Latest Odisha News

ଆରମ୍ଭ ହେଲା ‘ଫିଟ୍ ଇଣ୍ଡିଆ ମୁଭମେଣ୍ଟ’, ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ‘ଜାତୀୟ କ୍ରୀଡ଼ା ଦିବସ’ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତମ ସ୍ୱାସ୍ଥ୍ୟରକ୍ଷା ଲାଗି ‘ଫିଟ୍ ଇଣ୍ଡିଆ ମୁଭମେଣ୍ଟ’ ର ଉଦଘାଟନ କରିଛନ୍ତି ।

ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡ଼ିୟମରେ ଏକ ରଙ୍ଗାରଙ୍ଗ ଉତ୍ସବରେ ଭାରତରେ ସୃଷ୍ଟ ମାର୍ଶାଲ ଆର୍ଟ, କ୍ରୀନା ଓ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ଏହି ଉତ୍ସବରେ ଅଧିକାଂଶ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ସଂବୋଧିତ କରି କହିଥିଲେ ଯେ, ଶାରୀରୀକ ସୁସ୍ଥତା ଏକାନ୍ତ ଜରୁରୀ ଏବଂ ଏଥିଲାଗି ଦୈନିକ ବ୍ୟାୟାମ କରିବା ଆବଶ୍ୟକ । ଜଣେ ଶାରୀରୀକ ଓ ମାନସିକସ୍ତରରେ ସୁସ୍ଥ ରହିବାକୁ ହେଲେ ବ୍ୟାୟାମ ଜରୁରୀ ।

“ଆମ ସଂସ୍କୃତିରେ ଫିଟ୍ ହୋଇ ରହିବା ଏକ ଅଙ୍ଗ କହିଲେ ଅତ୍ୟୁକ୍ତି ହେବନାହିଁ । ମାତ୍ର ଏବେ ଏହି ଫିଟନେସକୁ ନେଇ ବିଭିନ୍ନ ସମସ୍ୟା ଦେଖାଯାଉଛି । କିଛି ଦଶନ୍ଧି ପୂର୍ବରୁ ଜଣେ ସାଧାରଣ ବ୍ୟକ୍ତି ୮ରୁ ୧୦ କିଲୋମିଟର ଦୈନିକ ଚାଲୁଥିଲେ । ଏପରିକି ସାଇକଲ ଚଳାଇ ବା ଦୌଡ଼ି ଅନେକ ଦୂର ଅତିକ୍ରମ କରିପାରୁଥିଲେ,” ବୋଲି ମୋଦୀ କହିଥିଲେ ।

“ମାତ୍ର ଏବେ ଟେକ୍ନୋଲୋଜିର ବହୁଳ ବ୍ୟବହାର ଯୋଗୁଁ ଶାରୀରୀକ ପରିଶ୍ରମ ହ୍ରାସ ପାଇବାରେ ଲାଗିଛି । ଆମେ ସମସ୍ତେ ଏବେ ଖୁବ୍ କମ୍ ଚାଲୁଛନ୍ତି,” ବୋଲି ଏହା କହିଥିଲେ ପ୍ରଧାନମନ୍ତ୍ରୀ ।

ଏହି ଉତ୍ସବରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜ୍ଜୁଙ୍କ ସମେତ ସମସ୍ତ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଥିବା ସମସ୍ତ ଖେଳାଳିମାନେ ଉପସ୍ଥିତ ରହିଥିଲେ ।ପ୍ରସିଦ୍ଧ ହକି ଖେଳାଳି ମେଜର୍ ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସରେ ଏହି ଫିଟନେସ୍ ଆନ୍ଦୋଳନ ଆରମ୍ଭ ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଆନନ୍ଦ ପ୍ରକାଶ କରିଥିଲେ । ଏହି ଅବସରରେ ସମସ୍ତ ପୁରସ୍କୃତ ଖେଳାଳିମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ, “ଭାରତରେ ଆଜି ଜୀବନଶୈଳୀ ସହିତ ଜଡିତ ରୋଗ ବୃଦ୍ଧି ପାଉଛି ଏବଂ ଏହାଫଳରେ ଯୁବବର୍ଗ ମଧ୍ୟ ପ୍ରଭାବିତ ହେଉଛନ୍ତି । ମଧୁମେହ ଓ ହାଇପରଟେନସନ ବୃଦ୍ଧି ପାଉଛି ଏବଂ ଏପରିକି ଭାରତରେ ପିଲାମାନଙ୍କ ଭିତରେ ବି ଏହି ରୋଗ ଦେଖିବାକୁ ମିଳୁଛି । ମାତ୍ର ଜୀବନଶୈଳୀରେ ସାମାନ୍ୟ ପରିବର୍ତନ ଦ୍ୱାରା ଏହିସବୁ ରୋଗରୁ ମୁକ୍ତି ମିଳିପାରିବ ।

ନୂତନ ଭାରତକୁ ଫିଟ ଭାରତରେ ପରିଣତ କରିବା ପାଇଁ ଏକ ସୁସ୍ଥ ବ୍ୟକ୍ତି, ଏକ ସୁସ୍ଥ ପରିବାର ଏବଂ ଏକ ସୁସ୍ଥ ସମାଜର ଆବଶ୍ୟକତା ରହିଛି ।ପ୍ରଧାନମନ୍ତ୍ରୀ କହିଲେ ଯେ ସୁସ୍ଥ ବ୍ୟକ୍ତି, ପରିବାର ଏବଂ ସମାଜ ଏହି ନୂତନ ଭାରତକୁ ଶ୍ରେଷ୍ଠ କରିବାର ରାସ୍ତା । ଆଜି ରାଷ୍ଟ୍ରୀୟ କ୍ରୀଡ଼ା ଦିବସରେ ଆମେ ଫିଟ ଇଣ୍ଡିଆ ଅଭିଯାନକୁ ମଜଭୁତ କରିବା ନେଇ ପ୍ରତିଜ୍ଞା କରିବା ।

Leave A Reply

Your email address will not be published.