Latest Odisha News

BREAKING NEWS

ଭାସ୍କରଙ୍କୁ ଛାଡିଦେଲା ପୋଲିସ, ପାଣ୍ଡିଆନଙ୍କ ଉପରକୁ କରିଥିଲେ କାଳିମାଡ

ପୁରୀ: ଫାଇଭ ଟି ସଚିବ ଭି.କେ ପାଣ୍ଡିଆନଙ୍କ ଉପରକୁ କାଳି ମାଡ କରି ଗିରଫ ହୋଇଥିବା ଭାସ୍କର ସାହୁଙ୍କୁ ଛାଡିଦେଲା ପୋଲିସ। ସଚିବଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଛାଡି ଦେଇଥିବା ସୂଚନା ରହିଛି। ଗତକାଲି ସତ୍ୟବାଦୀ ଉକ୍ରଳମଣୀ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ ଭାସ୍କର ସାହୁ ସଚିବ ଓ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ କାଳିମାଡ କରିଥିଲେ। ଏହାପରେ ଭାସ୍କରଙ୍କୁ ପୋଲିସ ଅଟକ ରଖିଥିଲା।

ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, କାଳିମାଡ ପରେ ତାଙ୍କୁ ପୋଲିସ ଉଠାଇ ନେଇଯାଇଥିଲା। ପରେ ଚାପୁଡା ମାରିଛି। ଏହାପରେ ସେଭଳି କୌଣସି ମାଡ ମାରି ନାହାନ୍ତି। ପୁରୀ ଏସପି ଓ ଆଇଜି ତାଙ୍କୁ ପଚରାଉଚରା କରିଥିଲେ। ପରେ ସଚିବଙ୍କ ନିର୍ଦ୍ଦେଶକ୍ରମେ ଛାଡି ଦିଆଯାଉଛି ବୋଲି କହିଥିଲେ।

ଭାସ୍କର ସାହୁ କହିଛନ୍ତି, ସେ କାଳି ମାଡ କରିବେ ବୋଲି ପୂର୍ବରୁ ଭାବିନଥିଲେ। ହଠାତ ତାଙ୍କ ମୁଣ୍ଡକୁ କାଳିମାଡ କରିବାକୁ ଚିନ୍ତା କରିଥିଲେ। ପରେ ସେ କାଳିମାଡ କରିଛନ୍ତି। ସେ କୌଣସି ଦଳର ନେତା କିମ୍ବା ସଦସ୍ୟ ନୁହନ୍ତି ବୋଲି କହିଛନ୍ତି। ଗତକାଲି କିନ୍ତୁ ସ୍ଥାନୀୟ ବିଧାୟକ ଭାସ୍କର ସାହୁଙ୍କୁ ବିଜେପି ନେତା ବୋଲି କହିଥିଲେ। ନିଜ ଗାଁକୁ ଭଲ ରାସ୍ତା କି ପାଣି ନାହିଁ। ଏହାକୁ ନେଇ ନିଜ ଭିତରେ ଏକ ଅସନ୍ତୋଷ ଥିଲା। ତେଣୁ ସେ ଏଭଳି କରିବାକୁ ହଠାତ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି।

ଭାସ୍କର ସାହୁଙ୍କ ପତ୍ନୀ ପ୍ରିୟଙ୍କା କହିଛନ୍ତି, ସ୍ଥାନୀୟ ଅଞ୍ଚଳରେ ପାଣି ସମସ୍ୟା ରହିଛି। ଦୟା ନଦୀକୁ ନେଇ ସେ ବିଭିନ୍ନ ସମୟରେ ବୈଠକ କରିବା ସହ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଉଛନ୍ତି। ସମସ୍ୟା ବାବଦରେ ସେ ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କୁ ଅବଗତ କରାଇଥିଲେ। ହେଲେ କୌଣସି ସମାଧାନ ନହେବାରୁ ଏପରି କାମ କରିଛନ୍ତି। ନିକଟରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇଥିଲେ ଭାସ୍କର ସାହୁ।

ସ୍ଥାନୀୟ ବାସିନ୍ଦା ପ୍ରତିକ୍ରିୟାରେ କହିଛନ୍ତି, କାଳିମାଡ କରିବା ଠିକ୍ ନୁହେଁ। କିନ୍ତୁ ଯେଉଁଭଳି ଭାବେ ଜଣେ ସଚିବଙ୍କ ପାଇଁ ସଭାର ଆୟୋଜନ ହେଉଛି ତାହା ଗ୍ରହଣୀୟ ନୁହେଁ। ସେ ଆସିବେ ବୋଲି ଭଡାରେ ମହିଳାଙ୍କୁ ବସ କରି ଅଣାଯିବା ଗ୍ରହଣୀୟ ନୁହେଁ। ସେ ମୁଖ୍ୟମନ୍ତ୍ରୀଙ୍କ ଭଳି କ୍ଷମତା ଦେଖାଉଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହଁ।

ଗତକାଲିର ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହୋଇଛି। ବିରୋଧୀ କହିଛନ୍ତି, ଲୋକଙ୍କ ଭିତରେ ସଚିବଙ୍କ ପ୍ରତି ଥିବା ପୁଞ୍ଜିଭୂତ ଅସନ୍ତୋଷର ପ୍ରତିଫଳନ ହେଉଛି କାଳମାଡ।

Leave A Reply

Your email address will not be published.