Latest Odisha News

ଆଜିଠୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ଵର: ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା । ଆଜିଠୁ ପରୀକ୍ଷା ଆରମ୍ଭ ହୋଇ ଜାନୁଆରୀ ୧୨ ତାରିଖରେ ଶେଷ ହେବ । ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟ ପ୍ରାକ୍ଟିକାଲ ସହ ଧନ୍ଦାମୂଳକ ପାଠ୍ୟକ୍ରମର ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ । ୬୦ ମାର୍କ, ୫୦ ମାର୍କ ଓ ୩୦ ମାର୍କ ବିଶିଷ୍ଟ ପ୍ରାକ୍ଟିକାଲ ବିଷୟ ଲାଗି ୩ଘଣ୍ଟା ଏବଂ ୧୫ ମାର୍କର ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଦୁଇ ଘଣ୍ଟା ଅବଧି ରହିଛି। ବିଜ୍ଞାନ ବିଭାଗର ୧୨ଟି, କଳା ବିଭାଗର ୮, ବାଣିଜ୍ୟ ବିଭାଗର ଦୁଇ, ଧନ୍ଦାମୂଳକ ବିଭାଗର ୧୦ରୁ ଅଧିକ ବିଷୟରେ ପ୍ରାକ୍ଟିକାଲ/ପ୍ରୋଜେକ୍ଟ ପରୀକ୍ଷା ହେବ। ପରୀକ୍ଷାର ୩୦ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ରରେ ପହଞ୍ଚିବା ଆବଶ୍ୟକ।

ପ୍ରାକ୍ଟିକାଲ ପରୀକ୍ଷା ସରିବା କ୍ଷଣି ଉଚ୍ଚମାଧ୍ୟମିକ ବିଦ୍ୟାଳୟ କର୍ତ୍ତୃପକ୍ଷ ଜାନୁଆରି ୧୦ରୁ ୨୫ ତାରିଖ ମଧ୍ୟରେ ଇଣ୍ଟରନାଲ ଆସେସ୍‌ମେଣ୍ଟ ଓ ପ୍ରାକ୍ଟିକାଲ ପରୀକ୍ଷାର ମାର୍କ ସାମ୍‌ସ ପୋର୍ଟାଲରେ ଦାଖଲ କରିବେ। ପ୍ରାକ୍ଟିକାଲ୍‌ ପରୀକ୍ଷାର ଉତ୍ତରଖାତା ଓ ମାର୍କ ଫଏଲ୍‌ରେ ଏକ୍ସଟରନାଲ୍‌ ପରୀକ୍ଷକଙ୍କ ଦସ୍ତଖତ ରହିବା ବାଧ୍ୟତାମୂଳକ। ଜାନୁଆରି ୨୭ ରୁ ଫେବ୍ରୁଆରି ୪ ମଧ୍ୟରେ କଲେଜଗୁଡ଼ିକ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ମାର୍କର ହାର୍ଡକପି ପରିଷଦ ନିକଟରେ ଦାଖଲ କରିବେ। ଧାର୍ଯ୍ୟ ସମୟ ପରେ ଆସିଥିବା ପ୍ରାକ୍ଟିକାଲ ରେକର୍ଡଗୁଡ଼ିକୁ ଗ୍ରହଣ କରାଯିବ ନାହିଁ ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଯେଉଁ ସମସ୍ତ ବିଷୟରେ ପ୍ରାକ୍ଟିକାଲ ନାହିଁ ସେହି ସମସ୍ତ ବିଷୟରେ ଇଣ୍ଟରନାଲ ୨୦ ମାର୍କ ଏବଂ ଥିଓରୀ ରେ ୮୦ ମାର୍କ ହେବ ପରୀକ୍ଷା ହେବ । ଇଣ୍ଟରନାଲ, ପ୍ରାକ୍ଟିକାଲ ଓ ମେନ ପରୀକ୍ଷା ସମସ୍ତ ଷ୍ଟ୍ରିମର ସରିବାର ୪୫ ଦିନ ଭିତରେ ଫଳ ବାହାରିବ ।

