PM On Diesel Price: ଡିଜେଲ ଦର ବୃଦ୍ଧିରୁ ଚାଷୀଙ୍କୁ ବଡ଼ ଆଶ୍ୱସ୍ତି! ପ୍ରଧାନମନ୍ତ୍ରୀ କହିଲେ, ୫୦ ଟଙ୍କା ବଢ଼ିବାକୁ ଥିଲା ହେଲେ ନିଜେ ସହିଲେ ସରକାର…
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ସତ୍ତ୍ୱେ ଚାଷୀ ଓ ସାଧାରଣ ଉପଭୋକ୍ତାଙ୍କ ଉପରେ ଅଧିକ ଆର୍ଥିକ ବୋଝ ନପଡ଼ିବା ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଡିଜେଲ ଲିଟର ପିଛା ୫୦ ଟଙ୍କା ବୃଦ୍ଧି ହେବାର ସମ୍ଭାବନା ଥିବାବେଳେ ସରକାର ମାତ୍ର ୭ ଟଙ୍କା ବଢ଼ାଇଛନ୍ତି ଏବଂ ବାକି ୪୩ ଟଙ୍କାର ଆର୍ଥିକ ବୋଝ ନିଜେ ବହନ କରିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ଗୁରୁବାର ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆୟୋଜିତ ଇଣ୍ଡିଆ ଟୁଡେ ଗ୍ରୁପ୍ର ‘କିସାନ ଟାକ୍ ଭାରତ କୃଷି ସମ୍ମିଳନୀ ୨୦୨୬’ର ପ୍ଲେନାରୀ ଅଧିବେଶନରେ ଯୋଗଦେଇ ଏହି ଦାବି କରିଛନ୍ତି ପ୍ରଧାନମନ୍ତ୍ରୀ। ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କିଛି ସପ୍ତାହ ମଧ୍ୟରେ ବ୍ୟାରେଲ ପିଛା ୭୦ ଡଲାରରୁ ୧୨୨ ଡଲାରକୁ ବୃଦ୍ଧି ପାଇଥିଲା। ଏହା ଭାରତ ପାଇଁ ଏକ ବଡ଼ ଆହ୍ୱାନ ଥିଲା ବୋଲି ସେ କହିଛନ୍ତି।
ମୋଦୀଙ୍କ କହିବା ଅନୁଯାୟୀ, ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧିର ସମ୍ପୂର୍ଣ୍ଣ ପ୍ରଭାବ ଦେଶର ନାଗରିକ ଓ ଚାଷୀଙ୍କ ଉପରେ ପକାଇବା ପରିବର୍ତ୍ତେ ସରକାର ଏହାର ବଡ଼ ଅଂଶ ନିଜେ ବହନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ପଦକ୍ଷେପ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଆଯାଇଥିଲା।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଇନ୍ଧନ ଦର ବୃଦ୍ଧିର ପ୍ରଭାବରୁ ଉପଭୋକ୍ତା ଓ ଚାଷୀଙ୍କୁ ସୁରକ୍ଷା ଦେବା ପାଇଁ ସରକାର ପ୍ରତି ମାସରେ ୧୪ ହଜାର କୋଟି ଟଙ୍କାର ଆର୍ଥିକ ବୋଝ ବହନ କରୁଛନ୍ତି। ଏହି ସମୟରେ ପଡ଼ୋଶୀ ଦେଶଗୁଡ଼ିକରେ ଡିଜେଲ ଦର ୪୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଥିବା ବେଳେ ଭାରତରେ ଦର ବୃଦ୍ଧିକୁ ସୀମିତ ରଖାଯାଇଥିବା ସେ ଦାବି କରିଛନ୍ତି।
ଚାଷୀଙ୍କୁ ସୁଲଭ ମୂଲ୍ୟରେ ସାର ଯୋଗାଇଦେବା ପାଇଁ ଗତ ୧୨ ବର୍ଷ ମଧ୍ୟରେ ସରକାର ୧୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ମୋଦୀ କହିଛନ୍ତି। ଅନ୍ତର୍ଜାତୀୟ ବଜାର ଦର ଓ ଭାରତରେ ଚାଷୀଙ୍କୁ ମିଳୁଥିବା ଦର ମଧ୍ୟରେ ବଡ଼ ପାର୍ଥକ୍ୟ ରହିଛି ବୋଲି ସେ ଉଲ୍ଲେଖ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଅନ୍ତର୍ଜାତୀୟ ବଜାରରେ ଏକ ବସ୍ତା ଡି-ଆମୋନିୟମ୍ ଫସଫେଟ୍ (ଡିଏପି) ସାରର ମୂଲ୍ୟ ପ୍ରାୟ ୫ ହଜାର ଟଙ୍କା ଥିବାବେଳେ ଭାରତୀୟ ଚାଷୀଙ୍କୁ ଏହା ୧୩୦୦ ଟଙ୍କାରେ ଯୋଗାଇ ଦିଆଯାଉଛି। ସେହିପରି ଅନ୍ତର୍ଜାତୀୟ ବଜାରରେ ପ୍ରାୟ ୩ ହଜାର ଟଙ୍କା ମୂଲ୍ୟର ଏକ ବସ୍ତା ୟୁରିଆ ସାର ଭାରତରେ ଚାଷୀଙ୍କୁ ୩୦୦ ଟଙ୍କାରୁ କମ୍ ମୂଲ୍ୟରେ ମିଳୁଛି। ‘୧୬ ଲକ୍ଷ କୋଟି ଟଙ୍କା ଏକ ବହୁତ ବଡ଼ ରାଶି। ବିଶ୍ୱର ଅନେକ ଦେଶର ବଜେଟ୍ ମଧ୍ୟ ଏହି ରାଶିଠାରୁ କମ୍’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଚାଷ କାର୍ଯ୍ୟରେ ଖର୍ଚ୍ଚ ନିୟନ୍ତ୍ରଣ କରିବା ସହ ଚାଷୀଙ୍କୁ ସୁଲଭ ମୂଲ୍ୟରେ ସାର ଯୋଗାଇଦେବା ସରକାରଙ୍କ ପ୍ରାଥମିକତା ବୋଲି ମୋଦୀ କହିଛନ୍ତି। ବିଶ୍ୱ ବଜାରରେ ଦରର ଅସ୍ଥିରତା ଯୋଗୁଁ ଚାଷୀଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ନପଡ଼ିବା ପାଇଁ ଏହି ବ୍ୟବସ୍ଥାଗୁଡ଼ିକ ନିଆଯାଇଛି। ସୁଲଭ ମୂଲ୍ୟରେ ଇନ୍ଧନ ଓ ସାର ଉପଲବ୍ଧ ହେବା କୃଷି କ୍ଷେତ୍ରର ଅଭିବୃଦ୍ଧି, ଚାଷୀଙ୍କ ଆୟ ବୃଦ୍ଧି ଏବଂ ଦେଶର କୃଷି ଅର୍ଥନୀତିକୁ ସୁଦୃଢ଼ କରିବାରେ ଅତ୍ୟନ୍ତ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।
