Latest Odisha News

BREAKING NEWS

ରାଜଧାନୀରେ ଭଙ୍ଗାରୁଜା, ବିଶୃଙ୍ଖଳା; ପୁଲିସ ଜାଣିଶୁଣି ସାଜିଥିଲା ଜଳକା

ଡ୍ରାଇଭରଙ୍କ ଆନ୍ଦୋଳନ ସରକାରୀ ପ୍ରାୟୋଜିତ: ବିଜେପି

ଭୁବନେଶ୍ୱର: ସୋମବାର ହଠାତ ୪୦ ହଜାରରୁ ଅଧିକ ଡ୍ରାଇଭର ଭୁବନେଶ୍ୱରରେ ଏକତ୍ରିତ ହେବେ ବୋଲି ରାଜ୍ୟ ସରକାର ଓ  ପୁଲିସ ପ୍ରଶାସନ ସମ୍ପୂର୍ଣ୍ଣ ଅବଗତ ଥିଲେ। ତଥାପି, ସେମାନେ ବିକ୍ଷୋଭକାରୀଙ୍କୁ ରାଜଧାନୀରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ । ଯେଉଁଥିପାଇଁ ଭଙ୍ଗାରୁଜା, ବିଶୃଙ୍ଖଳା ଏବଂ ଜନସାଧାରଣଙ୍କ ଯାତାୟତରେ ବ୍ୟାପକ ଅସୁବିଧା ହୋଇଥିଲା।

ଡ୍ରାଇଭର ମହାସଙ୍ଘର ବ୍ୟାପକ ବିକ୍ଷୋଭ ଫଳରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଗୋଟିଏ ଦିନ ପରେ ଗୁଇନ୍ଦା ବିଭାଗ ପକ୍ଷରୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଆଗୁଆ ସତର୍କ କରାଇ ଦିଆଯାଇଥିବା କଥା ସାମ୍ନାକୁ ଆସିଛି। କେଉଁ ଜିଲ୍ଲାରୁ କେତେ ଡ୍ରାଇଭର ଆସିବେ ଏବଂ କଣ ଯୋଜନା ସେମାନଙ୍କର ରହିଛି ଏପ୍ରିଲ୍ ୧୬ରେ ଗୁଇନ୍ଦା ବିଭାଗ  ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପୁଲିସ ବିଭାଗକୁ ସ୍ପଷ୍ଟ କରିଥିଲା।

୪୦ ହଜାରରୁ ଅଧିକ ଆନ୍ଦୋଳନକାରୀ ରାଜଧାନୀରେ ପ୍ରତିବାଦ କରିବା ବେଳେ  ବିଶୃଙ୍ଖଳିତ ହୋଇଥିଲେ ଏଥିସହ ଭଙ୍ଗାରୁଜା ମଧ୍ୟ କରିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ଆମ୍ବୁଲାନ୍ସ ମଧ୍ୟ ଅଧା ବାଟରେ ଅଟକି ରହିଥିଲା। ପୋଲିସ ଯଦି ଆଗୁଆ ଜାଣିଥିଲା ତାହେଲେ କାହିଁକି ଏତେ ବଡ ବିଶୃଙ୍ଖଳା ଘଟିବା ପୂର୍ବରୁ ତ୍ୱରିତ ପଦକ୍ଷପ ନନେଲା ତାହା ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଯଦି ଫସି ରହିଥିବା ଆମ୍ୱୁଲାନ୍ସରେ କାହାର ପ୍ରାଣ ଯାଇଥାନ୍ତି ତାହେଲେ ଗୁଇନ୍ଦା ଓ ପୋଲିସ ବିଭାଗ ଉତ୍ତରଦାୟୀ ରହିଥାନ୍ତେ ?

ଗୁଇନ୍ଦା ରିପୋର୍ଟ ଅନୁଯାୟୀ ବିକ୍ଷୋଭକାରୀମାନେ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ବିଧାନସଭା ଏବଂ ସଚିବାଳୟ ଆଡକୁ ଯିବା ପାଇଁ ଚେଷ୍ଟା କରିବେ ବୋଲି ଅନୁମାନ କରାଯାଇଥିଲା । ଯଦିଓ ନବୀନ ନିବାସ ଯାଇପାରିନଥିଲେ ହେଲେ ସଚିବାଳୟ ଆଗରେ ଜୋରଦାର ବିକ୍ଷୋଭ କରିଥିଲେ।

ଏହି ଘଟଣାରେ ବିଜେପି ମଧ୍ୟ ପ୍ରତିକ୍ରିୟା ରଖିଛି । ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଏହି ବିକ୍ଷୋଭ ସରକାରୀ ପ୍ରାୟୋଜିତ ଥିଲା। ଆଉ ଏବେ ପୋଲିସ ଆଉ ଗୁଇନ୍ଦା ବିଭାଗ ଦୋଷ ଠେଲାଠେଲି ହେଉଛନ୍ତି । ଦୁଇ ବର୍ଷ ପୁର୍ବରୁ ସେମାନଙ୍କୁ ଏକାଠି କରିବାକୁ ଯୋଜନା ହୋଇଥିଲା । ତେଣୁ ବିକ୍ଷୋଭ ପାଇଁ କିଏ ଏମାନଙ୍କୁ ପ୍ରୋତ୍ସାହନ ଦେଇଥିଲା, କିଏ ସେମାନଙ୍କୁ ଡ୍ରେସ କୋଡ୍ ଆଉ ଲୋଗୋ କିଏ ଦେଲା, ଏତେ ସଂଖ୍ୟାରେ ଏକାଠି ହୋଇ ଆନ୍ଦୋଳନ ପାଇଁ ଅନୁମତି କିଏ ଦେଇଥିଲା, ବିକ୍ଷୋଭ ବେଳେ ପୋଲିସ ଚୁପ୍ କାହିଁକି ରହୁଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ଅନ୍ୟପଟେ ସବୁ ସତ ପଦାକୁ ଆସିଗଲା ପରେ ପୋଲିସ ଭାବମୂର୍ତି ସଜାଡିବାକୁ ଅହରହ ଉଦ୍ୟମ କରୁଛି। ସରକାର ମଧ୍ୟ ଏହି ଘଟଣାକୁ ଗୁରୁତ୍ୱର ସହ ନେଉନଥିବା ଜଣାପଡିଛି, ଯାହା ଫଳରେ କମିସନରେଟ୍ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହୋଇଛି। କିନ୍ତୁ ଏଭଳି ତ୍ରୁଟି ପାଇଁ କାହାକୁ ଉତ୍ତରଦାୟୀ କରାଯାଇନାହିଁ।

Comments are closed.