Latest Odisha News

BREAKING NEWS

ମହାରାଷ୍ଟ୍ରରେ ୫୧୧ଟି ପ୍ରମୋଦ ମହାଜନ ଗ୍ରାମୀଣ କୌଶଲ୍ୟ ବିକାଶ କେନ୍ଦ୍ରର ହେଲା ଶୁଭାରମ୍ଭ, ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ମହାରାଷ୍ଟ୍ର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ମହାରାଷ୍ଟ୍ରରେ ୫୧୧ଟି ପ୍ରମୋଦ ମହାଜନ ଗ୍ରାମୀଣ କୌଶଲ୍ୟ ବିକାଶ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି । ମହାରାଷ୍ଟ୍ରର ୩୪ଟି ଗ୍ରାମୀଣ ଜିଲ୍ଲାରେ ଏହି କେନ୍ଦ୍ରଗୁଡିକ ପ୍ରତିଷ୍ଠା କରାଯାଇଛି । ଗ୍ରାମୀଣ ଯୁବକମାନଙ୍କୁ ରୋଜଗାରର ସୁଯୋଗ ଯୋଗାଇବା ପାଇଁ ଗ୍ରାମୀଣ କୌଶଲ୍ୟ ବିକାଶ କେନ୍ଦ୍ର ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିବେ।

ପ୍ରତ୍ୟେକ କେନ୍ଦ୍ର ଅତିକମରେ ଦୁଇଟି ଧନ୍ଦାମୂଳକ ପାଠ୍ୟକ୍ରମରେ ପ୍ରାୟ ୧୦୦ ଯୁବକ, ଯୁବତୀଙ୍କୁ ତାଲିମ ଦିଆଯିବ । ଜାତୀୟ ଦକ୍ଷତା ବିକାଶ ପରିଷଦ ଅଧୀନରେ ଥିବା ଶିଳ୍ପ ଭାଗିଦାରୀ ଏବଂ ଏଜେନ୍ସି ଦ୍ୱାରା ଏହି ତାଲିମ ପ୍ରଦାନ କରାଯାଉଛି । ଏହି କେନ୍ଦ୍ରର ପ୍ରତିଷ୍ଠା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଅଧିକ ଦକ୍ଷ ଏବଂ କୁଶଳୀ ମାନବ ସମ୍ବଳ ସୃଷ୍ଟି କରାଯାଇପାରିବ। ନବରାତ୍ରର ପଞ୍ଚମ ଦିନରେ ସ୍କନ୍ଦ ମାତାଙ୍କୁ ପୂଜା କରାଯାଏ । ପ୍ରତ୍ୟେକ ମାଆ  ନିଜ ପିଲାମାନଙ୍କ ପାଇଁ ସୁଖ ଓ ସଫଳତା କାମନା କରିଥାନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶିକ୍ଷା ଏବଂ ଦକ୍ଷତା ବିକାଶ ଦ୍ୱାରା ହିଁ ଏହା ସମ୍ଭବ ହୋଇ ପାରିବ । ଲକ୍ଷ ଲକ୍ଷ ଯୁବକଙ୍କ ଦକ୍ଷତା ବିକାଶ ପାଇଁ ଏହି ବିରାଟ ପଦକ୍ଷେପ ଆଜିର ଦିନକୁ ସ୍ମରଣୀୟ କରିଛି । ବିଶ୍ୱସ୍ତରରେ ଦକ୍ଷ ଭାରତୀୟ ଯୁବକ ମାନଙ୍କ ଚାହିଦା ବୃଦ୍ଧି ପାଇବାରେ ଲାଗିଛି । “ଭାରତ କେବଳ ନିଜ ପାଇଁ ନୁହେଁ , ସମଗ୍ର ବିଶ୍ୱ ପାଇଁ ଦକ୍ଷ ପେସାଦାର ପ୍ରସ୍ତୁତ କରୁଛି” , ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ସେ କହିଥିଲେ ଯେ ମହାରାଷ୍ଟ୍ରର ଦକ୍ଷତା କେନ୍ଦ୍ରଗୁଡିକ ସ୍ଥାନୀୟ ଯୁବକ ମାନଙ୍କୁ ବିଶ୍ୱସ୍ତରୀୟ ନିଯୁକ୍ତି ପାଇଁ ପ୍ରସ୍ତୁତ କରିବ ଏବଂ ସେମାନଙ୍କୁ ନିର୍ମାଣ, ଆଧୁନିକ କୃଷି, ଗଣମାଧ୍ୟମ ଏବଂ ମନୋରଞ୍ଜନ ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଦକ୍ଷ କରିବ । ମୌଳିକ ବିଦେଶୀ ଭାଷା ଦକ୍ଷତା ଭଳି ସଫ୍ଟ ସ୍କିଲର ପ୍ରଶିକ୍ଷଣ ପ୍ରଦାନ କରିବା, ଭାଷା ବ୍ୟାଖ୍ୟା ପାଇଁ ଏଆଇ ଉପକରଣ ବ୍ୟବହାର କରିବାର ଆବଶ୍ୟକତା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ,  ଯାହା ସେମାନଙ୍କୁ ନିଯୁକ୍ତିଦାତା ମାନଙ୍କ ପାଇଁ ଅଧିକ ଆକର୍ଷଣୀୟ କରିବ । କୌଶଳ ବିକାଶ ଯୋଜନା ଅଧୀନରେ ୧ କୋଟି ୩୦ ଲକ୍ଷରୁ ଅଧିକ ଯୁବକଙ୍କୁ ଏକାଧିକ କ୍ଷେତ୍ର ଉପରେ ତାଲିମ ପ୍ରଦାନ କରାଯାଇଥିବା ବେଳେ ସମଗ୍ର ଦେଶରେ ଶତାଧିକ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ମହିଳା ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀ ବା ‘ସ୍ୱୟଂ ସହାୟତା ସମୁହ’ ବିଷୟରେ ଉଲ୍ଲେଖ କରିବା ସହ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଅଧୀନରେ ୩ କୋଟିରୁ ଅଧିକ ମହିଳା ମାନଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ ।

ଶ୍ରମର ମର୍ଯ୍ୟାଦାକୁ ସ୍ୱୀକାର କରିବା ଏବଂ କୁଶଳୀ କାର୍ଯ୍ୟର ଗୁରୁତ୍ୱକୁ ସ୍ୱୀକାର କରିବା ହେଉଛି ସମାଜର କର୍ତ୍ତବ୍ୟ । ଶୁଭାରମ୍ଭ ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେ ଏବଂ  ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଶ୍ରୀ ଅଜିତ ପାୱାର ଉପସ୍ଥିତ ଥିଲେ ।

 

Comments are closed.