Latest Odisha News

ଚୋରି ଅଭିଯୋଗରେ ଘର ମାଲିକଙ୍କ ଦ୍ୱାରା ଅଟକ ସହାୟିକା ଉଦ୍ଧାର; ମାଲିକ ଫେରାର

ଭୁବନେଶ୍ୱର: ଶ୍ରୀବିହାରରେ ଥିବା ଜଣେ ମାଲିକଙ୍କ ଘରୁ ରବିବାର ଜଣେ ଘରୋଇ ସହାୟକଙ୍କୁ ଉଦ୍ଧାର କରିଛି ପୋଲିସ। ଦାମୀ ଜିନିଷ ଚୋରି ଅଭିଯୋଗ ଆଣିବା ପରେ ମାଲିକ ତାଙ୍କୁ ଅଟକ ରଖିଥିଲେ।

ଉଦ୍ଧାର ମହିଳା ଜଣକ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶ୍ରୀବିହାର ଅଞ୍ଚଳରେ ଥିବା ଶବର ସାହିର ନମିତା ମହାକୁଡ଼ ବୋଲି ଜଣାପଡ଼ିଛି। ସେ ୬ ମାସ ହେବ ବିଶ୍ୱଜିତ ଦାସଙ୍କ ଘରେ ଘରୋଇ ସହାୟକ ଭାବେ କାମ କରୁଥିଲେ। ଆଜି ବିଶ୍ୱଜିତ ତାଙ୍କ ଉପରେ ଟଙ୍କା ଓ ମୂଲ୍ୟବାନ ଜିନିଷ ଚୋରି ଅଭିଯୋଗ ଆଣିବା ସହ ତାଙ୍କୁ ୧ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ତା’ପରେ ସେ ଗେଟ୍ ବନ୍ଦ କରିଦେଇଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ମାମଲା ସମ୍ପର୍କରେ ସୂଚନା ଦେଇ ଚନ୍ଦ୍ରଶେଖରପୁର ଥାନା ଆଇଆଇସି ପ୍ରକାଶ ଚନ୍ଦ୍ର ମାଝୀ କହିଛନ୍ତି,ନମିତା ବିଶ୍ୱଜିତଙ୍କ ଘରେ ସକାଳ ୯ଟାରୁ ସାଢ଼େ ୧୦ଟା ଯାଏଁ କାମ କରୁଥିଲେ। ଆଜି ସେ ପହଞ୍ଚିବା ପରେ ବିଶ୍ୱଜିତ ତାଙ୍କୁ ଦାମୀ ଜିନିଷ ଓ ଟଙ୍କା ଚୋରି ଅଭିଯୋଗ କରିବା ସହ ଏକ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ପରେ ଘର ଭିତର ପଟୁ ବନ୍ଦ କରିଦେଇଥିଲେ।

ପିସିଆର ଭ୍ୟାନ୍କୁ ଏ ସମ୍ପର୍କରେ ଫୋନ୍ ଆସିବା ପରେ ସେ ତୁରନ୍ତ ସେଠାରେ ପହଞ୍ଚିଥିଲେ। ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସର ଏକ ଟିମ୍ ମଧ୍ୟ ସେମାନଙ୍କ ସହ ସାମିଲ ହୋଇଥିଲା। ପୁଲିସ କର୍ମଚାରୀମାନେ ଆଗ ଗ୍ରୀଲରେ ଲାଗିଥିବା ତାଲାକୁ କାଟି ଜୋରଜବରଦସ୍ତ ଘର ଭିତରକୁ ପ୍ରବେଶ କରିଥିଲେ। ଏହି ଘଟଣାରେ ଜଣେ ମହିଳା ସବ୍-ଇନ୍ସପେକ୍ଟର ଆହତ ହୋଇଛନ୍ତି।

ଘର ମାଲିକଙ୍କ ନାଁରେ ମାମଲା ରୁଜୁ କରି ପୁଲିସ ଫେରାର ଘର ମାଲିକଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ କରିଛି।

Comments are closed.