Latest Odisha News

BREAKING NEWS

କଳାକାର ଏବଂ ହସ୍ତଶିଳ୍ପୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭେଟି, ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ: ବିଶ୍ୱକର୍ମା ପୂଜା ଅବସରରେ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୌଳିକ ବୃତ୍ତିକୁ ପ୍ରୋତ୍ସାହିତ ତଥା ସହଯୋଗ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏପରି ଏକ ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନା ମାଧ୍ୟମରେ କୌଳିକ ବୃତ୍ତିଗତଙ୍କୁ ମିଳିବ ବିଶ୍ୱକର୍ମା ପରିଚୟ । ୫% ସୁଧ ହାରରେ ୨ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣ ଯୋଗାଇଦେବେ କେନ୍ଦ୍ର ସରକାର । ୧୮ ବର୍ଗର କୌଳିକ ବୃତ୍ତିଧାରୀଙ୍କୁ ମିଳିବ ଏହି ସୁବିଧା । ଏଥିପାଇଁ ୫ ବର୍ଷରେ ୧୩ ହଜାର କୋଟି ଖର୍ଚ୍ଚ କରିବେ କେନ୍ଦ୍ର ସରକାର।

ଏହି ଯୋଜନାରେ ମୂର୍ତ୍ତି କାରିଗର, କମାର, ବଢ଼େଇ, ରାଜମିସ୍ତ୍ରୀଙ୍କ ସମେତ ୧୮ଟି ବର୍ଗର କାରିଗର ଓ ହସ୍ତଶିଳ୍ପୀ ଉପକୃତ ହେବେ । ଏହି ଯୋଜନାରେ ସାମିଲ ହେବା ପାଇଁ କଳାକାର ମାନଙ୍କୁ ପ୍ରଥମେ ପିଏମ ବିଶ୍ୱକର୍ମା ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡିବ । ଆବେଦନପତ୍ର ଯାଞ୍ଚ କରାଯାଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ହିତାଧିକାରୀମାନଙ୍କୁ ପରିଚୟ ପତ୍ର ଏବଂ ପ୍ରମାଣପତ୍ର ପ୍ରଦାନ କରାଯିବ । ସେମାନଙ୍କୁ ଏହି ଯୋଜନାରେ ଥିବା ସମସ୍ତ ସୁବିଧା ଓ ସହାୟତା ପ୍ରଦାନ କରାଯିବ ।

ପ୍ରଥମେ ୫ ରୁ ୭ ଦିନ ଯାଏଁ ପ୍ରତ୍ୟେକ ହିତାଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବା ପରେ ୧୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ୫ ବର୍ଷ ପାଇଁ କଳାକାର ଏବଂ ହସ୍ତଶିଳ୍ପୀଙ୍କ ପାଇଁ ଏହି ସହାୟତା ପ୍ରଦାନ କରାଯିବ । ପଞ୍ଜିକୃତ ଶିଳ୍ପୀମାନଙ୍କୁ ପିଏମ ବିଶ୍ୱକର୍ମା ସାର୍ଟିଫିକେଟ ସହ ଆଡି କାର୍ଡ ପ୍ରଦାନ କରାଯିବ । ସେମାନଙ୍କୁ ପ୍ରାଥମିକ ପ୍ରଶିକ୍ଷଣ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ପର୍ଯ୍ୟନ୍ତ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ । ଏଥିପାଇଁ ସେମାନଙ୍କୁ ୫ ପ୍ରତିଶତ ସୁଧ ଦେବାକୁ ପଡିବ ।

Comments are closed.