ପୁରୀ: ସ୍ଥାନୀୟ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମରେ ତୃତୀୟ ଏନଟିପିସି ସର୍ବଭାରତୀୟ ର୍ୟାଙ୍କିଙ୍ଗ ତୀରନ୍ଦାଜ ପ୍ରତିଯୋଗିତା ଆୟୋଜିତ ହେଉଛି । ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ଦେଶର ଷ୍ଟାର ତୀରନ୍ଦାଜଙ୍କ ମଧ୍ୟରେ ରୋମାଂଚକ ମୁକାବିଲା ଦେଖିବାକୁ ମିଳିଥିଲା । ରିକର୍ଭ ପୁରୁଷ ବିଭାଗରେ ସର୍ଭିସେସ ସ୍ପୋର୍ଟ୍ସ କଂଟ୍ରୋଲ ବୋର୍ଡର ବି.ଧୀରଜ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ମହାରାଷ୍ଟ୍ରର ତୁଷାର ଶେଲକେ ଦ୍ୱିତୀୟ ଓ ପେଟ୍ରୋଲିୟମ ସ୍ପୋର୍ଟ୍ସ ପ୍ରମୋଶନ ବୋର୍ଡର ଅତନୁ ଦାସ ତୃତୀୟ ସ୍ଥାନରେ ରହିଥିଲେ । ଓଡିଶାର ଅର୍ଜୁନ ଖରା ସଂଘର୍ଷ କରିବା ସତ୍ୱେ ଅତନୁଙ୍କଠାର ପଛରେ ପଡି ଯାଇଥିଲେ ।
ରିକର୍ଭ ମହିଳା ବିଭାଗରେ ହରିୟାଣାର ଭଜନ କୌର ଅଲିମ୍ପିଆନ ଦୀପିକା କୁମାରୀଙ୍କୁ ପରାସ୍ତ କରି ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଦୀପିକା ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଥିବା ବେଳେ ହରିୟାଣାର ଅଭନୀ ରେଲୱେ ସ୍ପୋର୍ଟ୍ସ ପ୍ରୋମୋସନ ବୋର୍ଡର ଅଦିତି ଜୈସୱାଲଙ୍କୁ ହରାଇ ତୃତୀୟ ସ୍ଥାନ ହାସଲ କରିଥିଲେ । କମ୍ପାଉଣ୍ଡ ପୁରୁଷ ବିଭାଗରେ ମହାରାଷ୍ଟ୍ରର ସାହିଲ ରାଜେଶ ଯାଦବ ମଧ୍ୟପ୍ରଦେଶର ଚିରାଗ ବିଦ୍ୟାର୍ଥୀଙ୍କୁ ହରାଇ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ସର୍ଭିସେସ କଂଟ୍ରୋଲ ବୋର୍ଡର ସିଜ.ଜିଗନେଶ ଦ୍ୱିତୀୟ ଏବଂ ଚଣ୍ଡୀଗଡର ହର୍ଷ କୁମାର ତୃତୀୟ ସ୍ଥାନରେ ରହିଥିଲେ ।
ମହିଳା ବିଭାଗରେ ମହାରାଷ୍ଟ୍ରର ପୂର୍ବା ବୋକୋଡୋ, ଦିଲ୍ଲୀର କୁମୁଦ ସାଇନି ଓ ଗୋଆର ସୁଭିକଶା ଯଥାକ୍ରମେ ପ୍ରଥମ ୩ଟି ସ୍ଥାନରେ ରହିଥିଲେ । ପ୍ରଥମ ୩ଟି ସ୍ଥାନରେ ରହିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ରାଶି ବାବଦକୁ ଯଥାକ୍ରମେ ୨୦ ହଜାର, ୧୬ ହଜାର ଓ ୧୩ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଆସୋସିଏଶନର ସମ୍ପାଦକ ସମପୂର୍ଣ୍ଣାନନ୍ଦ ଦାସ ଏହାକୁ ପରିଚାଳନା କରିଥିଲେ ।
Comments are closed.