Latest Odisha News

BREAKING NEWS

ପିଏମ କିଷାନ ଯୋଜନାରେ ସାମିଲ ହୋଇନଥିବା ସମସ୍ତ ହିତାଧିକାରୀଙ୍କୁ ୧୫ ଦିନ ମଧ୍ୟରେ ଅନ୍ତର୍ଭୁକ୍ତ କରାଯିବ

ଭୁବନେଶ୍ଵର: ବରଗଡ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଷୋଜନାର ୧୭ତମ କିସ୍ତି ରିଲିଜ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଓଡିଶାର ପ୍ରାୟ ୩୧.୬୨ ଲକ୍ଷ ଚାଷୀଙ୍କ ଖାତାକୁ ୬୩୨.୪୮ କୋଟି ଟଙ୍କା ପଠାଯାଇଛି । ପ୍ରତ୍ୟେକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି । ବାରଣାସୀରେ ଆୟୋଜିତ ରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ପ୍ରଧାନ ମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ଏକ କୃଷକ କଲ୍ୟାଣକାରୀ ପ୍ରଗତିଶୀଳ ତଥା କୃଷକଙ୍କୁ ମୁଖ୍ୟ ସ୍ରୋତରେ ସମ୍ମିଳିତ କରିବା ଭଳି ଯୋଜନା । କୃଷକର ବିକାଶ ଏବଂ ଦାରିଦ୍ର୍ୟତା ହ୍ରାସ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ମୋଦୀ ସରକାର ଫେବୃଆରୀ ୨୦୧୯ ରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାରେ ଆମ ସରକାର ଆସିବାର ପ୍ରଥମ ଦିନରେ ହିଁ ମୋ କ୍ୟାବିନେଟ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟକୁ ୩୧୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି । ପୂର୍ବ ସରକାର ଦେଇଥିବା ପ୍ରତିଶୃତି ଅନୁଯାୟୀ, ୧୦୦ ଟଙ୍କା ବୋନସ୍‌ ଦେଲେନାହିଁ ବରଂ କଟନି ଛଟନି ଆରମ୍ଭ କଲେ । ମୋ ସରକାର ଜନତାଙ୍କ ସରକାର। ସାଧାରଣ ଲୋକଙ୍କ ପାଇଁ ଆମର ସବୁ ପ୍ରତିଶୃତି ପୂରଣ ହେବ। ମୁଁ ଚାହୁଁଛି ଯେ କୌଣସି ଯୋଗ୍ୟ କୃଷକ ଏହି ଯୋଜନା ଅଧୀନରେ ଲାଭ ପାଇବାରୁ ବଞ୍ଚିତ ହେବେ ନାହିଁ । ଆଗାମୀ ୧୫ ଦିନ ମଧ୍ୟରେ ସବୁ ବଞ୍ଚିତ ଯୋଗ୍ୟ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ଆଗାମୀ କିସ୍ତିରେ ଆପଣମାନେ ଏହାର ସୁଫଳ ପାଇବେ।

 

 

Leave A Reply

Your email address will not be published.