Latest Odisha News

ପିଲାଙ୍କ ପ୍ରତି ପିତା-ମାତାଙ୍କ ଦାୟିତ୍ୱ

ପିଲାଙ୍କ ପ୍ରତି ପିତା-ମାତାଙ୍କ ଦାୟିତ୍ୱ

 

 

 

 

 

କଥାରେ ଅଛି – ଗୋଡ଼ ଥିଲେ, ସମସ୍ତେ ଚାଲିପାରନ୍ତି, କିନ୍ତୁ ହାତ ଥିଲେ ସମସ୍ତେ ଲେଖିପାରନ୍ତି ନାହିଁ । ଠିକ୍ ସେହିପରି ବିବାହ କରି ସମସ୍ତେ ସନ୍ତାନ ଜନ୍ମ କରିପାରନ୍ତି, କିନ୍ତୁ, ସମସ୍ତେ ସାଧାରଣ ପିତା-ମାତା ବି ହୋଇପାରନ୍ତି ନାହିଁ । ପୁଣି ଆଦର୍ଶ ପିତା-ମାତା କଥା’ତ ବହୁଦୂର ! ଆମଦେଶର ଅନେକ ଦାୟିତ୍ୱହୀନ ପିତା-ମାତା କେବଳ ନିଜ ସନ୍ତାନମାନଙ୍କ ଜୀବନକୁ ନଷ୍ଟ କରନ୍ତି ନାହିଁ, ଦେଶର ଭବିଷ୍ୟତକୁ ନଷ୍ଟ କରିଦେବା ସଙ୍ଗେ ସଙ୍ଗେ ସେମାନଙ୍କ ଅଜ୍ଞାନତା ହିଁ ନିଜ ପିଲାର ଭବିଷ୍ୟତକୁ ନଷ୍ଟ କରିଦେବା ସଙ୍ଗେ ସଙ୍ଗେ ସେମାନଙ୍କୁ ବି ଦାୟିତ୍ୱହୀନ ପିତା-ମାତାରେ ପରିଣତ କରିଦିଏ । ପିତା-ମାତାଙ୍କ ଜୀବନ ସଂଗ୍ରାମରେ ଏତେ ପରିଶ୍ରମ, ଏତେ ଝାଳ ଓ ଲହୁ-ଲୁହାଣ କେଉଁଥିପାଇଁ ?

ଏଥିପାଇଁ ପିଲା ଯେତେ ଦାୟୀ ନୁହେଁ, ଦାୟିତ୍ୱହୀନ, ଅଜ୍ଞାନୀ ପିତା-ମାତା ଏଥିପାଇଁ ସଂମ୍ପୂର୍ଣ୍ଣ ଭାବେ ଦାୟୀ । ମାତ୍ର ସବୁ ପିତା-ମାତା ଚାହାନ୍ତି ନିଜ ସନ୍ତାନ ସମାଜରେ ଜଣେ ଭଲ ଲୋକ ହୋଇ ବାହାରୁ । ବିଶିଷ୍ଟ ଲୋକ ନ’ହେଲେ ବି ସାଧାରଣ ସାଧାସିଧା ଲୋକଟିଏ ହୋଇ ବାହାରୁ । ଏଥିପାଇଁ ପଥ କାହିଁ? ପଥତ ଅନେକ, ତା’ମଧ୍ୟରୁ ଗୋଟିଏ ପଥ ହେଲା – ବହି ବା ପୁସ୍ତକ ଅଧ୍ୟୟନ । ଏହି ବହି ମାଧ୍ୟମରେ ଜୀବନରେ ଆଗେଇବା ପାଇଁ ଉପଯୁକ୍ତ ପଥ ଦେଖାଯାଇ ପାରେ । ତେଣୁ କୁହାଯାଏ – ବହି ଠାରୁ ବଡ଼ ସାଥୀ କେହି ନାହିଁ । ନିଜ ପିଲାକୁ କି ପ୍ରକାର ବହି ଦେଲେ ତାହା ତା’ ଜୀବନ ଗଢିବାରେ ଅଦ୍ଭୁତ ଭାବେ ସାହାଯ୍ୟ କରିଥାଏ, ସେ ଦିଗରେ ଏକ ସ୍ଥୁଳ ଧାରଣା ଦେବାହିଁ ଏହାର ଉଦ୍ଦେଶ୍ୟ ।

                                                                      ବୟସ ଅନୁସାରେ ପିଲାର ମନ
ପିଲା ଜନ୍ମର ପ୍ରଥମ ଓ ଦ୍ୱିତୀୟ ବର୍ଷ
ଏହି ବୟସରେ ପିଲାମାନେ ବିଭିନ୍ନ ପ୍ରକାର ଧ୍ୱନି ଶୁଣି ତାକୁ ନିଜେ କହିବାକୁ ପ୍ରବଳ ଉଦ୍ୟମ କରିଥାନ୍ତି । କୁକୁର, ବିଲେଇ ଓ ଗାଈର ସ୍ୱରକୁ ସେ ଅନୁକରଣ କରେ । ଏହା କ’ଣ ତାହା ଜାଣିବାକୁ ଇଚ୍ଛା କରିଥାଏ । ତେଣୁ ପାଟିରେ ହାତ ପୁରାଇ ଜାଣିବାକୁ ଚେଷ୍ଟା କରୁଥାଏ । ଏହି ସମୟରେ ଶିଶୁକୁ ଯଥେଷ୍ଟ ବିଶ୍ରାମ ଦେବା ଦରକାର ।

