ପ୍ରଧାନମନ୍ତ୍ରୀଙ୍କ ମନ ଜିଣିଲା ରାଉରକେଲାର ‘ଆଦି ମହୋତ୍ସବ’: ରିଟୁଇଟ କରି କହିଲେ ଜନଜାତି ସମୁଦାୟର ଐତିହ୍ୟ ଓ ସଂସ୍କୃତି ପାଇଁ ଭାରତ ଗର୍ବିତ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ ଜିଣିଲା ଓଡ଼ିଶାର ‘ଆଦି ମହୋତ୍ସବ’ । ଆଦିମ ଆଦିବାସୀ ପରମ୍ପରା ଓ ସଂସ୍କୃତିର ମହକ ପରସିଥିଲା ଏହି ଆଦି ମହୋତ୍ସବ । ଏହି ମହକ ପ୍ରଧାନମନ୍ତ୍ରୀଙ୍କ ହୃଦୟକୁ ବି ଛୁଇଁଥିଲା । ରାଉରକେଲା ଠାରେ ଆୟୋଜିତ ହୋଇଥିଲା ଆଦିବାସୀ ପରମ୍ପରା ଓ ସଂସ୍କୃତି ର ସମାଗମ “ଆଦି ମହୋତ୍ସବ” । ଭାରତ ସରକାରଙ୍କ ଟ୍ରାଇଫେଡ ସଂସ୍ଥା ଓ ରାଉରକେଲା ଇସ୍ପାତ କାରଖାନାର ମିଳିତ ଆନୁକୁଲ୍ୟରେ ଭଞ୍ଜ ଭବନ ପଡ଼ିଆରେ ଆୟୋଜିତ ହୋଇଥିଲା “ଆଦି ମହୋତ୍ସବ” ।
ଆଦି ମହୋତ୍ସବ ଥିଲା ଆଦିବାସୀ ସଂପ୍ରଦାୟଙ୍କର ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ବିକାଶର ଏକ ସୁନ୍ଦର ପ୍ଲାଟଫର୍ମ । ପିଢ଼ି ପରେ ପିଢ଼ି ଧରି କରି ଆସୁଥିବା ବିଭିନ୍ନ ରାଜ୍ୟର ଆଦିବାସୀ କଳା, ଭାସ୍କର୍ଯ୍ୟ ଓ କୁଟୀର ଶିଳ୍ପର ବିକ୍ରି ତଥା ପ୍ରଚାର ପ୍ରସାର ପାଇଁ ସର୍ବୋତ୍କୃଷ୍ଟ ସ୍ଥାନ ଅଧିକାର କରିଛି ଏହି ପ୍ଲାଟଫର୍ମ । ଟ୍ରାଇଫେଡ ପକ୍ଷରୁ ଲଘୁ ବନ୍ୟଜାତ ସାମଗ୍ରୀ, ପାରମ୍ପରିକ ଖାଦ୍ୟପେୟର ପ୍ରଚାର ପ୍ରସାର ହେବା ସହ ବନବାସୀଙ୍କ ଜୀବନ ଶୈଳୀରେ କିପରି ଅଦ୍ଭୂତ ପୂର୍ବ ପ୍ରଗତୀ ପରିଲକ୍ଷିତ ହୋଇଛି ତାହା ମଧ୍ୟ ଏହି ମହୋତ୍ସବରେ ଦେଖିବାକୁ ମିଳିଥିଲା ।
ପାରମ୍ପରିକ ଢୋଲ ମାଦଳ ଓ ସଙ୍ଗୀତର ମୂର୍ଚ୍ଛନାରେ ଆଦିବାସୀ ଭାଇ ଓ ଭଉଣୀମାନଙ୍କ ଦ୍ଵାରା ସୁନ୍ଦର ନୃତ୍ୟ ସାଙ୍ଗକୁ ପାରମ୍ପରିକ ଖାଦ୍ୟର ଏକ ନିଆରା ଅନୁଭବ ବି ଦେଇଥିଲା ଏହି ଆଦି ମହୋତ୍ସବ । ପ୍ରଥମ ଥର ପାଇଁ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଏହା ହୋଇଥିଲା । ୧୯୯୯ ମସିହାରେ ସ୍ବତନ୍ତ୍ର ଭାବେ ଆଦିବାସୀ ମନ୍ତ୍ରାଳୟ ଖୋଲା ଯାଇ ଟ୍ରାଇଫେଡ ମାଧ୍ୟମରେ ଜନଜାତି ଲୋକଙ୍କର ହାତ ତିଆରି ଜିନିଷ ଗୁଡ଼ିକର ପ୍ରଚାର ପ୍ରସାର ଓ ବିକ୍ରୀବଟା ବୃଦ୍ଧି କରିବା ପାଇଁ ଏପରି ଏକ ନିଆାରା ଉଦ୍ୟମ ହୋଇଥିଲା । ଆଜି ବି ଏହି ମହୋତ୍ସବ ତାର ଚମକ ହରାଇନି ।
ଏହି ମହୋତ୍ସବର ଦୃଶ୍ୟ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଖିବା ପରେ ଏହାର ଭୁରି ଭୁରି ପ୍ରଶଂସା କରିଛନ୍ତି । ଭବାନୀ ଶଙ୍କର ଭୋଇ ନାମକ ଜଣେ ବ୍ୟକ୍ତି ଏହାକୁ ତାଙ୍କର ଟୁଇଟର ହାଣ୍ଡେଲରେ ସେୟାର କରିଛନ୍ତି । ଏହାକୁ ପ୍ରଧାନମନ୍ତ୍ରୀ ରିଟୁଇଟ କରି ପ୍ରଶଂସା କରିବା ସହ କହିଛନ୍ତି, ଓଡ଼ିଶାର ରାଉରକେଲାରେ ଅନୁଷ୍ଠିତ ହେଉଥିବା ‘ଆଦି ମହୋତ୍ସବ’ ଆମ ସଂସ୍କୃତିର ଏକ ଆକର୍ଷଣୀୟ ସୂତ୍ର । ଆମର ଜନଜାତି ସମୁଦାୟର ଐତିହ୍ୟ ଓ ସଂସ୍କୃତି ପାଇଁ ଭାରତ ଗର୍ବିତ ।
Comments are closed.