ପୁରୀ: ପୋଲାଭରମ ପ୍ରକଳ୍ପ କୁ ବିରୋଧ କରି ମୋଟୁ ଠାରୁ ଆରମ୍ଭ ହୋଇଥିବା ସାଇକେଲ ଯାତ୍ରା ଆଜି ପୁରୀ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପହଞ୍ଚିଛି । ଆଇନଜୀବୀ ତଥା “ପିପୁଲ ଏଗେନେଷ୍ଟ ପୋଲାଭରମ ପ୍ରୋଜେକ୍ଟ ଜାତୀୟ କମିଟି ଉପଦେଷ୍ଟା ଲମ୍ବୋଧର ତୁରୁଜଙ୍କ ସାଇକଲ ଯାତ୍ରା ଆଜି ପୁରୀ ଠାରେ ଶେଷ ହୋଇଛି । ବିବାଦୀୟ ବହୁମୁଖୀ ଇନ୍ଦିରା ସାଗର ପୋଲାଭରମ ଡ୍ୟାମ ପ୍ରୋଜେକ୍ଟକୁ ବିରୋଧ କରି ଚଳିତମାସ ୨୦ ତାରିଖ ରେ ମାଲକାନଗିରି ଜିଲ୍ଲା ସୀମାର ମୋକୁ ଗ୍ରାମ ସ୍ଥିତ ସିଲେରୁ ଓ ସାବେରୀ ନଦୀର ସଙ୍ଗମ ସ୍ଥଳରୁ ଜଳ ସଂଗ୍ରହ କରି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।
ଅନେକ ଘାଟି ରାସ୍ତା ସାଇକଲରେ ଅତିକ୍ରମ କରି ପ୍ରାୟ ନଅ ଶହ କିଲୋମିଟର ଦୂର ଯାତ୍ରାକରି ଏଠାର ଦିନରେ ସେ ପୁରୀ ଆସି ପହଞ୍ଚିଛନ୍ତି । ସଂଗ୍ରହ କରି ଆଣିଥିବା ଜଳ ପୁରୀ ସମୁଦ୍ରରେ ବିସର୍ଜନ କରି ଶ୍ରୀ ତୁରୁକ ଏବଂ “ପିପୁଲ ଏଗେନଷ୍ଟ ପୋଲାଭରମ ପ୍ରୋଜେକ୍ଟ ଜାତୀୟ କମିଟି ଅଧ୍ୟକ୍ଷ ପ୍ରଭାକର ହନ୍ତାଳ ସମୁଦ୍ରରେ ସ୍ନାନକରି ଜଗନ୍ନାଥ ଠାକୁରଙ୍କୁ ଦର୍ଶନ କରି ପୋଲାଭରମ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜୁହାରି କରି ମାଲକାନଗିରି ଫେରିଯିବେ ।
ଆନ୍ଧ୍ର ପ୍ରଦେଶ ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିବା ସମୟରେ ବ୍ରିଟିଶ ଶାସକମାନଙ୍କ ଦ୍ବାରା ୧୯୪୧ ମସିହାରେ ପ୍ରସ୍ତାବିତ ପୋଲାଭରମ ପ୍ରକଳ୍ପ ବିଧିବଦ୍ଧ ଭାବେ ୨୦୦୪ ମସିହାରେ କାର୍ଯ୍ୟ ଆରମ୍ଭ ହେଲା । ଏହି ପ୍ରକଳ୍ପ ଦ୍ବାରା ଆନ୍ଧ୍ର, ଓଡିଶା, ଛତିଶଗଡ଼ ଓ ତେଲେଙ୍ଗାନା ରାଜ୍ୟରୁ ପ୍ରାୟ ୬୦୦ ଗ୍ରାମର ଲୋକମାନେ ସ୍ଥାୟୀଭାବେ ବିସ୍ଥାପିତ ହେବେ ।
“ପେସା” ଆଇନ ଅନୁସାୟୀ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କ୍ଷତିଗ୍ରସ୍ତ ହେବାକୁ ଥିବା ଚାରୋଟି ରାଜ୍ୟରେ ଜନ ଶୁଣାଣି କରିବା କଥା, କିନ୍ତୁ ସମସ୍ତ ନୀତିନିୟମକୁ ଉଲଂଘନ କରି ଆନ୍ଧ୍ର ସରକାର ଦାଦାଗିରି ଭାବେ ପ୍ରକଳ୍ପ କାର୍ଯ୍ୟ ଆଗେଇ ନେଉଛି । ପୋଲାଭରମ ପ୍ରକଳ୍ପ ଦ୍ୱାରା ଓଡିଶା ମାନଚିତ୍ରରୁ ସିଲେରୁ ଓ ସାବେରୀ ନଦୀ ଲୋପ ପାଇବାକୁ ବସିଲାଣି ।
ପୋଲାଭରମ ଜନିତ ସମସ୍ୟା ମାନ୍ୟବର ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ କିଛି ବୁଝାସୁଝା ନକରି ୨୦୧୪ ମସିହାରେ ତତ୍କାଳୀନ “ଉପା” ସରକାର ଉକ୍ତ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ମାନ୍ୟତା ପ୍ରଦାନ କରିଛନ୍ତି । ବର୍ତ୍ତମାନର କେନ୍ଦ୍ର ସରକାର ୨୦୧୯ ମସିହାରେ ଏକ ସତ୍ୟପାଠ ଜରିଆରେ ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଦାଖଲ କରିଛନ୍ତି ଯେ, ପୋଲାଭରମର ପଛୁଆ ଜଳକୁ ନିୟନ୍ତ୍ରଣ କରିବା ସକାଶେ ଉଭୟ ସିଲେରୁ ଓ ସାବେରୀ ନଦୀର କୂଳ ପାର୍ଶ୍ବରେ ଆଡିବନ୍ଧ ନିର୍ମାଣ କରି ଓଡିଶା ଓ ଛତିଶଗଡ଼କୁ ପାଣି ପ୍ରବେଶ କରିବାକୁ ଦେବେନାହିଁ ଏବଂ ଓଡିଶା ଛତିଶଗଡ଼ର କ୍ଷତିଗ୍ରସ୍ତ ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ଥଇଥାନ ପାଇଁ ଦାବି ହୋଇଛି ।
Comments are closed.