Latest Odisha News

BREAKING NEWS

ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସ ଭବନରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ।

ତାଙ୍କ ବିୟୋଗରେ ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତୀୟ ରାଜନୀତିରେ ଏକ ଯଶସ୍ୱୀ ଅଧ୍ୟାୟର ଶେଷ ହୋଇଛି । ଜଣେ ଅସାଧାରଣ ନେତାଙ୍କ ବିୟୋଗରେ ଭାରତ ଶୋକ ପ୍ରକାଶ କରୁଛି, ଯିଏକି ତାଙ୍କ ଜୀବନକୁ ଜନ ସାଧାରଣଙ୍କ ସେବା ଏବଂ ଗରିବଙ୍କ ଜୀବନ ଧାରଣର ମାନ ଉନ୍ନତ କରିବାରେ ଉତ୍ସର୍ଗ କରିଥିଲେ । ସୁଷମାଜୀ ଥିଲେ ଅଦ୍ୱିତୀୟ ଏବଂ ସେ ଥିଲେ କୋଟି କୋଟି ଜନ ସାଧାରଣଙ୍କ ପାଇଁ ପ୍ରେରଣାର ଉତ୍ସ ।

ସୁଷମାଜୀ ଥିଲେ ଜଣେ ବିଚକ୍ଷଣ ବକ୍ତା ଏବଂ ଅସାଧାରଣ ସାଂସଦ । ଦଳ ନିର୍ବିଶେଷରେ ତାଙ୍କୁ ସମସ୍ତେ ସମ୍ମାନ ଓ ପ୍ରଶଂସା କରୁଥିଲେ । ବିଜେପିର ଆଦର୍ଶ ଓ ସ୍ୱାର୍ଥ ବିଷୟକୁ ନେଇ ସେ ଅଟଳ ଥିଲେ ଓ ଏହି ଦଳର ବିକାଶରେ ତାଙ୍କର ଅନେକ ଯୋଗଦାନ ରହିଥିଲା ।

ସୁଷମାଜୀ ଥିଲେ ଜଣେ ଚମତ୍କାର ପ୍ରଶାସକ ଏବଂ ଯେଉଁ ମନ୍ତ୍ରଣାଳୟ ଦାୟିତ୍ୱରେ ସେ ରହୁଥିଲେ ସେଠାରେ ଏକ ଉଚ୍ଚ ମାନଦଣ୍ଡ ନିର୍ଦ୍ଧାରଣ କରୁଥିଲେ । ବିଭିନ୍ନ ଦେଶ ସହିତ ଭାରତର ସମ୍ପର୍କକୁ ଉନ୍ନତ କରିବାରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଜଣେ ମନ୍ତ୍ରୀ ଭାବେ ଆମେ ତାଙ୍କର କରୁଣାବାନ ଦିଗକୁ ମଧ୍ୟ ଦେଖିଛେ । ବିଶ୍ୱର ଯେକୌଣସି ଭାଗରେ ହତାଶା ମଧ୍ୟରେ ଥିବା ଭାରତୀୟ ବ୍ୟକ୍ତିଙ୍କୁ ସେ ସହାୟତା କରୁଥିଲେ ।

ବୈଦେଶିକ ମନ୍ତ୍ରୀ ଭାବେ ଗତ ୫ ବର୍ଷ ମଧ୍ୟରେ ସେ ଯେଭଳି ଅବିଶ୍ରାନ୍ତ ଭାବେ କାର୍ଯ୍ୟ କରିଥିଲେ ତାହା ମୁଁ ଭୁଲି ପାରିବି ନାହିଁ । ଏପରିକି ତାଙ୍କ ସ୍ୱାସ୍ଥ୍ୟ ଭଲ ନଥିଲା ବେଳେ ମଧ୍ୟ ତାଙ୍କ କାର୍ଯ୍ୟକୁ ନ୍ୟାୟ ପ୍ରଦାନ କରିବା ପାଇଁ ସେ ଯଥା ସମ୍ଭବ ପ୍ରୟାସ କରୁଥିଲେ ଏବଂ ତାଙ୍କ ମନ୍ତ୍ରଣାଳୟର ବିଷୟକୁ ନେଇ ସମସ୍ତ ବିଷୟରେ ଅବଗତ ରହୁଥିଲେ । ତାଙ୍କ ଉତ୍ସାହ ଏବଂ ସଂକଳ୍ପ ଥିଲା ଅଦ୍ୱିତୀୟ ।

ସୁଷମା ଜୀଙ୍କ ପରଲୋକ ଏକ ବ୍ୟକ୍ତିଗତ କ୍ଷତି । ଭାରତ ପାଇଁ ସେ ଯାହା କରିଛନ୍ତି ସେଥିପାଇଁ ତାଙ୍କୁ ସମସ୍ତେ ଅନୁରାଗ ପୂର୍ବକ ସ୍ମରଣ ରଖିବେ । ଏହି ଅତ୍ୟନ୍ତ ଦୁଃଖଦ ମୁହୂର୍ତରେ ତାଙ୍କ ପରିବାର ବର୍ଗ, ସମର୍ଥକ ଏବଂ ପ୍ରଶଂସକମାନଙ୍କୁ ମୁଁ ସମବେଦନା ପ୍ରକାଶ କରୁଛି । ଓମ ଶାନ୍ତି ।”

Leave A Reply

Your email address will not be published.