Latest Odisha News

BREAKING NEWS

ବଲାଙ୍ଗୀର ନାବାଳିକା ହତ୍ୟା ଘଟଣା, ରହସ୍ୟ ଭେଦ କରିବାକୁ ପୋଲିସକୁ ଭରସା କଣ୍ଢେଇ?

ବଲାଙ୍ଗୀର: ଶେଷାଦ୍ରୀ ନାଗ ହତ୍ୟା ଘଟଣା ବଲାଙ୍ଗୀରବାସୀଙ୍କୁ ସ୍ତବ୍ଧ କରିଦେଇଛି। ନିଖିଳ ନଗର ବସ୍ତି ଅଞ୍ଚଳରେ ଯୁକ୍ତ ଦୁଇ ଛାତ୍ରୀ ହତ୍ୟା ଘଟଣାର ତଦନ୍ତକୁ ଜୋରଦାର କରିଛି ବଲାଙ୍ଗୀର ପୋଲିସ। ଗତ ଗୁରୁବାର ଦିନ ଶେଷାଦ୍ରି ନାଗ ନିଜ ଘର ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଥିଲା।

ପୋଲିସକୁ ନାବାଳିକର ମୃତଦେହ ପାଖରେ ଏକ କଣ୍ଢେଇ ମିଳିଥିଲା, ଯାହାକୁ ତାଙ୍କ ବାପା ମାଆ ତାଙ୍କ ଘରେ ପୂର୍ବରୁ ଦେଖିନଥିଲେ। ଏହାକୁ ନେଇ ପୁଲିସ ସନ୍ଦେହ କରୁଛି ଯେ, ଏହି କଣ୍ଠେଇଟି ହତ୍ୟାକାରୀର ଉପହାର ହୋଇଥାଇପାରେ, ଏବଂ ଏହି ମାମଲାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ହୋଇଥାଇପାରେ।

ଏହି କଣ୍ଢେଇଟି ହତ୍ୟାକାରୀକୁ ଠାବ କରିବା ଆଶାରେ ପୁଲିସ ମଧ୍ୟ ଏହି ଅଞ୍ଚଳରେ ସନ୍ଧାନୀ କୁକୁର ଲଗାଇ ତଦନ୍ତକୁ ଆଗକୁ ବଢାଇଛି।

ମୃତକଙ୍କ ବାପା-ମା’ ପୁଲିସକୁ କହିଛନ୍ତି ଯେ, ତାଙ୍କ ଝିଅର କୌଣସି ଘନିଷ୍ଠ ବନ୍ଧୁ ନାହାନ୍ତି ଏବଂ ତାଙ୍କ ପାଖରେ ମୋବାଇଲ୍ ଫୋନ୍ ନାହିଁ। ସେମାନେ କହିଲେ ଯେ କ୍ଷେତକୁ କାମ କରିବାକୁ ଯିବା ପୂର୍ବରୁ ସେ ସେମାନଙ୍କୁ ଖାଇବା ରୋଷେଇ କରିଥିଲେ ଏବଂ ମଧ୍ୟାହ୍ନ ଭୋଜନ ସାରି ବିଲକୁ ଆସିବାକୁ କହିଥିଲେ କିନ୍ତୁ ଝିଅ ନଆସିବାରୁ ବିଲରୁ ଘରକୁ ଆସିଥିଲେ ଉଭୟ ବାପା-ମା। ଆଉ ଘର ଭିତରୁ ନିଜ ଝିଅକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ପାଇଥିଲେ।

ବଲାଙ୍ଗୀର ଏସଡିପିଓ ତୋଫାନ ବାଗ ପୂର୍ବରୁ ଗଣମାଧ୍ୟମକୁ କହିଥିଲେ ଯେ, ନାବାଳିକାର ବେକ ଓ କପାଳରେ କ୍ଷତ ଚିହ୍ନ ରହିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ଯେ ପୀଡ଼ିତାଙ୍କୁ ଜାଣିଥିବା କେହି ଜଣେ ତାଙ୍କୁ ଏକ ଧାରୁଆ ଜିନିଷରେ ହତ୍ୟା କରିଛି।

ଏହି ଘଟଣାରେ ପୋଲିସ ସମ୍ପୃକ୍ତ ନାବାଳିକର ପରିବାର ଓ ସାଙ୍ଗ ସାଥୀଙ୍କୁ ପଚରାଉଚରା କରୁଛି। ସେମାନେ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରୁଛନ୍ତି, କିନ୍ତୁ ନାବାଳିକା ରହୁଥିବା ବସ୍ତିରେ କ୍ୟାମେରା ନାହିଁ ଯାହା ତଦନ୍ତକୁ ଆଗକୁ ବଢାଇବାରେ ବଡ ବାଧକ ସାଜିଛି।

ଏହି ମାମଲାର ସମାଧାନ ପାଇଁ ପୁଲିସ ଜନସାଧାରଣଙ୍କୁ ନିବେଦନ କରିଛି। ସେମାନେ କହିଛନ୍ତି ଯେ, ହତ୍ୟାକାଣ୍ଡ ସମ୍ପର୍କରେ ଯେଉଁମାନଙ୍କ ପାଖରେ ସୂଚନା ଅଛି ସେମାନେ ପୁଲିସ ସହ ଯୋଗାଯୋଗ କରନ୍ତୁ।

Comments are closed.