Latest Odisha News

BREAKING NEWS

ମାତ୍ରାଧିକ ଭୋଟ ଦେବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଲୋକ ସଭା ନିର୍ବାଚନରେ ସପ୍ତମ ତଥା ଶେଷ ପର୍ୟ୍ୟାୟର ମତଦାନ ଚାଲିଥିବା ଭିତରେ ଭୋଟରଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇ ମାତ୍ରାଧିକ ଭୋଟ ଦେବାକୁ ଜନତାଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ମୋଦୀ କହିଛନ୍ତି ଯେ, ୫୭ଟି ଲୋକସଭା ଏବଂ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ ମଣ୍ଡଳୀରେ ବହୁ ସଂଖ୍ୟାରେ ମତଦାନ କରିବାକୁ ମୋର ଅନୁରୋଧ । ଯେତେ ଅଧିକ ମତଦାନ ହେବ, ଆମର ଗଣତନ୍ତ୍ର ସେତେ ଶକ୍ତିଶାଳୀ ହେବ। ଦେଶର ଯୁବ ଭୋଟରଙ୍କ ସହ ଦେଶର ନାରୀଶକ୍ତିଙ୍କୁ ମଧ୍ୟ ମୋର ଅନୁରୋଧ ଯେ ସେମନେ ଗଣତନ୍ତ୍ରର ଏହି ମହାନ ପର୍ବରେ ଭାଗ ନେବା ପାଇଁ ଏବଂ ନିଜର ମତଦାନ କାରିବାପାଇଁ ଖୁବ୍ ଉତ୍ସାହର ସହିତ ଆଗକୁ ଆସନ୍ତୁ । ଆପଣଙ୍କର ଭୋଟ ହିଁ ଆପଣଙ୍କର ସ୍ଵର ଅଟେ ।

ସେହିପରି ବିଜେପି କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ମଧ୍ୟ ଦେଶବାସୀଙ୍କୁ ଭୋଟ ଦେବା ପାଇଁ ଅପିଲ କରିଛନ୍ତି । ବୈଜୟନ୍ତ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି ଯେ, ପ୍ରଥମେ ମତଦାନ ତା’ପରେ ଜଳପାନ । ମତଦାନ କେବଳ ଆପଣଙ୍କ ଅଧିକାର ନୁହେଁ ଆପଣଙ୍କ କର୍ତ୍ତବ୍ୟ ମଧ୍ୟ। ସେଥିପାଇଁ ନିଜେ ଭୋଟ ଦେବା ସହ ନିଜ ପରିବାର, ସାହି ପଡ଼ିଶା ଏବଂ ଗାଁ ଲୋକଙ୍କୁ ଭୋଟ ଦେବାକୁ କୁହନ୍ତୁ । ପ୍ରଥମ ଥର ଯେଉଁମାନେ ଭୋଟ ଦେଉଛନ୍ତି ସେମାନଙ୍କୁ ବିଶେଷ କରି ଆଗ୍ରହ ଗଣତନ୍ତ୍ରର ଏହି ମହା ପର୍ବରେ ସାମିଲ୍ ହୋଇ ନିଜର ମତାଧିକାର ସାବ୍ୟସ୍ତ କରନ୍ତୁ ବୋଲି କହିଛନ୍ତି ବିଜେପି କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ।

ଆଜି ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ବିହାର, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ପଞ୍ଜାବ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ସମେତ ୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୫୭ଟି ଲୋକସଭା ଆସନରେ ଆରମ୍ଭ ହୋଇଛି ମତଦାନ । ସେପଟେ ଓଡ଼ିଶା ବିଧାନସଭାର ଅବଶିଷ୍ଟ ୪୨ଟି ବିଧାନସଭା ଆସନ ପାଇଁ ମଧ୍ୟ ମତଦାନ ଆରମ୍ଭ ହୋଇଛି ।

ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସଂନ୍ଧ୍ୟା ୬ଟାରେ ସରିବ ଭୋଟିଂ । ସପ୍ତମ ପର୍ଯ୍ୟାୟ ଭୋଟିଂ ପାଇଁ ପ୍ରାୟ ୧.୦୯ ଲକ୍ଷ ମତଦାନ କେନ୍ଦ୍ର ହୋଇଥିବା ବେଳେ ୧୦.୯ ଲକ୍ଷ ପୋଲିଂ ଅଫିସର ନିୟୋଜିତ ଅଛନ୍ତି । ସେହିପରି ଶେଷ ପର୍ଯ୍ୟାୟ ନିର୍ବାଚନରେ ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଏହି ପର୍ଯ୍ୟାୟ ନିର୍ବାଚନରେ ଭୋଟ ଦେବେ ୧୦.୦୬ କୋଟିରୁ ଅଧିକ ଭୋଟର । ସେଥିରୁ ୫.୨୪ କୋଟି ପୁରୁଷ, ୪.୮୨ କୋଟି ମହିଳା ଏବଂ ୩୫୭୪ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି ।

 

 

Comments are closed.