Latest Odisha News

୧୦ରୁ ଅଧିକ ମାମଲାରେ ସମ୍ପୃକ୍ତ ଥିବା ଲୁଟେରା ଗ୍ୟାଙ୍ଗ ଗିରଫ

ଅନୁଗୁଳ: ମାସକ ମଧ୍ୟରେ ୧୦ରୁ ଅଧିକ ମାମଲାରେ ସମ୍ପୃକ୍ତ ଥିବା ଏକ ଲୁଟେରା ଗ୍ୟାଙ୍ଗକୁ ଅନୁଗୁଳ ଜିଲ୍ଲା ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗ ମୁଖ୍ୟତଃ ଫାଇନାନ୍ସ କମ୍ପାନୀ ଏବଂ ଅଣ୍ ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କୁ ଟାର୍ଗେଟ୍ କରୁଥିଲେ, ଯେଉଁମାନେ ବ୍ୟାଙ୍କରେ ଜମା କରିବା ପାଇଁ ବିନା ସୁରକ୍ଷାରେ ବିପୁଳ ପରିମାଣର ଟଙ୍କା ନେଇ ଯାଉଥିଲେ।

ଏଭଳି କର୍ମଚାରୀଙ୍କ ଗତିବିଧି ଉପରେ ନଜର ରଖୁଥିଲା ଏହି ଗ୍ୟାଙ୍ଗ ଏବଂ ରାସ୍ତାରେ ଏକ ନିଛାଟିଆ ସ୍ଥାନ ଦେଖି ସେମାନଙ୍କୁ ଅଟକାଇ ଦେଉଥିଲେ। ଏହି ଗ୍ୟାଙ୍ଗର ଜଣେ ସଦସ୍ୟ ବାଇକର ଚାବି ବାହାର କରି ଅନ୍ୟଜଣେ କର୍ମଚାରୀଙ୍କ ଉପରକୁ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟି ନେଇ ପଳାଇ ଯାଉଥିଲେ ବୋଲି ସୂଚନା ଦେଇଛନ୍ତି ଅନୁଗୁଳ ଅତିରିକ୍ତ ଏସପି ସତ୍ୟଜିତ ମିଶ୍ର।

ଗତ ଅଗଷ୍ଟ ମାସରୁ ଛୁରୀ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଦେଖାଇ ୧୦ଟି ଲୁଟ୍ ମାମଲା ରୁଜୁ ହୋଇଥିଲା। ଅଭିଯୋଗକାରୀଙ୍କ ମଧ୍ୟରେ ଫାଇନାନ୍ସ କମ୍ପାନୀ ଓ ସର୍ଭିସ କଲ ସେଣ୍ଟରର କର୍ମଚାରୀ ଓ ମେଡିସିନ ହୋଲସେଲର ସାମିଲ ଥିଲେ। ତଦନ୍ତ ପରେ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଏହି ଗ୍ୟାଙ୍ଗର ୮ ଜଣ ସଦସ୍ୟଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ନଗଦ ୪୩ ହଜାର ଟଙ୍କା, ୬ଟି ବାଇକ୍, ମୋବାଇଲ୍ ଫୋନ୍ ଓ ଅନେକ ମାରଣାସ୍ତ୍ର ଜବତ କରାଯାଇଛି।

Comments are closed.