Latest Odisha News

BREAKING NEWS

ବ୍ରହ୍ମପୁରରୁ ଆସିଲା ଆଉ ଏକ ରାଗିଂ ଅଭିଯୋଗ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ରାଗିଂ ଘଟଣାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଚାଲିଥିବା ବେଳେ ଜିଲ୍ଲାର ଅନ୍ୟତମ କଲେଜ ତଥା ଖଲ୍ଲିକୋଟ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରୁ ଆସିଛି ପୁଣି ଏକ ରାଗିଂ ଅଭିଯୋଗ। ଛାତ୍ରୀ ଜଣଙ୍କ ଏ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଭେଟି ନିଜର ଅଭିଯୋଗ ଦାଖଲ କରିଛନ୍ତି। କିନ୍ତୁ ସେ ଏବେ ନିଜ ସୁରକ୍ଷା ପାଇଁ ଚିନ୍ତିତ ବୋଲି କହିଛନ୍ତି।

ଖଲ୍ଲିକୋଟ ଉଚ୍ଚ ମାଧ୍ଯମିକ ସ୍କୁଲର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର ଏହି ଅଭିଯୋଗ ଆଣିଛନ୍ତି। ସେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ସେ ସ୍କୁଲର ଶ୍ରେଣୀ ଗୃହରେ ହେଉଥିବା ବିଶୃଙ୍ଖଳା ବାବଦରେ ଉଲ୍ଲେଖ କରିଛନ୍ତି। ଏଥିସହ ତାଙ୍କୁ କିଛି ଛାତ୍ର ଫଲୋ କରୁଥିବାରୁ ନିଜର ସୁରକ୍ଷାକୁ ନେଇ ଚିନ୍ତିତ ବୋଲି କହିଛନ୍ତି। ଯଦି ଆଗାମୀ ଦିନରେ ଏପରି ହୁଏ ତାହେଲେ ତାଙ୍କ ପାଠ ପଢା ପରିବାର ଲୋକଙ୍କ ଦ୍ବାରା ବନ୍ଦ ହୋଇପାରେ ବୋଲି ଆଶଙ୍କା କରିଛନ୍ତି। ତେବେ ରାଗିଂ କିଏ କରିଛନ୍ତି ଛାତ୍ରୀ ଜଣଙ୍କ କହି ନାହାନ୍ତି କିମ୍ବା ସେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଲେଖିଥିବା ଚିଠିରେ ମଧ୍ୟ ଉଲ୍ଲେଖ କରିନାହାନ୍ତି।

ଯୁକ୍ତ ଦୁଇର ପ୍ରଥମ ବର୍ଷର ଛାତ୍ରୀ ଜଣଙ୍କ କହିଛନ୍ତି, ଶ୍ରେଣୀ ଗୃହରେ ପାଠ ପଢାହେଲା ବେଳେ ସିନିୟର ଛାତ୍ର ବାଣ ଫୁଟାଉଛନ୍ତି। ଏମିତିକି ଅଶୀଳ ଭାଷାରେ କଥା ହେଉଛନ୍ତି। ବେଳେ ବେଳେ ଫଲୋ ମଧ୍ୟ କରୁଛନ୍ତି। ଏ ନେଇ ଆମେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇଛୁ ହେଲେ ସେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି।

ତେବେ ଛାତ୍ରୀଙ୍କ ଦ୍ବାରା ଅଭିଯୋଗ ପାଇବା ପରେ ସ୍କୁଲର ପ୍ରିନସିପାଲ ରାଧାନାଥ ନାୟକ ଥାନାକୁ ଜଣାଇଥିଲେ। ହେଲେ ଥାନା ଅଧିକାରୀ ଏହାକୁ ସ୍କୁଲର ଘଟଣା ଆଣ୍ଟି ରାଗିଂ ସେଲ ଦ୍ବାରା ତଦନ୍ତ କରିବାକୁ ପରାମର୍ଶ ଦେଇଥିବା ସୂଚନା ରହିଛି। ତେଣୁ ସ୍କୁଲ କର୍ତ୍ତୃପକ୍ଷ ଏକ 9 ଜଣିଆ ରାଗିଂ କମିଟି ଗଠନ କରି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କମିଟିର ରିପୋର୍ଟ ଆଧାରରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସ୍କୁଲର ପ୍ରିନସିପାଲ ରାଧାନାଥ ନାୟକ କହିଛନ୍ତି, ସପ୍ତାହେ ପୂର୍ବରୁ ଆଉ ଏକ ଘଟଣାରେ କିଛି ଛାତ୍ରୀ ଅଭିଯୋଗ ଆଣିଥିଲେ। ଏହାପରେ ଆଣ୍ଚି ରାଗିଂ ସେଲ 6 ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଆଉ 10 ଦିନ ପାଇଁ ଏହି ବିଶୃଙ୍ଖଳିତ ଛାତ୍ରଙ୍କୁ ସ୍କୁଲରୁ ନିଲମ୍ବନ କରିଥିଲା।

Leave A Reply

Your email address will not be published.