ସେପଟେ ସମସ୍ତ ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର, ଷ୍ଟ୍ରଙ୍ଗ ରୁମ୍, ଲାବ୍ରୋଟୋରୀ ଓ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ସିସିଟିଭି ଲଗାଯାଇଛି । ସେହିପରି ସିସିଟିଭି ଲାଗିଥିବା କେନ୍ଦ୍ରଗୁଡିକରେ ଏହା କାର୍ଯ୍ୟକ୍ଷମ ଅଛି କି ନାହିଁ ତାକୁ ସୁନିଶ୍ଚିତ କରିବାକୁ କୁହାଯାଇଛି । ସିସିଟିଭି କ୍ୟାମେରାରେ ତାରିଖ ସହ ସମୟ ଆସୁଥିବା ଆବଶ୍ୟକ । ଯେଉଁ ଶିକ୍ଷାନୁଷ୍ଠାନ ପ୍ରଥମ କରି ପରୀକ୍ଷା କେନ୍ଦ୍ର ପାଇଁ ଆବେଦନ କରିଥିବେ ସେମାନଙ୍କ ପାଇଁ ମଧ୍ୟ ସମାନ ଗାଇଡଲାଇନ ରହିବ । ଫେବୃଆରୀ ୧୫ରୁ ଯୁକ୍ତ ୨ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ । ୧୫ ତାରିଖରୁ ବିଜ୍ଞାନ ଓ ୧୬ରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ । ୨୦୨୫ ରେ ଯୁକ୍ତଦୁଇ ବାର୍ଷିକ ପରୀକ୍ଷା ଦେବାକୁ ଥିବା ରେଗୁଲାର ଛାତ୍ରୀଛାତ୍ର (୨୦୨୩ରେ ନାମଲେଖାଇଥିବା ଛାତ୍ରାଛାତ୍ର) ଙ୍କ ପାଇଁ ଏହି ନୂତନ ପ୍ରଶ୍ନପତ୍ର ଢାଞ୍ଚା ଲାଗୁ ହେବ । ପ୍ରାକ୍ଟିକାଲ ଥିବା ବିଷୟଗୁଡ଼ିରେ ଛାତ୍ରୀଛାତ୍ରଙ୍କୁ ୭୦ ମାର୍କର ଥିଓରୀ ଏବଂ ୩୦ ମାର୍କର ପ୍ରାକ୍ଟିକାଲ ଦେବାକୁ ପଡ଼ିବ। ପ୍ରୋଜେକ୍ଟ ଥିବା ବିଷୟରେ ୮୦ ମାର୍କ ଥିଓରୀ ଏବଂ ୨୦ ମାର୍କର ପ୍ରୋଜେକ୍ଟ ଦେବାକୁ ପଡ଼ିବ। ତେବେ ଇଣ୍ଟିଗ୍ରେଟେଡ ଧନ୍ଦାମୂଳକ ବିଷୟରେ ୫୦ ମାର୍କର ଥିଓରୀ ଓ ୫୦ ମାର୍କର ପ୍ରାକ୍ଟିକାଲ ଏବଂ ଭୋକେସନାଲ ଟ୍ରେଡ୍ ବିଷୟରେ ୪୦ ମାର୍କର ଥିଓରୀ ଓ ୬୦ ମାର୍କର ପ୍ରକ୍ଟିକାଲ ଦେବାକୁ ପଡ଼ିବ। ତେବେ ନନ୍‌ପ୍ରାକ୍ଟିକାଲ ବିଷୟ ଗୁଡ଼ିକରେ ୮୦ ମାର୍କର ଥିଓରୀ ଏବଂ ୨୦ ମାର୍କର ଉଣ୍ଟରନାଲ ପରୀକ୍ଷାରୁ ଦିଆଯିବ। ପ୍ରୋଜେକ୍ଟ ନ ଥିବା ବିଷୟଗୁଡ଼ିକରେ ୪୦ ମାର୍କର ଥିଓରୀ ଏବଂ ୧୦ ମାର୍କ ଇଣ୍ଟରନାଲ ପରୀକ୍ଷାରୁ ଦିଆଯିବ । ପ୍ରାକ୍ଟିକାଲ/ ପ୍ରୋଜେକ୍ଟ ନ ଥିବା ବିଷୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କୁ ପାସ୍ ହେବା ପାଇଁ ମୋଟ ୮୦ ମାର୍କରୁ ୨୪ ମାର୍କ ଅର୍ଥାତ୍ ୩୦% ରଖିବାକୁ ପଡ଼ିବ ।

Comments are closed.