Latest Odisha News

BREAKING NEWS

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଓଡ଼ିଶାରେ ୮୦୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶିଳାନ୍ଯାସ କରିବେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଓଡ଼ିଶାରେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ଭିଡିଓ କନଫରେନ୍ସିଂ ଜରିଆରେ ଅପରାହ୍ନ ପ୍ରାୟ ସାଢ଼େ ୧୨ଟାରେ ଏହି ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ।

ପୁରୀ ଓ ହାଓ୍ୱଡା ମଧ୍ୟରେ ଚଳାଚଳ କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବା ଏହି କାର୍ଯ୍ୟକ୍ରମର ଅନ୍ୟତମ ମୁଖ୍ୟ ଆକର୍ଷଣ ହେବ। ଏହି ହାଇସ୍ପିଡ୍ ଟ୍ରେନ୍ ଓଡ଼ିଶାର ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ସମେତ ପଶ୍ଚିମବଙ୍ଗର ପଶ୍ଚିମ ମେଦିନିପୁର ଓ ପୂର୍ବ ମେଦିନିପୁର ଜିଲ୍ଲା ଦେଇ ଯାତ୍ରା କରିବ। ବନ୍ଦେ ଭାରତ ଏକ୍ସପ୍ରେସର ପ୍ରଚଳନ ଦ୍ୱାରା ଯାତ୍ରୀମାନଙ୍କୁ ଏକ ଦ୍ରୁତ, ଅଧିକ ଆରାମଦାୟକ ଏବଂ ସୁବିଧାଜନକ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବା ସହିତ ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ ଏବଂ ଏହି କ୍ଷେତ୍ରରେ ଆର୍ଥିକ ବିକାଶକୁ ପ୍ରୋତ୍ସାହନ ମିଳିବ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ପୁରୀ ଓ କଟକ ରେଳ ଷ୍ଟେସନର ପୁନଃଉନ୍ନୟନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ନୂତନ ଷ୍ଟେସନ ଗୁଡିକରେ ଅତ୍ୟାଧୁନିକ ସୁବିଧା ସୁୟୋଗ ମିଳିବା ସହ ରେଳଯାତ୍ରୀଙ୍କୁ ବିଶ୍ୱସ୍ତରୀୟ ଅନୁଭୂତି ପ୍ରଦାନ କରାଯିବ।

ଏହାବ୍ୟତୀତ, ମୋଦୀ ଓଡ଼ିଶାରେ ରେଳ ନେଟଓ୍ୱର୍କର ସମ୍ପୂର୍ଣ୍ଣ ବିଦ୍ୟୁତିକରଣକୁ ଉଦଘାଟନ କରିବେ, ଯାହା ଏକ ମାଇଲଖୁଣ୍ଟ ହେବ। ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ହ୍ରାସ କରିବ ଏବଂ ଆମଦାନୀ ହୋଇଥିବା ଅଶୋଧିତ ତୈଳ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବା ଦିଗରେ ଏହା ସହାୟକ ହେବ।

ଉଦଘାଟନ ହେବାକୁ ଥିବା ଅନ୍ୟାନ୍ୟ ପ୍ରକଳ୍ପ ମଧ୍ୟରେ ସମ୍ବଲପୁର-ଟିଟିଲାଗଡ଼ ରେଳପଥର ଦୋହରୀକରଣ କାର୍ଯ୍ୟ ରହିଛି। ଅନୁଗୁଳ ଓ ସୁକିନ୍ଦାକୁ ସଂଯୋଗ କରୁଥିବା ନୂଆ ବ୍ରଡଗେଜ ରେଳ ଲାଇନ ପ୍ରତିଷ୍ଠା, ମନୋହରପୁର-ରାଉରକେଲା-ଝାରସୁଗୁଡ଼ା-ଜାମଗାକୁ ସଂଯୋଗ କରୁଥିବା ତୃତୀୟ ଲାଇନର ନିର୍ମାଣ, ଏବଂ ବିଛୁପାଲି ଓ ଝାରତରଭା ମଧ୍ୟରେ ଏକ ନୂଆ ବ୍ରଡଗେଜ ଲାଇନର ବିକାଶ ରହିଛି। ଏହି ପ୍ରକଳ୍ପଗୁଡ଼ିକର ଉଦ୍ଦେଶ୍ୟ ହେଉଛି ଓଡ଼ିଶାରେ ଇସ୍ପାତ, ଶକ୍ତି ଏବଂ ଖଣି କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି ଫଳରେ ବର୍ଦ୍ଧିତ ପରିବହନ ଚାହିଦାକୁ ପୂରଣ କରିବା। ଏହାବ୍ୟତୀତ ଏହି ରେଳ ସେକ୍ସନରେ ଯାତ୍ରୀଙ୍କ ଚାପ ମଧ୍ୟ ହ୍ରାସ ପାଇବ।

Comments are closed.