନୁଷ୍ଠିତ ହୋଇଥାଏ।

ସୀତା ବିବାହ :- ଚୈତ୍ର ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ସୀତା ବିବାହ ଭଳି ଆନନ୍ଦ ପ୍ରଦାୟକ ଲୀଳା ଅନୁଷ୍ଠିତ ହୋଇଥାଏ।

ଶ୍ରୀରାମ ବନବାସ :- ଚୈତ୍ର ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀରାମ ଲୀଳାର ସବୁଠାରୁ ଦୁଃଖ ଦାୟକ ଲୀଳା ଶ୍ରୀରାମ ବନବାସ ପାଳିତ ହୋଇଥାଏ ।

ମାୟା ମୃଗ ପ୍ରସଙ୍ଗ :- ଚୈତ୍ର ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ଏହି ମାୟାବୀ ପ୍ରସଙ୍ଗଟି ଅନୁଷ୍ଠିତ ହୋଇଥାଏ। ଏହା ସହିତ ସୀତା ଚୋରି ମଧ୍ୟ ଲୀଳା ପ୍ରସଙ୍ଗ ରହିଥାଏ।

ଲଙ୍କା ପୋଡି :-ଚୈତ୍ର ମାସ ପୂର୍ଣ୍ଣିମା ତିଥିରେ ଏହି ମାସର ଶେଷ ପ୍ରସଙ୍ଗ ହିସାବରେ ପ୍ରଭୁଭକ୍ତ ହନୁମାନଙ୍କ ଦ୍ୱାରା ସଂଘଟିତ ଲଙ୍କା ପୋଡ଼ି ଲୀଳା ଅନୁଷ୍ଠିତ ହୋଇଥାଏ।

ସେତୁବନ୍ଧ ପ୍ରସଙ୍ଗ :- ବୈଶାଖ ମାସ କୃଷ୍ଣ ପକ୍ଷ ପ୍ରତିପଦ ଦିନ ଏହି ଅଲୌକିକ ପ୍ରସଙ୍ଗଟି ଅନୁଷ୍ଠିତ ହୋଇଥାଏ।

ରାବଣ ବଧ :- ବୈଶାଖ ମାସ କୃଷ୍ଣ ପକ୍ଷ ଦ୍ଵିତୀୟା ଦିନ ପ୍ରଭୁ ଶ୍ରୀରାମଙ୍କ ହସ୍ତରେ ପ୍ରତାପୀ ରାବଣର ବଧ ପ୍ରସଙ୍ଗ ଅନୁଷ୍ଠିତ ହୋଇଥାଏ।

ଏହିଠାରେ ଶ୍ରୀରାମ ଲୀଳାର ସମାପ୍ତି ହୁଏନି, ରହିଯାଏ ଆଉ ଏକ ମହାନ ପ୍ରସଙ୍ଗ, ତାହା ହେଲା ଶ୍ରୀରାମ ଙ୍କ ଅଭିଷେକ ବା ରାମାଭିଷେକ ପ୍ରସଙ୍ଗ ଯାହାପାଇଁ କୌଣସି ପୂର୍ବ ନିର୍ଦ୍ଧାରିତ ତିଥି ନଥାଏ । ଏହା ଯେଉଁ ଦିନ ପୁଷ୍ୟା ନକ୍ଷତ୍ର କର୍କଟ ରାଶିରେ ଚନ୍ଦ୍ର ଥାଇ ମହାପ୍ରଭୁଙ୍କର ତାରା ଶୁଦ୍ଧି ହୋଇଥାଏ ସେହିଦିନ ଶ୍ରୀମନ୍ଦିର ରେ ଧୁମଧାମ ରେ ଶ୍ରୀରାମାଭିଷେକ ପାଳିତ ହୋଇଥାଏ. ଏହାହିଁ ଶ୍ରୀମନ୍ଦିର ପରମ୍ପରାର ବିଶେଷତ୍ୱ ଅଟେ ।

ଏଠାରେ ମାସ ଶେଷ ହୋଇଥିଲେ ମଧ୍ୟ ଆଉ ଏକ ପର୍ବ ବିଷୟରେ ଆଲୋଚନା ନକଲେ ଶ୍ରୀମନ୍ଦିର ପରମ୍ପରା ଅଧୁରା ରହିଯିବ ଯଥା :-

ପଣା ସଂକ୍ରାନ୍ତି :-ବାସ୍ତବିକ ଓଡ଼ିଆ ନବ ବର୍ଷ ର ଆରମ୍ଭ ସହିତ ଏହି ଗୋଟିଏ ବର୍ଷର ରୀତିନୀତି ପୁନଃ ଆରମ୍ଭ ହେବାର ସୂଚନା ମିଳେ. ବୈଶାଖ ମାସ ମେଷ ସଂକ୍ରାନ୍ତି ଅବା ପଣା ସଂକ୍ରାନ୍ତି ର ମହତ୍ୱ ତେଣୁ ପ୍ରତ୍ୟେକ ଓଡ଼ିଆ ଙ୍କ ପାଇଁ ଅତ୍ୟନ୍ତ ଅଧିକ ହୋଇଥାଏ. ସୂର୍ଯ୍ୟଙ୍କ ରୌଦ୍ର ତାପ ରୁ ରକ୍ଷା ପାଇବା ପାଇଁ ସୁସ୍ୱାଦୁ ପଣା ପିଇ ନୂଆ ବର୍ଷ କୁ ସ୍ୱାଗତ କରିବା ସହ ଆସନ୍ତୁ ଆଗାମୀ ଅଧ୍ୟାୟ ରେ ଜାଣିବା ଶ୍ରୀମନ୍ଦିର ରେ ନିଷିଦ୍ଧ ସାମଗ୍ରୀ, ନିଷିଦ୍ଧ କର୍ମ, ଓ ନିଷିଦ୍ଧ ବ୍ୟକ୍ତି ବିଶେଷ ଙ୍କ ବିଷୟରେ ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ ।

ସେ ପୁଣି ଯାନ୍ତି ଯେଝା ପଥେ
ଶୋକ ସନ୍ତାପ ଦେଇ ଚିତ୍ତେ।
ବଦନ ଥାଉଁ ହରି ବାଣୀ
ମୁଖେ ଯେ ନ ବୋଲନ୍ତି ପ୍ରାଣୀ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ)

 

Comments are closed.