ନୂଆଦିଲ୍ଲୀ:ଗୁଜରାଟର ଗିର ଅଭୟାରଣ୍ୟ ବୁଲିଲେ ପ୍ରଧାନମନ୍ତ୍ରୀ ମୋଦି । ସିଂହ ସଫାରିରେ ବୁଲିବା ସହ କ୍ୟାମେରା ଲେନ୍ସରେ ଜୀବଜନ୍ତୁଙ୍କ ଫଟୋ ଓ ଭିଡିଓ ଉତ୍ତୋଳନ କରିଛନ୍ତି । ଆଜି ବିଶ୍ବ ବନ୍ୟପ୍ରାଣୀ ଦିବସ ଥିଲା । ଏହି ଅବସରରେ ଆଜି ଭୋରୁ ପ୍ରଧାନମନ୍ତ୍ରୀ ମୋଦି ସିଂହ ସଫାରି ବୁଲିଥିଲେ, ପ୍ରକୃତିର ଶୋଭା ଉପଭୋଗ କରିଥିଲେ । ସଫାରି ବୁଲିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ଏକ ନୂଆ ଅନ୍ଦାଜରେ ଦେଖିବାକୁ ମିଳିଥିଲା ।
ସିଂହଙ୍କ ମେଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜରାଟର ଜୁନାଗଡ଼ରେ ଥିବା ଗିର୍ ଅଭୟାରଣ୍ୟରେ ସିଂହ ସଫାରୀ ବୁଲିଲେ ମୋଦି । ସ୍ବତନ୍ତ୍ର ଜିପ୍ରେ ବସି ପ୍ରକୃତିର ଶୋଭା ଦର୍ଶନ ସହ ସିଂହ ସଫାରି ବୁଲିଲେ । ସଫାରିରେ ଭିନ୍ନ ଅନ୍ଦାଜରେ ଦେଖାଗଲେ ମୋଦି । ହାତରେ କ୍ୟାମେରା, ଗିର୍ ଅଭୟାରଣ୍ୟର ବିଭିନ୍ନ ସଟ୍କୁ କ୍ୟାମେରା ଲେନ୍ସରେ ତୋଳି ଧରିଲେ ପ୍ରଧାନମନ୍ତ୍ରୀ । ସଫାରି ଭିତରେ ବିଚରଣ କରୁଥିବା ସିଂହଙ୍କ ଫଟୋ ଉଠାଇଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଗିର ଅଭୟାରଣ୍ୟ ବୁଲିଛନ୍ତି । ଅବସର ଥିଲା ବିଶ୍ବ ବନ୍ୟପ୍ରାଣୀ ଦିବସର । ସୂର୍ଯ୍ୟଙ୍କ ପ୍ରଥମ କିରଣ ମାଟିରେ ପଡ଼ିବା ପୂର୍ବରୁ ଗୁଜରାଟର ଏହି ଗିର୍ ଅଭୟାରଣ୍ୟରେ ଥିବା ସିଂହ ସଫାରିରେ ପହଞ୍ଚି ୟାଇଥିଲେ । ସଫାରି ଗାଡ଼ିରେ ବସି ବୁଲିବା ବେଳେ ଏକ ସିଂହୀ ନିଜ ପିଲା ସହ ରାସ୍ତା କଡ଼ରେ ଶୋଇଥିବା ଦେଖିଲେ ମୋଦି । ଆଉ ଏହି ସୁନ୍ଦର କ୍ଷଣକୁ ହାତଛଡ଼ା କରିନଥିଲେ ମୋଦି । କ୍ୟାମେରା ଲେନ୍ସରେ ଏହାର ଚିତ୍ରକୁ ତୋଳି ଧରିଥିଲେ ପ୍ରଧାନମନ୍ତ୍ରୀ । ସଫାରି ଗାଡ଼ି କିଛି ଦୂର ଗଲା ପରେ ପଳାସ ଫୁଲର ସୌନ୍ଦର୍ୟରେ ଅଟକି ଯାଇଥିଲେ ପ୍ରଧାନମନ୍ତ୍ରୀ । ସେହିପରି ରାସ୍ତାରେ ଯାଉଥିବା ବେଳେ ମୟୂର ଏବଂ ଅନ୍ୟ ବନ୍ୟଜନ୍ତୁଙ୍କ ଫଟୋ ଉଠାଇଥିଲେ ।
ପ୍ରଧାନମନ୍ତ୍ରୀଙ୍କ ସହ କିଛି ମନ୍ତ୍ରୀ ଏବଂ ବନ ବିଭାଗର ଅଧିକାରୀ ଏଥିରେ ସାମିଲ ହୋଇଥିଲେ । ସିଂହ ସଫାରିରେ ବୁଲିବା ବେଳେ କ୍ୟାମେରାରେ ଉଠାଇଥିବା ଫଟୋକୁ ନିଜ ‘ଏକ୍ସ’ରେ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥିରେ କହିଛନ୍ତି, ବନ୍ୟପ୍ରାଣୀ ଦିବସ ଅବସରରେ ସିଂହ ସଫାରି ବୁଲିବାର ସୁଯୋଗ ମିଳିଲା । ଗିର ଅଭୟାରଣ୍ୟ ସହ ବହୁ ସ୍ମୃତି ରହିଛି । ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହି ଅଭୟାରଣ୍ୟକୁ ଆସୁଥିଲି । ଏଠାକାର ଏସିଆ ସିଂହଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଉଦ୍ୟମ କରୁଥିଲି । ଧୀରେ ଧୀରେ ଏମାନଙ୍କ ସଂଖ୍ୟା ବୃଦ୍ଧି ହେବା ସହ ବାଘ, ଗଣ୍ଡା ଆଦି ବନ୍ୟଜନ୍ତୁଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
Comments are closed.