Latest Odisha News

ଆମ ରାଜଧାନୀର କଥା: ପୋଲିସ କହୁଛି ମୁଁ ପାଟ୍ରୋଲିଂ କରୁଛି, ସେପଟେ ଲୁଟପାଟ କରି ଡକାୟତ ଫେରାର..

ଭୁବନେଶ୍ୱର: ରାଜଧାନୀରେ କମିସନରେଟ ପୋଲିସକୁ ଡରୁନାହାନ୍ତି ଅପରାଧୀ! ଏ କଥା କହିବାର କାରଣ ହେଲା ରାଜଧାନୀରେ ରାତିରେ ଘରେ ପଶି ଡକାୟତି ହୋଇଯାଉଛି କିନ୍ତୁ କମିସନରେଟ ପୋଲିସ ଟେର ପାଉନି ! ସଂଧ୍ୟା ହେଲେ ସାଇରନ ବଜାଇ ନିଜ ଡ୍ଯୁଟିରେ ବେଶ ସକ୍ରିୟ ବା ତତ୍ପରତା ଦେଖାଉଥିବା କମିସନରେଟ ପୋଲିସର ଅଞ୍ଚଳରୁ ଡକାୟତି ପରେ ରାଜଧାନୀର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠିଛି।

ଭୁବନେଶ୍ୱରର ମାରୁତି ବିହାର ଅଞ୍ଚଳରେ ଏହି ଡକାୟତି ଘଟିଛି। କିଛି ଦୁର୍ଦ୍ଦାନ୍ତ ଡକାୟତ ଗୋଟିଏ ଘର ଭାଙ୍ଗି ଦମ୍ପତ୍ତିଙ୍କୁ ବାନ୍ଧି ଟଙ୍କା, ସୁନା ଗହଣା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଦମ୍ପତ୍ତି ଘରେ ଶୋଇଥିବା ବେଳେ ଏହି ଅଘଟଣ ଘଟିଥିଲା।

ପୀଡ଼ିତା କହିଛନ୍ତି ଯେ, କବାଟରେ ଜୋରରେ ବାଜିବାରୁ ସେମାନେ ଭୟଭୀତ ହୋଇଯାଇଥିଲେ। ସେମାନେ କିଛି ପ୍ରତିକ୍ରିୟା ଦେବା ପୂର୍ବରୁ ସାତରୁ ଆଠ ଜଣ ଡକାୟତ ସେମାନଙ୍କ ରୁମରେ ପଶି ମୁଖ୍ୟ କବାଟ ଭାଙ୍ଗି ଦେଇଥିଲେ।

ଧାରୁଆ ଅସ୍ତ୍ର ଧରି ଡକାୟତମାନେ ଦମ୍ପତ୍ତିଙ୍କୁ ଚୁପ୍ ରହିବାକୁ ଧମକ ଦେଇଥିଲେ। ପିଲାଙ୍କ ସୁରକ୍ଷା ଭୟରେ ଡକାୟତଙ୍କ କଥା ମାନିଲେ ଦମ୍ପତ୍ତି। ଡକାୟତମାନେ ବେଡସିଟ୍ ବ୍ୟବହାର କରି ଦମ୍ପତିଙ୍କୁ ବାନ୍ଧି ବାଥରୁମରେ ତାଲା ପକାଇବା ପରେ ସେମାନଙ୍କ ଲୁଟ୍ କରି ଫେରାର ହୋଇଯାଇଥିଲେ। ଚୋରି ହୋଇଥିବା ସୁନା ଅଳଙ୍କାରର ମୂଲ୍ୟ ପ୍ରାୟ 7 ଲକ୍ଷ ଟଙ୍କା ହେବ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡକାୟତ ଗ୍ୟାଙ୍ଗକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

ଗତ ନଭେମ୍ବର 10 ତାରିଖରେ କଟକ ଜିଲ୍ଲାରେ ଦୁର୍ବୃତ୍ତମାନେ ଏଟିଏମ୍ କ୍ୟାସ୍ ଭ୍ୟାନ୍ରୁ ଦେଢ଼ କୋଟିରୁ ଅଧିକ ଟଙ୍କା ଲୁଟି ନେବା  ପରେ ପୁଣିଥରେ ଏପରି ଏକ ଘଟଣା ଘଟିଛି। ଯାହା କମିସନରେଟ ପୋଲିସର ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି।

ଶେଷ ଥର ପାଇଁ କମିସନରେଟ ପୋଲିସ କେଉଁ ବଡ଼ ସଫଳତା ହାସଲ କରିଛି ବା ବଡ଼ ଅପରାଧକୁ ରୋକିବାରେ ସଫଳ ହୋଇଛି? ହଁ ଯଦିଓ ଏ ପ୍ରଶ୍ନର ଉତ୍ତର ସାଧାରଣ ଲୋକଙ୍କୁ ମନକୁ ଆସିବ ନାହିଁ କିନ୍ତୁ ମୋବାଇଲ ଚୋରି ହୋଇଥିଲେ ଖୋଜି ଆଣି ପ୍ରେସମିଟ୍ କରେ କମିସନରେଟ ପୋଲିସ, ଏକଥା ବୋଧହୁଏ ସମସ୍ତଙ୍କୁ ଜଣାଥିବ। ଏଥିସହ କିଛି ନିର୍ଦ୍ଦିଷ୍ଟ ହିଟ୍ ଆଣ୍ଡ ରନ୍ ମାମଲାର ତଦନ୍ତ କରି ବାଃ ବାଃ ନେବାକୁ ପ୍ରୟାସ କରେ କମିସନରେଟ ପୋଲିସ! ସେହିପରି ଖଟି ସ୍ଥଳରୁ ଭିଡ ହଟାଇ ଏବଂ ମଦୁଆଙ୍କୁ ଧରି ନିଜର ଡ୍ୟୁଟିକୁ ଠିକ୍ ଭାବେ ତୁଲାଉଥିବା କହୁଥିବା ପୋଲିସ ମାରୁତି ବିହାର ଡକାୟତି ଘଟଣାରୁ ସ୍ପଷ୍ଟ ହେଉଛି।

Comments are closed.