Latest Odisha News

BREAKING NEWS

ଚାକିରି ଲୋଭରେ ଫସିଗଲା ବିଚରା, ଇଣ୍ଟରଭ୍ୟୁ ପାଇଁ ଡାକି ଚୋରକୁ ବାନ୍ଧିଲା ପୋଲିସ 

କେନ୍ଦ୍ରାପଡ଼ା: ପୋଲିସ ଫାସରେ ଫସିଗଲା ଚୋର । ଚାକିରି ଲୋଭରେ ଧରା ପଡିଗଲା ଚୋର । ଭିନ୍ନ ଏକ କୌଶଳରେ ଗହଣା ଦୋକାନ ଚୋରି ଘଟଣାରେ ଜଣେ ଚୋରକୁ ପଟ୍ଟାମୁଣ୍ଡାଇ ଥାନା ପୋଲିସ ବାନ୍ଧିଛି । ଚୋରି ହେବାର ପ୍ରାୟ ସପ୍ତାହକ ପରେ ସିସିଟିଭି ଫୁଟେଜ୍‌ ଆଧାରରେ ଚୋରକୁ ଚିହ୍ନଟ କରି କୌଶଳରେ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ଚୋର ସହ ବନ୍ଧୁତା ବାନ୍ଧି ଚାକିରି କରାଇଦେବାର ବାହାନା କରି ତାକୁ ଗିରଫ କରିଛି ପୋଲିସ ।

ଗିରଫ ଅଭିଯୁକ୍ତ ହେଉଛି ପଟ୍ଟାମୁଣ୍ଡାଇ ଥାନା ବେଲତଳ ଗାଁର ଭରତ ଦାସ । ସେ ଗହଣା ଦୋକାନରୁ ଅଳଙ୍କାର ଚୋରି କରି ଖସିଯାଇଥିଲା । ଭାବିଥିଲା କେହି ଧରିପାରିବେନି । ଆରାମସେ ପୋଲିସକୁ ଚକମା ଦେବ । ଚୋରି ଅଳଙ୍କାରକୁ ବିକ୍ରି କରି ମଉଜ କରିବ । କିନ୍ତୁ ସିସିଟିଭି ଫୁଟେଜ୍‌ ଓ ତା’ର ଅତି ଚାଲାକି ଗୁଣ ତାକୁ ଧରା ପକାଇଦେଇଛି । ପୋଲିସ ବି ଚୋରକୁ ଧରିବା ଲାଗି ବୁଦ୍ଧି ଖଟାଇ ଏକ ସଂସ୍ଥାରେ ଚାକିରି ଦେବାକୁ କହି ଡାକି ଆଣିଲା । ଆଉ ତା’ଠାରୁ ଚୋରି ବାବଦ ତଥ୍ୟ ଆଦାୟ କରିବା ପାଇଁ ଇଣ୍ଟରଭ୍ୟୁ କରାଇବାର ଯୋଜନା କଲା ।

ଇଣ୍ଟରଭ୍ୟୁ ଛଳରେ ଚୋର ଧରିବାର କିଭଳି କୌଶଳ ସେ ଜାଣିଛି ତା’ର ପରୀକ୍ଷା କରାଇଲା । ଯେମିତି ସେ ସ୍କାଇଲାଇଟ୍‌ ତାଡ଼ି ଘର ଭିତରକୁ ପଶିପାରୁଛି କି ନାହିଁ । ଅନ୍ଧାର ରାତିରେ ଯଦି ଘର ଭିତରକୁ ପଶି ପାରୁଛି ତେବେ ଘରେ କ’ଣସବୁ ଅଛି ସେ ବିଷୟରେ ଜାଣିବାକୁ ତା’ ପାଖରେ ବିଶେଷ କିଛି କଳା ଅଛି କି ନାହିଁ । ଅତି ଛୋଟବାଟ ଦେଇ କୌଣସି ଘରୁ କିଭଳି ବାହାରକୁ ପଳାଇ ଆସିପାରିବ ସେନେଇ ବିଭିନ୍ନ ପ୍ରଶ୍ନ ପଚାରି ଥିଲା । 

ଯେମିତି ଢଙ୍ଗରେ ଚୋର ଦୋକାନରେ ପଶି ଚୋରି କରିଥିଲା ଓ ତାହା ସିସିଟିଭି ଫୁଟେଜ୍‌ରେ କଏଦ ହୋଇଛି ତାହାର ରିହରସାଲ୍‌ କରିଥିଲା । ପୋଲିସର ଏଭଳି ପରୀକ୍ଷାରେ ଶତ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଥିଲା ଚୋର । ଏଣୁ ଅଳଙ୍କାର ଚୋରି ଘଟଣାରେ ସେ ହିଁ ସମ୍ପୃକ୍ତ ବୋଲି ଜଣାପଡ଼ିବା ପରେ ପୋଲିସ ତାକୁ ବାନ୍ଧିବା ସହ ତା’ଠାରୁ ଚୋରି ହୋଇଥିବା ପ୍ରାୟ ୮୦ ଗ୍ରାମ ଓଜନର ୧୩ଟି ସୁନା ମୁଦିକୁ ଜବତ କରାଯାଇଛି ।

ପୋଲିସର ସୂଚନା ଅନୁସାରେ, କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନାଠୁ ମାତ୍ର ୧୦୦ ମିଟର ଦୂରରେ ରହିଛି ‘ପ୍ରସାଦ ଜୁଏଲାରୀ’ । ଗତ ସପ୍ତାହରେ ଦୋକାନ ସ୍କାଇଲାଇଟ୍‌ ଭାଙ୍ଗି ପଶି ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇ ଖସି ପଳାଇଥିଲା ଭରତ । ଦୋକାନ ମାଲିକ ଜଗବନ୍ଧୁ କୁଣ୍ଡ ପଟ୍ଟମୁଣ୍ଡାଇ ଥାନାରେ ଏତଲା ଦେଇଥିଲେ । ପୋଲିସ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଦେଖି ଚୋର ଭରତ ଦାସ ବୋଲି ସନ୍ଦେହ କରିଥିଲା । କିନ୍ତୁ ସ୍ପଷ୍ଟ ହୋଇ ପାରି ନ ଥିଲା । ଭରତ ନାଁରେ ପୂର୍ବରୁ ଅପରାଧିକ ମାମଲା ଥାନାରେ ରହିଛି । ତେଣୁ ଭରତକୁ ଧରିବା ଲାଗି ଚାକିରି ଯୋଗାଇ ଦେବାର କୌଶଳ ପାଞ୍ଚିଥିଲା ପୋଲିସ । ପୋଲିସ ଭରତକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତାଠାରୁ ଅଳଙ୍କାର ଜବତ କରିଛି । 

Leave A Reply

Your email address will not be published.