Latest Odisha News

ମିଶନ ଶକ୍ତିରେ ବିନା ସୁଧରେ ନବୀନ ଦେଲେ ଋଣ, ବିଜେପି କହିଲା ମୋଦୀ ସରକାର ଯୋଜନାର ରିବ୍ରାଣ୍ଡିଂ

ଭୁବନେଶ୍ୱର: ରାଜ୍ୟର ୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପ ପାଇଁ ମୁଖ୍ୟମନ୍ତ୍ରୀ ୧୨୫କୋଟିର ସୁଧ ରିହାତି ବ୍ୟବସ୍ଥାର ଶୁଭାରମ୍ଭ କରିବା ପରେ ନିଦ ଭାଙ୍ଗିଛି ବିରୋଧୀ ବିଜେପିର। ଦୀର୍ଘ ଦିନ ଧରି ଏହି ଯୋଜନା ମହିଳା ଭୋଟ୍ ବ୍ୟାଙ୍କ ଉଦ୍ଦିଷ୍ଟ କହୁଥିବା ଦଳ ପ୍ରେସ କନଫରେନସ କରି କହିଛି କେନ୍ଦ୍ରର ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା – ରାଷ୍ଟ୍ରୀୟ ଗ୍ରାମୀଣ ଆଜିବୀକା ମିଶନ’ ଅନ୍ତର୍ଗତ ଆସୁଥିବା ବ୍ୟାପକ ଟଙ୍କାକୁ ଚଂଚକତା କରି ନିଜ ନାମରେ ବ୍ରାଣ୍ଡିଂ କରି ମିଶନ ଶକ୍ତି ଜରିଆରେ ରାଜ୍ୟ ସରକାର ସୁଧ ରିହାତି ଦେଉଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ, ମାଗଣା ଚାଉଳ, ଉଡାନ୍ ଯୋଜନାରେ ବିମାନ ଚଳାଚଳ, ହର୍ ଘର୍ ନଲ୍ ପେ ଜଲ୍ ଯୋଜନାକୁ ନିଜ ନାମରେ ନାମିତ କରିଛି ରାଜ୍ୟର ଶାସକ ଦଳ। ଆଉ ଏବେ କେନ୍ଦ୍ରର ଆଉ ଏକ ଯୋଜନା ଜରିଆରେ ବିଜେଡି ସରକାର ନିଜର ଭାବମୂର୍ତି ସଜାଡିବାକୁ ପ୍ରୟାସ କରି ଭୋଟ୍ ବ୍ୟାଙ୍କ ରାଜନୀତି କରୁଛି ବୋଲି ବିଜେପି କହିଛି।

ବିଜେପି ନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି ଯେ, ଦୀର୍ଘ ୨୩ ବର୍ଷ ଶାସନ କରିବା ପରେ ମଧ୍ୟ ରାଜ୍ୟ ସରକାରଙ୍କ କୌଣସି ଗୋଟିଏ ହେଲେ ନିଜସ୍ୱ ଜନକଲ୍ୟାଣ ଯୋଜନା ନାହିଁ । କେନ୍ଦ୍ର ଦେଉଥିବା ଅର୍ଥ, ରାଶି ଓ ଯୋଜନାକୁ ନିଜ ନାମରେ ନାମିତ କରି ଏବଂ ମୁଖ୍ୟମନ୍ତ୍ରୀ ନିଜର ଫଟୋଚିତ୍ର ଦେଇ ଲୋକମାନଙ୍କୁ ଭୁଆଁ ବୁଲାଉଛନ୍ତି । ମିଶନ ଶକ୍ତି ଯୋଜନାରେ ରାଜ୍ୟ ସରକାର ୦% ସୁଧ ହାରରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଋଣ ଯୋଗାଇ ଦେଉଥିବାର କଥା କହିଛନ୍ତି । ମହିଳାଙ୍କୁ ସୁଧ ରିହାତି ପଛରେ ଶ୍ରେୟ କେନ୍ଦ୍ରର। କେନ୍ଦ୍ର ସରକାରଙ୍କର ଦୀନ ଦୟାଲ ଅନ୍ତୋଦୟ ଯୋଜନାରେ ଜାତୀୟ ଗ୍ରାମୀଣ ଆଜୀବିକା ମିଶନରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଋଣ ନାବାର୍ଡ ମାଧ୍ୟମରେ କେନ୍ଦ୍ର ଦେଉଛି ଋଣ । ବ୍ୟାଙ୍କର ସାଧାରଣ ସୁଧ ହାର ୧୧% ହୋଇଥିବା ବେଳେ କେନ୍ଦ୍ର ସରକାର ୪% ସୁଧ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ନିଜେ ସିଧାସଳଖ ବହନ କରନ୍ତି । ପରେ ଯେଉଁମାନେ ନିୟମିତ ଋଣ ସୁଝନ୍ତି ସେମାନଙ୍କ ପାଇଁ ଅତିରିକ୍ତ ୩% ସୁଧ ଛାଡର ବ୍ୟବସ୍ଥା କେନ୍ଦ୍ର ସରକାର କରିଥାନ୍ତି । ଏସମସ୍ତ ସୁଧ ରାଶି କେନ୍ଦ୍ର ସରକାର ବ୍ୟାଙ୍କକୁ ସିଧା ପୈଠ କରନ୍ତି । ଅର୍ଥାତ ମୋଟ ସୁଧ ରାଶିର ୭% ହେଉଛି କେନ୍ଦ୍ର ସରକାରଙ୍କର, ୪% ହେଉଛି ରାଜ୍ୟ ସରକାରଙ୍କର ବୋଲି ବିଜେପି କହିଛି।

ଅନ୍ୟପଟେ ବିଜେଡି ନେତ୍ରୀ ତଥା ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି, ଯେଉଁମାନେ କାମ କରି ନପାରନ୍ତି ସେମାନେ ଏପରି ଅଭିଯୋଗ ଆଣନ୍ତି । ବିଜେଡି କାମରେ ବିଶ୍ୱାସ କରେ । ଯେଉଁଥିପାଇଁ ବିଜେଡିକୁ ଜନସାଧାରଣ ଆର୍ଶୀବାଦ କରି ଆସୁଛନ୍ତି ।

କିନ୍ତୁ ହଠାତ ବିରୋଧୀ ବିଜେପି ଏପରି ଯୁକ୍ତି ରଖିବାକୁ ନେଇ ପ୍ରଶ୍ନ ଉଠିଛି। ମିଶନ ଶକ୍ତି ଦୀର୍ଘ ଦିନ ହେବ ରାଜ୍ୟ ସରକାର ଆରମ୍ଭ କଲେଣି। ବିଭିନ୍ନ ସମୟରେ ବିରୋଧୀ ତଥା କେନ୍ଦ୍ରର ଶାସକ ଦଳ ଏ ନେଇ ଯୋଜନା ପଛରେ ନିଜର ଭୂମିକା ଥିବା ନେଇ ନିରବ ରହୁଥିବା ବେଳେ ଏବେ ହଠାତ ନିଜର ଯୋଜନା କହି ଯୁକ୍ତି କରିବା ପରେ ବିରୋଧୀ ନିଦରୁ ଉଠିଲା ଭଳି ମନେ ହେଉଛି।

 

Comments are closed.