ନବରଙ୍ଗପୁର: ପାଖେଇ ଆସୁଛି ନିର୍ବାଚନ। ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି। ପଡୋଶୀ ରାଜ୍ୟ ଛତିଶଗଡ଼ ମଧ୍ୟ ନିଜର ପ୍ରସ୍ତୁତି ଆରମ୍ଭ କରିଛି। ଏହାରି ଭିତରେ ଛତିଶଗଡ଼ରେ ଅନେକ ନଗଦ ଟଙ୍କା ସହ ଓଡିଶାର ଜଣେ ବ୍ୟବସାୟୀ ଧରାପଡିଛନ୍ତି। ଏହି ବ୍ୟବସାୟୀଙ୍କ ଗାଡ଼ିରୁ ୧୦ ଲକ୍ଷ ଟଙ୍କା ମିଳିବା ପରେ ପୋଲିସ୍ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି।
ବିଧାନସଭା ନିର୍ବାଚନ ଯୋଗୁଁ ଛତିଶଗଡରେ ଆଚରଣ ବିଧି ଲାଗୁ ହେବା ସହିତ ଏହାର ସୀମା ଅଞ୍ଚଳରେ ସୁରକ୍ଷା କଡାକଡି କରାଯାଇଛି। ରାଜ୍ୟରେ ବେଆଇନ ନଗଦ ଟଙ୍କା କାରବାର ଯାଞ୍ଚ କରିବା ପାଇଁ ଧାମତରୀ ଅତିରିକ୍ତ ଏସପି ଓଡିଶା ସୀମାରେ ଥିବା ଯାନଗୁଡ଼ିକୁ କଡା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ଛତିଶଗଡ଼ର ବୋରେଇ ପୁଲିସ ଆଜି ଗୋଟିଏ ଟାଟା ହେରିଅର ଗାଡ଼ିକୁ ଅଟକାଇଥିଲା। ଯାଞ୍ଚ ବେଳେ ଗାଡ଼ି ଭିତରୁ ୧୦ ଲକ୍ଷ ଟଙ୍କା ମିଳିଥିଲା। ଗାଡ଼ିରେ ଥିବା ବ୍ୟବସାୟୀ ଜଣଙ୍କ ରାଇଘର ଥାନା ଭାରଶୁଣ୍ଢି ଗାଁର ସୁବ୍ରତ ମଣ୍ଡଳ ବୋଲି ଜଣାପଡିଛି। ତାଙ୍କ ପାଖରୁ ୨୦ଟି ୫୦୦ ଟଙ୍କିଆ ବିଡ଼ା ମିଳିଥିଲା। ନଗଦ ୧୦ ଲକ୍ଷ ଟଙ୍କା ସେ କେଉଁଠୁ ଆଣିଲେ ଓ କେଉଁଠିକୁ ନେଇ ଯାଉଥିଲେ, ତା’ର ସନ୍ତୋଷଜନକ ଉତ୍ତର ସୁବ୍ରତ ଦେଇ ପାରିନଥିଲେ। ତେଣୁ ଅଧିକ ପଚରାଉଚୁରା ପାଇଁ ବ୍ୟବସାୟୀଙ୍କୁ ଅଟକ ରଖାଯାଇଥିବା ବୋରେଇ ଥାନା ଅଧିକାରୀ ରାଜେଶ ଜଗତ କହିଛନ୍ତି।
Comments are closed.