Latest Odisha News

BREAKING NEWS

ଫଟୋ ପଲିଟିକ୍ସ, ସୌମ୍ୟଙ୍କ ମନ୍ତବ୍ୟ ଆଣିଲା ନୂଆ ଟୁଇଷ୍ଟ

ଭୁବନେଶ୍ବର : ଟିକାକରଣ କେନ୍ଦ୍ରରେ କାହାର ରହିବ ଫଟୋ । ପ୍ରଧାନମନ୍ତ୍ରୀଙ୍କର ନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର । ଏହାକୁ ନେଇ ଏବେ ବିଜେପି ଓ ବିଜେଡି ମଧ୍ୟରେ ଆରମ୍ଭ ହୋଇଛି ତୁ ତୁ ମେଁ ମେଁ । ଉଭୟ ଉଭୟଙ୍କୁ ଟାର୍ଗେଟ୍ କରି ସମାଲୋଚନା କରିବାକୁ ପଛାଉନାହାନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ମଧ୍ୟ ଚିରୁଛନ୍ତି ଉଭୟ ପକ୍ଷ । ତେବେ ଏହି ଫଟୋ ବିବାଦ ଭିତରେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ମନ୍ତବ୍ୟ ଏବେ ନୂଆ ଟୁଇଷ୍ଟ ଆଣିଛି । ସୌମ୍ୟଙ୍କ ମତକୁ ଏବେ ରାଜନୈତିକ ମହଲରେ ବେଶ ଗୁରୁତ୍ବ ଦିଆଯାଉଛି । ଉଭୟ ପକ୍ଷର କଥାକୁ ସେ ଗ୍ରହଣ ନକରି ଭିନ୍ନ ପ୍ରସ୍ତାବ ଦେଇଛନ୍ତି । ଟିକାକରଣ କେନ୍ଦ୍ରରେ କାହାର ପଟୋ ନଲାଗି ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ଲାଗୁ ବୋଲି କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ।

ଓଡିଶାରେ ଏବେ ବ୍ୟାପକ ଭାବେ ଚାଲିଛି ଟିକାକରଣ ଅଭିଯାନ । ଟିକାର ଅଭାବକୁ ଦୂର କରିବା ପାଇଁ ରାଜ୍ୟ ସରକାର ଟେଣ୍ଡର ଡାକିଲେ । କିନ୍ତୁ କୌଣସି କମ୍ପାନୀ ସହ ରାଜ୍ୟ ସରକାରଙ୍କ ସହମତି ହେଲାନି । ଫଳରେ କେନ୍ଦ୍ର ସରକାରଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ପ୍ରଧାନମନ୍ତ୍ରୀ ୧୮ରୁ ୪୪ ବର୍ଷୟ ବର୍ଗର ବୟସ୍କଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କଲେ । ଏସବୁ ପରେ ଜୋରଦାର ଚାଲିଛି ଟିକାଦାନ କାର୍ଯ୍ୟ । ତେବେ ସମସ୍ତ ଟିକା କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଯାଉଛି । ଯାହାକୁ ବିରୋଧ କରିଛନ୍ତି ବିଜେପି ନେତା । ସେମାନେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଲଗାଇବାକୁ ଦାବି କରୁଛନ୍ତି ।

ଯେଉଁଥି ପାଇଁ ଟିକାକରଣ କେନ୍ଦ୍ରରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ଫଟୋ ଚିରିଥିଲେ ବିଜେପି କର୍ମୀ । ଏପରିକି କିଛି ସ୍ଥାନରେ ଲାଗିଥିବା ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ମଧ୍ୟ ଚିରିଥିଲେ ବିଜେଡି କର୍ମୀ । ଟ୍ୱିଟ କରି ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରିଥିଲେ ଉଭୟ ଦଳର ନେତା । ଯାହାକୁ ନେଇ ରାଜ୍ୟରେ ସରଗରମ ହୋଇଥିଲା ରାଜନୀତି । ଠିକ୍ ଏତିକି ବେଳେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମନ୍ତବ୍ୟ ନୂଆ ଟୁଇଷ୍ଟ ଆଣିଛି । ତାଙ୍କ ମତରେ ଟିକାକରଣ କେନ୍ଦ୍ରରେ କାହାର ଫଟୋ ରହିବା ଉଚିତ ନୁହେଁ । ଏଠାରେ କେବଳ ଶ୍ରୀଜଗନ୍ନାଥଙ୍କ ଫଟୋ ରଖିବାକୁ ଦାବି କରିଥିଲେ ସୌମ୍ୟରଂଜନ ।

ତେବେ ସୌମ୍ୟରଂଜନଙ୍କର ଏଭଳି ମନ୍ତବ୍ୟ ବେଶ ଚର୍ଚ୍ଚା ସୃଷ୍ଟଇ କରିଛି । ଦଳୀୟ ନେତାଙ୍କ ସହ ସେ ସହମତ ନୁହଁନ୍ତି ବୋଲି ମନ୍ତବ୍ୟରୁ ସ୍ପଷ୍ଟ ଭାବେ ପ୍ରମାଣିତ ହେଉଛି । ଏହି ପ୍ରସଙ୍ଗକୁ ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଓ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଭିତରେ ଟ୍ୱିଟର ୱାର ହୋଇଛି । ଅପରାଜିତା ଟ୍ୱିଟ୍‌ କରି କହିଥିଲେ ଯେ, ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାନଯିବା, ରାଜ୍ୟ ସରକାରଙ୍କ ଅସୁରକ୍ଷିତ ଭାବନା ଓ ସଂକୀର୍ଣ୍ଣ ମନୋଭାବର ପରିଚୟ ଦେଇଛି । ଓଡ଼ିଶା ଟିକା କିଣିବାରେ ଅସମର୍ଥ ହେଲା । କେନ୍ଦ୍ରର ସହଯୋଗ ଲୋଡିବାରୁ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଟିକା ଯୋଗାଇଲେ । ତେଣୁ ସୌଜନତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିବା ଉଚିତ୍ ବୋଲି ଟ୍ବିଟ କରି ଲେଖିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଜବାବରେ ବିଜେଡି ସାଂସଦ ସସ୍ମିତ ପାତ୍ର ଟ୍ୱିଟ୍‌ କରି କହିଥିଲେ ଯେ, ଭ୍ୟାକ୍ସିନେସନ୍‌ ସାର୍ଟିଫିକେଟ୍‌ରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହୁଛି । ଅନ୍ୟ ଦଳମାନେ ଏହାକୁ ନେଇ ପ୍ରସଙ୍ଗ କରୁଛନ୍ତି । କିନ୍ତୁ ବିଜେଡି ଏହାକୁ କେବେ ପ୍ରସଙ୍ଗ କି ରାଜନୀତି କରିନାହିଁ । ଟିକା ଯୋଗାଇ ଦେବା କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ । ଏହାକୁ ନେଇ ରାଜନୀତି କରିବା ଲଜ୍ଜାଜନକ ବୋଲି ସସ୍ମିତ ପାତ୍ର ଟ୍ୱିଟ୍‌ରେ ଉଲ୍ଲେଖ କରିଥିଲେ ।

Leave A Reply

Your email address will not be published.