Latest Odisha News

BREAKING NEWS

ଚୋର ଗ୍ୟାଙ୍ଗ୍‌ ପାଖରୁ ମିଳିଲା ୨୮୦ ଗ୍ରାମ୍‌ ସୁନା, ୯୪ ହଜାର ଟଙ୍କା

ବ୍ରହ୍ମପୁର: ବ୍ରହ୍ମପୁର ସହରର ସୋମାନାଥନଗର ତୃତୀୟ ଲାଇନ ସ୍ଥିତ ସୁଲୋଚନା ପାତ୍ରଙ୍କ ଘରୁ ଗତ ୧ ତାରିଖ ରାତିରେ ନଗଦ ୧୧ ଲକ୍ଷ ଟଙ୍କା ଏବଂ ପ୍ରାୟ ୬୦୦ ଗ୍ରାମ ସୁନା ଅଳଙ୍କାର ଚୋରି ହୋଇଥିଲା । ଏହି ଘଟଣାରେ ବ୍ରହ୍ମପୁର ଟାଉନ୍‌ ଥାନା ପୋଲିସ ୮ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ପାଖରୁ ୨୮୦ ଗ୍ରାମରୁ ଅଧିକ ସୁନା ଅଳଙ୍କାର, କିଛି ରୂପା ଅଳଙ୍କାର, ଗୋଟିଏ ଏଟିଏମ କାର୍ଡ ଓ ନଗଦ ୯୪ ହଜାର ଟଙ୍କା ସହ ଗୋଟିଏ ବାଇକ ଜବତ କରିଛି। ଗିରଫଙ୍କ ମଧ୍ୟରେ ୪ ଜଣଙ୍କ ଚୋର ଏବଂ ୩ ଜଣ କ୍ରେତା ଥିବା ବେଳେ ଜଣେ ନାବାଳକ ମଧ୍ୟ ରହିଛନ୍ତି। ସେଖ ସାକିର(୨୪), ସେଖ ଇମରାନ ଓରଫ ସିମୁ(୧୯), ସେଖ୍ ଜାକିର ଓରଫ ସୋନୁ(୨୦), ଖାଜା ସାହିର ସେଖ ନୁର(୨୨) ଚୋରି କରିଥିବା ବେଳେ ସେମାନଙ୍କ ଠାରୁ କିଣିଥିବା କେ. ଅରୁଣ କୁମାର ରାଓ(୨୮), କେ. ନାରାୟଣ ରାଓ ଆଚାରୀ(୪୬) ଓ ରଙ୍ଗୁଣୀବନ୍ଧ ସାହିର ଭି. ସାଇରାମ(୨୦)ଙ୍କୁ ଗିରଫ କରାଯାଇଛି ।

 


ବ୍ରହ୍ମପୁର ଏସପି ଡା.ସର୍ବଣା ବିବେକ ଏମ୍‌ଙ୍କ ଠାରୁ ମିଳିଥିବା ସୂଚନାପ୍ରକାରେ, ଉପରୋକ୍ତ ୪ ଯୁବକ ଓ ନାବାଳକ ମିଶି ଗତ ୧ ତାରିଖ ରାତିରେ ସୋମନାଥନଗର ତୃତୀୟ ଲାଇନରେ ରହୁଥିବା ସୁଲୋଚନାଙ୍କ ଘରେ ପଶି ଚୋରି କରିଥିଲେ । ଏହାପରେ ଅଭିଯୁକ୍ତମାନେ ୫ ତାରିଖ ରାତିରେ ତୁଳସୀନଗର ୭ମ ଲାଇନରେ ରହୁଥିବା ସତ୍ୟ ନାରାୟଣ ପାଢୀଙ୍କ ଘରୁ ନଗଦ ୫୦୦୦ ଟଙ୍କା ସହ ୫୦୦ ଗ୍ରାମ ଓଜନର ରୂପା ଅଳଙ୍କାର ଚୋରି କରି ନେଇଯାଇଥିଲେ। ଏହି ଦୁଇ ଚୋରି ଘଟଣାର ତଦନ୍ତ ବେଳେ ଟାଉନ ଥାନା ପୁଲିସ ପ୍ରଥମେ ସାକିର, ନୁର ଓ ଜାକିରଙ୍କୁ କାବୁ କରି ପଚରାଉରା କରିଥିଲା। ପରେ ନାବାଳକ ଜଣକ ଗିରଫ ହୋଇଥିଲେ। ଅଭିଯୁକ୍ତମାନେ ସୋମାନାଥନଗରରୁ ସୁନା ଅଳଙ୍କାର ଚୋରି କରିବା ପରେ ସେଗୁଡ଼ିକ ନେଇ ଗାନ୍ଧୀନଗର ଅଷ୍ଟମ ଲାଇନର ଅରୁଣଙ୍କୁ ୪ ଲକ୍ଷ ଟଙ୍କାରେ ବିକିଥିଲେ। ଅରୁଣ ସେଥିରୁ ଗୋଟିଏ ଅଳଙ୍କାର ନିଜ ପାଖରେ ରଖି ଅନ୍ୟ ସମସ୍ତ ଚୋରି ସୁନାକୁ ନାରାୟଣ ଓ ସାଇରାମଙ୍କୁ ୪ ଲକ୍ଷ ୧୦ ହଜାର ଟଙ୍କାରେ ବିକ୍ରି କରିଥିଲେ । ଅଭିଯୁକ୍ତଙ୍କ ଠାରୁ ଜବତ ସୁନା ଅଳଙ୍କାର ମଧ୍ୟରେ ୪୦ ଗ୍ରାମ ଓଜନର ସୁନା ବିସ୍କୁଟ, ୨୦ ଗ୍ରାମ ଓଜନର କଏନ, ୧୯.୧୬ ଗ୍ରାମ ଓଜନର ଜିଗିର ଲକେଟ, ଏକାଧିକ ଚେନ, ହାର, ମୁଦି ରହିଛି। ସୁଲୋଚନାଙ୍କ ଘରୁ ପ୍ରାୟ ୫୯୨ ଗ୍ରାମ ଓଜନର ସୁନା ଅଳଙ୍କାର ଚୋରି ହୋଇଥିବା ସେ ଅଭିଯୋଗ କରିଥିଲେ। ହେଲେ ପୁଲିସ ଅଭିଯୁକ୍ତଙ୍କ ଠାରୁ ପାଖାପାଖି ୩୦୦ ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରିପାରିଛି। ବଳକା ସୁନା ଅଳଙ୍କାର ଜବତ କରିବାକୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣିବାକୁ ଯୋଜନା ରହିଛି ବୋଲି ଏକ ପ୍ରେସ ବିବୃତିରେ ଏସପି ସୂଚନା ଦେଇଛନ୍ତି।

Leave A Reply

Your email address will not be published.