Latest Odisha News

BREAKING NEWS

ବଦଳିଲା ସିମ୍ କାର୍ଡ କିଣିବା ନିୟମ, ଜରୁରୀ ନିର୍ଦ୍ଦେଶ ଦେଲେ ପିଏମଓ

ନୂଆଦିଲ୍ଲୀ: ମୋବାଇଲ ଉପଭୋକ୍ତାଙ୍କ ପାଇଁ ବଡ ଖବର । ଏଣିକି ନୂତନ ସିମ୍ କାର୍ଡ ଆଣିବାକୁ ହେଲେ ମାନିବାକୁ ପଡିବ ଏହି ନିୟମ । ନୂଆ ସିମ୍ କାର୍ଡ ପାଇଁ ନୂତନ ନିୟମ ଆଣିଛନ୍ତି କେନ୍ଦ୍ର ସରକାର । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ଟେଲିକମ୍ ବିଭାଗକୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦିଆଯାଇଛି। ନିୟମ ଅନୁଯାୟୀ, ସମସ୍ତ ନୂତନ ସିମ୍ କାର୍ଡ ସଂଯୋଗ ପାଇଁ ଆଧାର ଆଧାରିତ ବାୟୋମେଟ୍ରିକ୍ ଯାଞ୍ଚକୁ ବାଧ୍ୟତାମୂଳକ କରାଯାଇଛି । ନକଲି ଡକ୍ୟୁମେଣ୍ଟ ମାଧ୍ୟମରେ ବେଆଇନ ସିମ୍ କାର୍ଡ କିଣିବା ଏବଂ ଏହାର ବ୍ୟବହାର ଭୁଲ ବାଟରେ କରିବାରୁ ବର୍ତ୍ତିବା ପାଇଁ ସରକାର ଏହି ନିୟମ ଆରମ୍ଭ କରିଛନ୍ତି ।

ରିପୋର୍ଟ ଅନୁଯାୟୀ, ପୂର୍ବରୁ ବ୍ୟବହାରକାରୀମାନେ ଏକ ନୂତନ ସିମ୍ କାର୍ଡ ସଂଯୋଗ ପାଇବା ପାଇଁ ଯେକୌଣସି ସରକାରୀ ଆଇଡି ଯେପରିକି ଭୋଟର କାର୍ଡ, ଆଧାର କାର୍ଡ ଆଦି ବ୍ୟବହାର କରୁଥିଲେ । ଏବେ ନୂତନ ନିୟମ ଅନୁସାରେ ନୂଆ ସିମ୍ କାର୍ଡକୁ ସକ୍ରିୟ କରିବା ପାଇଁ ଆଧାର ମାଧ୍ୟମରେ ବାୟୋମେଟ୍ରିକ୍ ଯାଞ୍ଚ କରିବାକୁ ପଡିବ । ତେବେ ଏହା ଦ୍ଵାରା ଖୁଚୁରା ବ୍ୟବସାୟୀମାନେ ଏହି ନିୟମ ଅନୁସରଣ ନକରି ଆଉ ସିମ୍ କାର୍ଡ ବିକ୍ରୟ କରିବାକୁ ସମର୍ଥ ହେବେ ନାହିଁ ।

ଟେଲିକମ୍ ସେକ୍ଟର ଦ୍ଵାରା ନିକଟରେ ହୋଇଥିବା ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ନକଲି ସିମ୍ କାର୍ଡ ଆର୍ଥିକ ଘୋଟାଲାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ଜଣାପଡିଛି। ଅନୁସନ୍ଧାନରୁ ଜଣାପଡିଛି ଯେ ଗୋଟେ ଡିଭାଇସରେ ଏକାଧିକ ସିମ୍ କାର୍ଡ ବ୍ୟବହାର କରାଯାଉଛି । ଯାହା ସାଇବର ଠକେଇକୁ ଏକ ମାତ୍ରାରେ ବଢେଇଛି । ଏସବୁ ବିରୋଧରେ ଏବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କେନ୍ଦ୍ର ସରକାର । ଆଇନ ଶୃଙ୍ଖଳା ସଂସ୍ଥା ସହ ସହଯୋଗ କରିବାକୁ ତଥା ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପିଏମଓ ଟେଲିକମ୍ ବିଭାଗକୁ ନିର୍ଦ୍ଦେଶ ଦେଇଛି। ଏହାଦ୍ଵାରା ନକଲି ଡକ୍ୟୁମେଣ୍ଟ ବ୍ୟବହାର କରି ସିମ୍ କାର୍ଡ ପ୍ରଦାନ କରୁଥିବା ଖୁଚୁରା ବିକ୍ରେତାଙ୍କୁ କଡା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡିବ।

Comments are closed.