ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ପ୍ରଡକ୍ସନ ହାଉସ ସିଲଭର କାଷ୍ଟ କ୍ରିଏଶନ ନୂତନ ଫିଲ୍ମର ନାମ ଘୋଷଣା କରିଛି । ମୋଦିଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମର ନାମ ମା ବନ୍ଦେ ରଖାଯାଇଛି । ମୋଦିଙ୍କ ଭୂମିକା ମାଲାୟଲମ ଅଭିନେତା ଉନ୍ନୀ ମୁକୁନ୍ଦନ ଅଭିନୟ କରିବେ । କ୍ରାନ୍ତି କୁମାର ଫିଲ୍ମର ନିର୍ଦ୍ଦେଶନା ଦେବେ । ଏହି ଫିଲ୍ମ ସମ୍ପୂର୍ଣ୍ଣ ଭାବେ ପିଏମ ମୋଦିଙ୍କ ଜୀବନଯାତ୍ରା ଉପରେ ଆଧାରିତ ହେବ । ଶୈଶବରୁ ଆରମ୍ଭ କରି ଦେଶର ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ସବୁ କିଛି ଏଥିରେ ଦେଖାଯିବ । ଉନ୍ନୀ ବିକ୍ରମାଦିତ୍ୟ, କେଏଲ ୧୦ ପଟ୍ଟୁ, ଷ୍ଟାଇଲ, ଜନତା ଗ୍ୟାରେଜ ଓ ତାମିଲ ଫିଲ୍ମ ଗରୁଡନରେ ଅଭିନୟ କରି ଦର୍ଶକଙ୍କ ପ୍ରିୟ ହୋଇ ପାରିଛନ୍ତି ।
ରବି ବସରୁରା ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେବେ । ମୋଦିଙ୍କ ଜନ୍ମ ଦିନରେ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଫିଲ୍ମ ଘୋଷଣା ହେବା ପରେ ଇଣ୍ଡଷ୍ଟ୍ରିର କଳାକାରମାନେ ମେକର୍ସଙ୍କୁ ଅଭିନନ୍ଦନ ଦେବାରେ ଲାଗିଛନ୍ତି । ଅନୁପମ ଖେର, କଙ୍ଗନା ରାନାୱତ ଓ ହେମା ମାଳିନୀଙ୍କ ପରି କଳାକାର ମୋଦିଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ପରେ ଏବେ ମେକର୍ସଙ୍କୁ ତାଙ୍କର ଉଦ୍ୟମ ନେଇ ଶୁଭକାମନା ଜଣାଇଛନ୍ତି ।
Comments are closed.