Latest Odisha News

BREAKING NEWS

ଶ୍ରୀମନ୍ଦିର ଭିତରେ ଅଣ ହିନ୍ଦୁ ଅଫିସର ଜବରଦସ୍ତ ପଶିବା ଘଟଣାକୁ ନେଇ ତାତିଲା ଜଗନ୍ନାଥ ସେନା

ପୁରୀ: ଭାରତୀୟ ସେବା ଅଧିକାରୀଣି ରେଶମା ଲଖାନୀ ଶ୍ରୀମନ୍ଦିର ଭିତରକୁ ଜବରଦସ୍ତ ପଶିବା ଘଟଣାକୁ ନେଇ ତାତିଛି ଜଗନ୍ନାଥ ସେନା । ଏହାର ପ୍ରତିବାଦରେ ଆଜି ସେନା ପକ୍ଷରୁ ସିଂହଦ୍ୱାରରେ ଲିଖିତ ଅଭିଯୋଗ ଦାୟର କରାଯାଇଛି ।

ଗତ ୨୪ ତାରିଖ ଦିନ ଭାରତୀୟ ରାଜସ୍ବ ସେବା ଅଧିକାରୀଣି ରେଶମା ଲଖାନୀ ଜୋର ଜବରଦସ୍ତ ଶ୍ରୀମନ୍ଦିରକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥିଲେ । ସିଂହଦ୍ୱାରରେ ଦାୟିତ୍ୱରେ ଥିବା ଅଧିକାରୀ ଏବଂ ସେବାୟତମାନେ ତାଙ୍କୁ ରୋକିଥିଲେ । ଆଇଆରଏସ ନିଜ ଭୁଲକୁ ସ୍ୱୀକାର କରିବା ପରିବର୍ତ୍ତେ  ଘଟଣାକୁ ନେଇ  ସେବାୟତଙ୍କ ବିରୋଧରେ ଏତଲା ଦେଇଛନ୍ତି । ଏହାକୁ ନେଇ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ  ସଂପୃକ୍ତ ଅଧିକାରିଣୀଙ୍କ ଉପରେ ବର୍ଷିଛନ୍ତି ।

ସେନା ଆବାହକ  ଅଭିଯୋଗ କରିଛନ୍ତି ଯେ,  ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ ଥିବାବେଳେ ସମ୍ପୃକ୍ତା ମହିଳା ଅଧିକାରୀ ସୁରକ୍ଷା ବଳୟ ଭେଦ କରି ଜୋର ଜବରଦସ୍ତ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ ଏବଂ ଶ୍ରୀମନ୍ଦିର ଭିତରେ ପଶିଥିଲେ ମଧ୍ୟ । ତାଙ୍କୁ ତାଙ୍କର ସହକର୍ମୀ ବାରଣ ମଧ୍ୟ କରିଥିଲେ । ହେଲେ ସେ ଏହା ନମାନି ଭିତରକୁ ପ୍ରବେଶ କରିଥିଲେ । ସିଂହଦ୍ୱାର ଥାନା ପୋଲିସଓ ଅନ୍ୟମାନେ  ତାଙ୍କୁ ଅଟକାଇଥିଲେ । ରେଶମା ଲଖାନୀ ଭିତର ବାରିକେଡ ଭିତର ପର୍ଯ୍ୟନ୍ତ ପଳାଇଥିଲେ । ତାଙ୍କୁ ସେଠାରୁ ଫେରାଇ ନେବା ପରେ ସେ ସିଂହଦ୍ୱାର ଥାନାରେ ସେବାୟତଙ୍କ ବିରୋଧରେ ଏତଲା ଦେଇଛନ୍ତି । ଶ୍ରୀ ମନ୍ଦିରରୁ ସେବାୟତଙ୍କୁ ହଟାଇବା ପାଇଁ ସେ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି ।

ଲଖାନୀଙ୍କ ଏପରି ଏତଲାକୁ ନେଇ ପ୍ରିୟଦର୍ଶନ ପଟ୍ଟନାୟକ  କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ପୁରୀରେ ହିନ୍ଦୁ-ମୁସଲିମ ଭେଦଭାବ ନାହିଁ । ଏଠି ଉଭୟ ସଂପ୍ରଦାୟ ଭାଇ-ଭାଇ ପରି ଚଳନ୍ତି । ଏଠି ଭକ୍ତ ସାଲବେଗ ଜଗନ୍ନାଥଙ୍କ ବଡ ଭକ୍ତ । ତେଣୁ ଲଖାନୀ ହିନ୍ଦୁ ଧର୍ମ ଉପରେ ଏପରି ମନ୍ତବ୍ୟ ଦେବା ଉଚିତ ନୁହେଁ ବୋଲି କହିଛନ୍ତି ପ୍ରିୟଦର୍ଶନ ପଟ୍ଟନାୟକ ।

Comments are closed.