Latest Odisha News

ଉଦଘାଟନ ହେଲା ନାଳନ୍ଦାର ନୂଆ କ୍ୟାମ୍ପସ, ଫେରିବ ପୁରୁଣା ପରିଚୟ

ନୂଆଦିଲ୍ଲୀ: ବୁଧବାର ଉଦଘାଟନ ହେଲା ନାଳନ୍ଦାର ନୂଆ କ୍ୟାମ୍ପସ। ପ୍ରଧାନମନ୍ତ୍ରୀ ମୋଦି ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ ଉଦଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ପୁରୁଣା ବିଶ୍ୱବିଦ୍ୟାଳୟକୁ ବୁଲି ଦେଖିଛନ୍ତି। ୨୦୧୬ ମସିହାରେ ଏହି ବିଶ୍ୱବିଦ୍ୟାଳୟକୁ ପର୍ଯ୍ୟଟନସ୍ଥଳ ଭାବରେ ମାନ୍ୟତାପ୍ରାପ୍ତ କରାଯାଇଥିଲା। ଏହାର ରକ୍ଷଣାବେକ୍ଷଣ ପାଇଁ ସରକାର ଉଦ୍ୟମ କରିବା ସାଙ୍ଗକୁ ଏହା ନିକଟରେ ନୂତନ କ୍ୟାମ୍ପସ ନିର୍ମାଣ କରାଯାଇଛି।

୧୭୪୯ କୋଟି ଟଙ୍କା ବିନିମୟରେ ଏହି ନୂତନ କ୍ୟାମ୍ପସ ନିର୍ମାଣ କରାଯାଇଛି। ଏଥିରେ ୨ଟି ଏକାଡେମିକ ବ୍ଲକ ରହିଛି, ଯେଉଁଥିରେ ମୋଟ ୪୦ ଶ୍ରେଣୀଗୃହ କରାଯାଇଛି। ୧୯୦୦ ଛାତ୍ରଛାତ୍ରୀ ଶ୍ରେଣୀଗୃହ ଗୁଡ଼ିକରେ ବସି ଅଧ୍ୟୟନ କରିପାରିବେ। ଏହା ସହିତ ନୂତନ କ୍ୟାମ୍ପସରେ ୩୦୦ ଆସନ ବିଶିଷ୍ଟ ୨ଟି ଅଡିଟୋରିୟମ, ୫୫୦ ଛାତ୍ରଛାତ୍ରୀ ରହିଲା ଭଳି ହଷ୍ଟେଲ, ସ୍ପୋର୍ଟ୍ସ କମ୍ପେ୍ଲକ୍ସ ରହିଛି। ନୂଆ କ୍ୟାମ୍ପସର ବିଭିନ୍ନ ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ତାଙ୍କର ସୋସିଲ ମିଡିଆ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି, ଯେ ଆମର ଶିକ୍ଷାକ୍ଷେତ୍ର ପାଇଁ ଏକ ବିଶେଷ ଦିନ ରହିବ । ଆଜି ସକାଳ ୧୦.୩୦ ରେ ରାଜଗିରରେ ନାଳନ୍ଦା ବିଶ୍ୱ ବିଦ୍ୟାଳୟରେ ନୂଆ କ୍ୟାମ୍ପସ ଉଦଘାଟିତ ହୋଇଛି । ଏହା ଯୁବକମାନଙ୍କ ଶିକ୍ଷାଗତ ଆବଶ୍ୟକତାକୁ ପୂରଣ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

୨୦୧୦ ମସିହାରେ ସଂସଦର ଏକ ଅଧିନିୟମ ମାଧ୍ୟମରେ ନାଳନ୍ଦା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଛାତ୍ରଙ୍କ ସହିତ ଏକ ଅସ୍ଥାୟୀ ସ୍ଥାନରେ କାର୍ଯ୍ୟ ଆରମ୍ଭ ହେବା ସହ ବିଶ୍ୱବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ୨୦୧୭ରେ ଆରମ୍ଭ ହୋଇଥିଲା । ତେବେ ଆଧୁନିକ ଯୁଗରେ ପ୍ରାଚୀନ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ମନେ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ନୂଆ କ୍ୟାମ୍ପସର ବିଶେଷତ୍ୱ ହେଲା ଏଥିରେ ଅନେକଗୁଡ଼ିଏ ପରିବେଶ ଅନୁକୂଳ ଅତ୍ୟାଧୁନିକ ସୁବିଧା ରହିଛି।

Comments are closed.