ତିନିରୁ ଆଠ ବର୍ଷର ପିଲା
ତିନିରୁ ଆଠ ବର୍ଷ ବୟସର ପିଲାଙ୍କ ଦେହ ଦ୍ରୁତଗତିରେ ବୃଦ୍ଧି ପାଇଥାଏ । ଏହି ସମୟରେ ପିଲାର ଉପଯୁକ୍ତ ଖାଦ୍ୟ, ବିଶୁଦ୍ଧବାୟୁ ଓ ବ୍ୟାୟାମ ଆବଶ୍ୟକ । ଦେହ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ, ମନ ସେତେ ବେଶି କାର୍ଯ୍ୟ କରିପାରେ ନାହିଁ । ଏହି ସମୟରେ ଛୋଟ ଛୋଟ ଘଟଣା, ଜୀବଜନ୍ତୁ କଥା ତାକୁ ବାରମ୍ବାର କହିଲେ, ସେ ବେଶ୍ ଉପଭୋଗ କରିଥାଏ । ଏହି ସମୟରେ ସେ ବେଶି ପ୍ରଶ୍ନ ପଚାରିଥାଏ । ପିତା-ମାତା ତା’ର ସମସ୍ତ ପ୍ରଶ୍ନକୁ ଧୈର୍ଯ୍ୟର ସହିତ ଶୁଣି ଗୋଟି ଗୋଟି କରି ତାହାର ସମସ୍ତ ପ୍ରଶ୍ନର ଉତ୍ତର ଦେବା ଜରୁରୀ । ଯେଉଁ ବସ୍ତୁକୁ ସେ ଛୁଇଁ ପାରୁଥିବ ବା ଦେଖୁଥିବ ସେହିକଥାକୁ ସେ ପ୍ରଶ୍ନ କରେ । ଆପଣ ତାହାର ପ୍ରଶ୍ନର ଉତ୍ତର ଯେତେ ଦେବେ, ତା’ର ପ୍ରଶ୍ନ ପଚାରିବାର ମନୋବୃତ୍ତି ସେତେ ସେତେ ବଢିଚାଲିବ । ଫଳରେ ତା’ର ଜାଣିବା ବା ଜିଜ୍ଞାସାର ଇଚ୍ଛା ପ୍ରବୃତ୍ତି ପରବର୍ତ୍ତୀ କାଳରେ ଅଧିକ ପ୍ରଖର ହୋଇପାରିବ ।

ଏହି ବୟସରେ ପିଲାମାନଙ୍କୁ ନିଜେ ନେଜେ ଦାନ୍ତଘଷା, ବିଛଣା ସଜ୍ଜା, ବହି ସାଇତା, ପରିଷ୍କାର ପରିଚ୍ଛନ୍ନତା, ଆଦି ଶୃଙ୍ଖଳାଗତ ଅଭ୍ୟାସ ତା’ରି ହାତରେ କରିବା ଉଚିତ । ପ୍ରଥମେ ନିଜେ ଦେଖାଇବେ, ତା’ପରେ ଆପଣଙ୍କ ସହିତ ସେଜେଇବ ଓ ଶେଷରେ ସେ ନିଜେ ବିଚ୍ଛଣା ଓ ବହିପତ୍ର ଥାକ ଓ ନିଜର ବସ୍ତାନି ସଜାଇବ ।

ଏହି ସମୟରେ ପିଲା ଅନୁକରଣ ପ୍ରିୟ ହୋଇଥାନ୍ତି । ତେଣୁ ତା’ସାମ୍ନାରେ ଯେତେ ଭଲ ଆଚରଣ ଦେଖାଇବେ, ସେତେ ଭଲ । ପିଲା ଆଗରେ ଖରାପ ବ୍ୟବହାର, ନୃଶଂସ କାଣ୍ଡ ବା ଅପ୍ରୀତିକର ଘଟଣାରୁ ଦୁରେଇ ରୁହନ୍ତୁ । ପିଲାମାନେ ଏହି ସମୟରେ ଚିତ୍ର କରିବାକୁ ଭଲ ପାଆନ୍ତି । କାନ୍ଥ, ଖଟ, କବାଟ ଆଦିରେ ଚକ୍ ବା କଲମରେ ଗାରେଇ ପକାନ୍ତି । ଜୀବଜନ୍ତୁ, ଚନ୍ଦ୍ର, ସୂର୍ଯ୍ୟ ବା ଠାକୁର ମାନଙ୍କ ଚିତ୍ର ପିଲାମାନେ ବେଶି ଆଙ୍କନ୍ତି । ଏଥିରେ ସେମାନଙ୍କୁ ବେଶ୍ ଉତ୍ସାହିତ କରିବା ଆବଶ୍ୟକ ।

