ହାଇଦ୍ରାବାଦ; ଗୋଟେ ପଟେ ସାଉଥ ମେଗାଷ୍ଟାର ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ୨ ଗୋଟେ ପରେ ଗୋଟେ ରେକର୍ଡ ଭାଙ୍ଗି ବକ୍ସ ଅଫିସରେ ଇତିହାସ ରଚୁଥିବା ବେଳେ ସେପଟେ ଥମୁନି ଅଭିନେତାଙ୍କ ସମସ୍ୟା l ପୁଷ୍ପା ୨ ସ୍କ୍ରିନିଂ ସମୟରେ ସଂନ୍ଧ୍ୟା ଥିଏଟରରେ ଘଟିଥିବା ଦଳାଚକଟା ଘଟଣାରେ ଫସିଥିବା ଅଲୁ ଅର୍ଜୁନଙ୍କ ସମସ୍ୟା ଏବେ ଆହୁରି ବଢିଛି l ମାମଲା ଭିତରେ ଏବେ ଆଉ ଏକ ଟ୍ଵିଷ୍ଟ ସାମ୍ନାକୁ ଆସିଛି l ଏବେ ହାଇଦ୍ରାବାଦ ପୋଲିସର ଏକ ନୂତନ ଚିଠି ଭାଇରାଲ ହେବାରେ ଲାଗିଛି l ଯେଉଁଥିରେ ପୋଲିସ ଥିଏଟର ମ୍ୟାନେଜମେଣ୍ଟକୁ ଅଲୁ ଅର୍ଜୁନ-ରଶ୍ମିକା ମନ୍ଦନାଙ୍କୁ ଥିଏଟର ଆସିବାକୁ ଅନୁମତି ନଦେବାକୁ କହିଥିବା କଥା ଜଣାପଡିଛି ।
ଗତ ଡିସେମ୍ବର ୪ ତାରିଖରେ ସଂନ୍ଧ୍ୟା ଥିଏଟରରେ ପୁଷ୍ପା ୨ର ସ୍କ୍ରିନିଂ ହୋଇଥିଲା l ସେହି ସମୟରେ ସେଠାରେ ଅଭିନେତା ଅଲୁ ଅର୍ଜୁନ ପହଞ୍ଚିଥିଲେ l ଲୋକମାନେ ଅଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ଏତେ ମାତ୍ରାରେ ଭିଡ ଜମାଇଥିଲେ ଯେ ସେଠାରେ ଦଳାଚକଟା ପରି ପରିସ୍ଥିତି ଉପୁଜିଥିଲା l ସେହି ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଏବେବି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି l ଅନ୍ୟପଟେ ଏହି ଦଳାଚକଟା ମାମଲାରେ ଅଭିନେତା ଅଲୁ ଅର୍ଜୁନଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା l ପରେ ହାଇକୋର୍ଟରୁ ଜାମିନ ମିଳିବା ପରେ ତାଙ୍କୁ ଜେଲରୁ ବାହାର କରାଯାଇଥିଲା l ଏହାରି ଭିତରେ ଏବେ ଏକ ନୂଆ ଚିଠି ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କୁହାଯାଇଛି ଯେ ଫିଲ୍ମର ଷ୍ଟାର କାଷ୍ଟ ଥିଏଟର ଆସିବା ଉଚିତ ନୁହେଁ ବୋଲି ପୋଲିସ ଥିଏଟର ମ୍ୟାନେଜମେଣ୍ଟକୁ ସିଧାସଳଖ ମନା କରିଦେଇଥିଲା l
କିଛି ଦିନ ତଳେ ସଂନ୍ଧ୍ୟା ଥିଏଟର ମ୍ୟାନେଜମେଣ୍ଟ ତରଫରୁ ଏକ ଚିଠି ଭାଇରାଲ ହୋଇଥିଲା l ଯେଉଁଥିରେ ଚିକ୍କଡପଲ୍ଲୀ ପୋଲିସକୁ ଗତ ତା୦୪/୦୫-୧୨-୨୦୨୪ରିଖ ଦିନ ପୁଷ୍ପା ୨ ରିଲିଜ୍ ସମୟରେ ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଗସ୍ତକୁ ନେଇ ସୁବ୍ୟବସ୍ଥିତ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲା । ଏହାରି ଭିତରେ ଏବେ ଏକ ନୂଆ ଚିଠି ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଲେଖାଯାଇଛି ଯେ, ‘ଚିକ୍କଡପଲ୍ଲୀ ପୋଲିସ ସଂନ୍ଧ୍ୟା ଥିଏଟରର ମ୍ୟାନେଜମେଣ୍ଟକୁ ପରାମର୍ଶ ଦେଇଛି ଯେ ଯଦି ଅଲୁ ଅର୍ଜୁନ ଏବଂ ରଶ୍ମିକା ପୁଷ୍ପା ୨ ର ସ୍ୱତନ୍ତ୍ର ଶୋ’ରେ ଯୋଗ ଦିଅନ୍ତି, ତେବେ ସେଠାରେ ବହୁ ସଂଖ୍ୟାରେ ଜନସମାଗମ ହେବ। ଥିଏଟରର ପରିସର କମ ଏବଂ ଗୋଟିଏ ମାତ୍ର ପ୍ରବେଶ ଦ୍ୱାରା ଥିବାରୁ ଭିଡ଼କୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ l ତେଣୁ ସଂନ୍ଧ୍ୟା ଥିଏଟର ମ୍ୟାନେଜମେଣ୍ଟକୁ ଅଭିନେତା, ଅଭିନେତ୍ରୀ ତଥା ଫିଲ୍ମର ପୁରା ଟିମକୁ ସେଦିନ ନ ଆସିବା ପାଇଁ ନିର୍ଦ୍ଦେଶ ଦେବାକୁ କହିଥିଲା ପୋଲିସ l
ଅନ୍ୟପଟେ ଜେଲ୍ରୁ ଫେରିବା ପରେ ଅଲୁ ଅର୍ଜୁନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ- ‘ଯାହା ଘଟିଲା ତାହା ମୋ ନିୟନ୍ତ୍ରଣ ବାହାରେ ଥିଲା। ମୁଁ ଗତ ଅନେକ ବର୍ଷ ଧରି ମୋର ଚଳଚ୍ଚିତ୍ର ଦେଖିବା ପାଇଁ ସେହି ଥିଏଟରକୁ ଯାଏ l ମୁଁ ଗତ ୨୦ ବର୍ଷ ମଧ୍ୟରେ ଅତି କମରେ ୩୦ ଥର ସେଠାକୁ ଯାଇଛି କିନ୍ତୁ ଏପରି ଘଟଣା କେବେ ଘଟି ନଥିଲା l ତଥାପି, ଯାହା ଘଟିଲା ସେଥିପାଇଁ ମୁଁ କ୍ଷମା ମାଗୁଛି l ମୃତକଙ୍କ ପରିବାର ପ୍ରତି ମୋର ସମବେଦନା ଅଛି ବୋଲି କହିଥିଲେ ଅଲୁ l