Latest Odisha News

BREAKING NEWS

ଓଡ଼ିଶାର ୨୦ ଜିଲ୍ଲାରେ କାର୍ଯ୍ୟକାରୀ ହେବ ଜାତୀୟ ସିକଲ୍‌ ସେଲ୍‌ ରୋଗ ଉନ୍ମୁଳନ ଅଭିଯାନ, ଆଜି ଉଦଘାଟନ

ଭୁବନେଶ୍ୱର: ୨୦୪୭ ସୁଦ୍ଧା ଦେଶରୁ ସିକଲ୍‌ ସେଲ୍‌ ରୋଗ ଉନ୍ମୁଳନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ସିକଲ୍‌ ସେଲ୍‌ ରୋଗ ଉନ୍ମୁଳନ ଅଭିଯାନର ଶୁଭାରମ୍ଭ କରିବେ । ଓଡ଼ିଶା ସମେତ ଦେଶର ୧୭ଟି ରାଜ୍ୟର ୨୭୮ ଜିଲ୍ଲା, ବିଶେଷ କରି ଜନଜାତି ବହୁଳ ଜିଲ୍ଲାରେ ଅଭିଯାନକୁ ବ୍ୟାପକ ଭାବେ କାର୍ଯ୍ୟକାରୀ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।

ଓଡ଼ିଶାର ୨୦ଟି ଜିଲ୍ଲାରେ ଜାତୀୟ ସିକଲ୍‌ ସେଲ୍‌ ରୋଗ ମିଶନକୁ କାର୍ଯ୍ୟକାରୀ କରିବା ନିମନ୍ତେ ବିସ୍ତୃତ ଯୋଜନା ପ୍ରସ୍ତୁତ ହୋଇଛି । ଏସବୁ ଜିଲ୍ଲା ହେଲେ – ଅନୁଗୁଳ, ବାଲେଶ୍ୱର, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, ସୋନପୁର ଏବଂ ସୁନ୍ଦରଗଡ଼ ।

ଓଡ଼ିଶା ବ୍ୟତୀତ ଉତ୍ତରାଖଣ୍ଡ (୧୩ ଜିଲ୍ଲା), ତେଲଙ୍ଗାନା(୯ ଜିଲ୍ଲା), ଗୁଜରାଟ(୧୪ ଜିଲ୍ଲା), ତାମିଲନାଡ଼ୁ(୩୨ ଜିଲ୍ଲା), ରାଜସ୍ଥାନ(୮ ଜିଲ୍ଲା), ଆସାମ(୩୪ ଜିଲ୍ଲା), ଛତିଶଗଡ଼(୩୩ ଜିଲ୍ଲା), ମଧ୍ୟପ୍ରଦେଶ(୨୦ ଜିଲ୍ଲା), ଉତ୍ତର ପ୍ରଦେଶ(୬ ଜିଲ୍ଲା), ଝାଡ଼ଖଣ୍ଡ(୨୪ ଜିଲ୍ଲା), ମହାରାଷ୍ଟ୍ର(୨୧ ଜିଲ୍ଲା), ପଶ୍ଚିମବଙ୍ଗ(୨୩ ଜିଲ୍ଲା), କର୍ଣ୍ଣାଟକ(୭ ଜିଲ୍ଲା), ବିହାର(୬ ଜିଲ୍ଲା), କେରଳ(୧ ଜିଲ୍ଲା), ଆନ୍ଧ୍ରପ୍ରଦେଶ(୭ ଜିଲ୍ଲା)ରେ ସିକଲ ସେଲ୍‌ ରୋଗ ଉନ୍ମୁଳନ ଅଭିଯାନକୁ କାର୍ଯ୍ୟକାରୀ କରାଯିବ । ଅଭିଯାନ ଅଧୀନରେ ୦ରୁ ୪୦ ବର୍ଷ ବୟସ୍କ ଲୋକଙ୍କ ରକ୍ତ ପରୀକ୍ଷା କରାଯାଇ ସେମାନଙ୍କ ଠାରେ ସିକଲ୍‌ ସେଲ୍‌ ରୋଗର ଲକ୍ଷଣ ଦେଖାଦେଲେ ଆବଶ୍ୟକ ଚିକିତ୍ସା କରାଯିବ ।

ଉଲ୍ଲେଖଯୋଗ୍ୟ, ସିକଲ ସେଲ୍ ଆନିମିଆ (Sickle Cell Anemia) ଏକ ବଂଶାନୁକ୍ରମିକ ରକ୍ତ ରୋଗ। ଏହା ଲୋହିତ ରକ୍ତ କଣିକାକୁ ପ୍ରଭାବିତ କରିଥାଏ, ଯାହା ଫଳରେ ସେଗୁଡ଼ିକ ଅସ୍ୱାଭାବିକ ଆକାର ଧାରଣ କରିଥାଏ, ଯାହାଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟଗତ ଜଟିଳତା ଦେଖାଦେଇଥାଏ। କେନ୍ଦ୍ର ସରକାର ସଚେତନତା ବୃଦ୍ଧି, ସ୍କ୍ରିନିଂ ଏବଂ ଚିକିତ୍ସା ପ୍ରଦାନ ଏବଂ ପ୍ରଭାବିତ ବ୍ୟକ୍ତି ଏବଂ ପରିବାରକୁ ସହାୟତା କରିବା ପାଇଁ ପଦକ୍ଷେପ ଆରମ୍ଭ କରିଛନ୍ତି। ଭାରତରେ ସିକଲ ସେଲ୍ ଆନିମିଆରେ ରହୁଥିବା ଲୋକଙ୍କ ପାଇଁ ଏହି ରୋଗର ମୁକାବିଲା ଏବଂ ଜୀବନଧାରଣର ମାନରେ ଉନ୍ନତି ଆଣିବା ପାଇଁ ପ୍ରୟାସ ଜାରି ରହିଛି।

Comments are closed.