ପିଲାର ଯଦି ମନ୍ଦ ଅଭ୍ୟାସ ଥାଏ ତାକୁ ପାଟି କରି ବା ଶାସ୍ତି ଦେଲେ ତା’ର ଏହି ଭୁଲ୍ ସଂଶୋଧନ ହୁଏ ନାହିଁ । ତାକୁ ଥରେ ନୁହେଁ ଏକାଧିକ ଥର ଗୋଟି ଗୋଟି କରି ସେହି ମନ୍ଦ ଅଭ୍ୟାସର ଅପକାରିତା ବିଷୟରେ ବୁଝାଇ ଦେବାକୁ ହେବ । ଅନ୍ୟର ଜିନିଷକୁ ଲୁଚାଇ ରଖିବା ବା ଚୋରୀ କରିବା ପରି ମନ୍ଦ ଅଭ୍ୟାସକୁ ମଧ୍ୟ ପିତା-ମାତା ସତର୍କତାର ସହିତ ସଂଶୋଧନ କରିବାକୁ ହେବ ।

ପିଲାଟିକୁ ଏହି ସମୟରେ ଭଲ ଚୋରୀ ବା ଖରାପ କାର୍ଯ୍ୟର କୁପରିଣାମ ବିଷୟର ପୁସ୍ତକ ଦେବା ଉଚିତ । ଯେଉଁଥିରେ କି ପିଲାଙ୍କ ଲାଗି ଛୋଟ ଛୋଟ ଗପ ଆକାରରେ ଭଲ ଓ ମନ୍ଦ ବିଷୟରେ ଉଲ୍ଲେଖ ରହିଥାଏ । ଚୋରୀ ବା କୁକାର୍ଯ୍ୟ ବା ମିଛ କହିବାର କୁପରିଣାମ ବର୍ଣ୍ଣନା କରିବା ସହିତ ସାଧୁତାର ପୁରସ୍କାର ବା ପ୍ରଶଂସା ମଧ୍ୟ ଉଲ୍ଲେଖ ରହିଥିବା ଆବଶ୍ୟକ । ଏହିପରି ବହିଟିରେ ବା ଆପଣଙ୍କ କଥାରେ ଦୁଇଟି ବିପରୀତ ଚରିତ୍ର ଓ ଘଟଣା ଏହି ବହିରେ ଥିବା ଆବଶ୍ୟକ । ଫଳରେ ପିଲାଟି ‘କୁ’ ଓ ‘ସୁ’ କୁ ସ୍ପଷ୍ଟ ଭାବେ ବୁଝିପାରିବ ଏବଂ ସୁବିଚାରକୁ ନିଜ ଅଭ୍ୟାସରେ ପକାଇବାକୁ ମନ ବଳାଇବ ।
ଅପର୍ଣ୍ଣା ସଦନ, ନୂଆବଜାର, ଭଦ୍ରକ, ମୋ – ୯୨୩୮୫୦୬୨୬୨

(ଆଠରୁ ବାର ବର୍ଷ ଓ ୧୨ରୁ ୧୮ ବର୍ଷ ପିଲାଙ୍କ ମନ ସମ୍ପର୍କରେ ଆଗାମୀ ସଂଖ୍ୟାରେ ପ୍ରକାଶିତ ହେବ)

(ଲେଖକ – ଡ଼ଃ ମନୀନ୍ଦ୍ର ମହାନ୍ତି । ଓଡ଼ିଆ ଶିଶୁ ସାହିତ୍ୟର ପ୍ରଥମ ଗବେଷକ ଏବଂ ‘ଓଡ଼ିଆ ଶିଶୁ –ସାହିତ୍ୟ ଗବେଷଣା ପରିଷଦ’ର ସଂଚାଳକ । ଅଧ୍ୟାପନାରୁ ଅବସର ପରେ ସେ ସମାଜସେବା, ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାର ପ୍ରସାର କରିବା ସହିତ ଶିଶୁ ସାହିତ୍ୟରେ ଅନେକ ଉପାଦେୟ ପୁସ୍ତକ ରଚନା କରିଛନ୍ତି । ଶିଶୁ-ସାହିତ୍ୟ ଗବେଷକ ଭାବେ ସେ ଭାରତ ତଥା ଓଡ଼ିଶାରେ ବେଶ୍ ପରିଚିତ । ଶିଶୁ ଗବେଷଣାତ୍ମକ ୨୦ରୁ ଅଧିକ ମୂଲ୍ୟବାନ ପୁସ୍ତକ ଡ଼ଃ ମହାନ୍ତଙ୍କ ଦ୍ୱାରା ପ୍ରକାଶିତ )

Leave A Reply

Your email address will not be published.