ନୂୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ୟୁକ୍ରେନର ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କିଙ୍କ ସହ କଥା ହୋଇ ୟୁକ୍ରେନରେ ଚାଲିଥିବା ବିବାଦ ଉପରେ ଆଲୋଚନା କରିଛନ୍ତି। ଅନ୍ତର୍ଜାତୀୟ ଆଇନକୁ ସମ୍ମାନ ଦେବା ସହ ସମସ୍ତ ରାଷ୍ଟ୍ରର ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତାକୁ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ଏଥିସହ ଶାନ୍ତି ଉପରେ ଜୋର ଦେଇଛନ୍ତି ମୋଦୀ।
ଏହି ଅବସରରେ ୟୁକ୍ରେନରେ ଚାଲିଥିବା ବିବାଦ ଉପରେ ଦୁଇ ନେତା ଆଲୋଚନା କରିଛନ୍ତି। ବିବାଦକୁ ଶେଷ କରିବା ପାଇଁ କୂଟନୀତିକ ପଥ ଅନୁସରଣ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଏହି ବିବାଦ ଯୁଦ୍ଧ ଜରିଆରେ ଶେଷ ହୋଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ପିଏମଓ ପକ୍ଷରୁ କୁହାଯାଇଛି ଯେ ୟୁକ୍ରେନ ସମେତ ଆଣବିକ ସ୍ଥାପନର ସୁରକ୍ଷାକୁ ଭାରତ ଗୁରୁତ୍ୱ ଦେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଣବିକ ସ୍ଥାପନକୁ ବିପଦରେ ପକାଇବା ଜନସ୍ୱାସ୍ଥ୍ୟ, ପରିବେଶ ଉପରେ ସୁଦୂରପ୍ରସାରୀ ତଥା ଭୟଙ୍କର ପ୍ରଭାବ ପକାଇପାରେ। ଉଲ୍ଲେଖନୀୟ କଥା ହେଉଛି, ପୁଟିନ ୟୁକ୍ରେନରେ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାକୁ ଧମକ ଦେଇଥିଲେ।
ଏହାପୂର୍ବରୁ ଉଜବେକିସ୍ତାନର ସମରକନ୍ଦରେ ଅନୁଷ୍ଠିତ ଏସସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ପୁଟିନଙ୍କୁ କହିଥିଲେ, ଏବେର ସମୟ ଯୁଦ୍ଧର ସମୟ ନୁହେଁ। ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ହୋଇପାରିବ। ଏହାର ଜବାବରେ ପୁଟିନ କହିଥିଲେ ୟୁକ୍ରେନ ଆଲୋଚନା ଟେବୁଲକୁ ଆସୁ ନାହିଁ। ସେପଟେ ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି, ପୁଟିନ ଋଷ ରାଷ୍ଟ୍ରପତି ଥିବା ଯାଏ ୟୁକ୍ରେନ ଋଷ ସହ ଆଲୋଚନା କରିବ ନାହିଁ।
ନିକଟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ମଧ୍ୟ ମିଳିତ ଜାତିସଂଘ ସାଧାରଣ ସଭାରେ କହିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଟିନଙ୍କ ଆଗରେ ଯାହା କହିଛନ୍ତି ତାହା ଠିକ୍ କଥା । ପୁଟିନଙ୍କ ନିଷ୍ପତ୍ତି ପାଶ୍ଚାତ୍ୟ ଦେଶ ବିରୋଧରେ ରହୁଛି।
ଋଷ ଏବଂ ୟୁକ୍ରେନ ମଧ୍ୟରେ ବିବାଦ ୨୦୧୪ ଠାରୁ ରହିଛି। ଚଳିତ ବର୍ଷ ଫେବୃଆରୀରେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ଯାହା ଏଯାବତ ଚାଲିଛି। ଯୁଦ୍ଧର ସାତ ମାସରୁ ଅଧିକ ସମୟ ବିତିଗଲାଣି, କିନ୍ତୁ କେହି ପଛକୁ ହଟିବାକୁ ପ୍ରସ୍ତୁତ ନୁହନ୍ତି। ନିକଟରେ ପୁଟିନ ୟୁକ୍ରେନର ୧୫ ପ୍ରତିଶତ ଅଞ୍ଚଳକୁ ଋଷ ସହ ମିଶାଇଛନ୍ତି।
Comments are closed.